ଭୁବନେଶ୍ୱର: ଆପଣ ଦୁଇଚକିଆ ଯାନରେ ଦୁଇଜଣରୁ ଅଧିକ ଯାତ୍ରା କରୁଛନ୍ତି କି, ଆପଣ ବିନା ହେଲମେଟ୍ରେ ଗାଡ଼ି ଚଳାଉଛନ୍ତି କି, ତାହେଲେ ସାବଧାନ । ଏଣିକି କମିଶନରେଟ୍ ଟ୍ରାଫିକ ପୁଲିସ ପକ୍ଷରୁ ରାଜଧାନୀରେ କଡ଼ାକଡ଼ି ଯାନ୍ଚ କରାଯିବ । ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କୁ ବିପୁଳ ଅର୍ଥର ଜୋରିମାନା ଦେବାକୁ ପଡ଼ିବ । ଏମିିତିକି ପାଖରେ ଟଙ୍କା ନଥିଲେ ଋଣ ଆଣି ଟଙ୍କା ଦେବା ଭଳି ପରିସ୍ଥିତି ସୃଷ୍ଟି ହେବ । କମିଶନରେଟ୍ ଟ୍ରାଫିକ ପୁଲିସ ପକ୍ଷରୁ ଏଭଳି ପ୍ରଚ୍ଛଦପଟକୁ ନେଇ ଏକ ନିଆରା ପୋଷ୍ଟର ପ୍ରସ୍ତୁତ କରାଯାଇଛି । ଯେଉଁଥିରେ କି ଜଣେ ବ୍ୟକ୍ତି ଏକ ଋଣ ପ୍ରଦାନକାରୀ ସଂସ୍ଥାକୁ ଋଣ ନେବା ପାଇଁ କଲ୍ କରିଛନ୍ତି ।
ସେପଟୁ କାହିଁକି ଋଣ ନେବେ ପଚାରିବାରୁ ବ୍ୟକ୍ତି ଜଣକ ଟ୍ରାଫିକ ଚାଲାଣ ବାବଦକୁ ଟଙ୍କା ଦେବା ପାଇଁ ଲୋନ୍ ନେବେ ବୋଲି କହୁଛନ୍ତି । ଏହା ଏକ ହାସ୍ୟସ୍ପଦ ପୋଷ୍ଟର ହୋଇଥିଲେ ବି ଏଥିରୁ ଅନେକ ଶିଖିବାର ଜିନିଷ ରହିଛି । ତେବେ ନୂଆ ଟ୍ରାଫିକ ଡ଼ିସିପି ଏସ୍ ସୁଶ୍ରୀଙ୍କ ଏଭଳି ପୋଷ୍ଟର ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ରଙ୍ଗ୍ ଲେନ୍ ଡ୍ରାଇଭିଂକୁ ନେଇ ଆଗାମୀ ଦିନରେ ପୁଲିସ କଠୋର ହେବ । ଯେଉଁମାନେ ରଙ୍ଗ୍ ଲେନ୍ରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିବେ, ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ଜଣାପଡ଼ିଛି । ତେବେ ପ୍ରଥମେ ଲୋକଙ୍କୁ ସଚେତନତା କରାଯାଉଛି । କିଛିଦିନ ପରେ ଏହା କଡ଼ାକଡ଼ି ହେବ । ତେଣୁ ଟ୍ରାଫିକ ନିୟମ ମାନିବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି ।