ନୂଆଦିଲ୍ଲୀ: ଜାତୀୟ ତଦନ୍ତ ଏଜେନ୍ସି (ଏନ୍ଆଇଏ) ରବିବାର ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ୪୦ ଠିକଣାରେ ଚଢ଼ଉ କରିଛି । ଏହି ଅବସରରେ ଏନ୍ଆଇଏ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଏହା ସହିତ ଏନ୍ଆଇଏ ଟିମ୍କୁ ଡିଜିଟାଲ୍ ଉପକରଣ, ଡକ୍ୟୁମେଣ୍ଟ୍, ଦୁଇଟି ଛୁରି ଏବଂ ୮.୩୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ କ୍ୟାଶ୍ ସହିତ କେତେକ ସନ୍ଦିଗ୍ଧ ଉପକରଣ ମଧ୍ୟ ମିଳିଛି । ଆତଙ୍କୀ ଘଟଣାର ପ୍ଲାନିଂ ଏବଂ ଧର୍ମ ଆଧାରରେ ଦଙ୍ଗା କରାଇବା ନିମନ୍ତେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ପିଏଫ୍ଆଇର କ୍ୟାମ୍ପ୍ ଚାଲୁଥିବା ଖବର ଏନ୍ଆଇଏକୁ ମିଳିଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହାପରେ ଆଜି ତେଲେଙ୍ଗାନାରେ ୩୮ ଏବଂ ଆନ୍ଧ୍ରପ୍ରଦେଶରେ ଦୁଇଟି ସ୍ଥାନରେ ଚଢ଼ଉ କରାଯାଇଥିଲା । ନିଜାମାବାଦ୍ରେ ଏକ ଗ୍ରୁପ୍ କରାଟେ କ୍ଲାସ୍ ଆଳରେ ଆତଙ୍କୀ ପ୍ରଶିକ୍ଷଣ ଦେଉଥିବା ଜୁୂଲାଇରେ ତେଲେଙ୍ଗାନା ପୁଲିସ୍କୁ ସୂଚନା ମିଳିଥିଲା ।
ଜୁଲାଇ ୪ରେ ଏ ନେଇ ମାମଲା ରୁଜୁ କରାଯାଇଥିଲା ଏବଂ ଏହାପରେ ପୁଲିସ ଚଢ଼ଉ କରି ଅବ୍ଦୁଲ୍ ଦାକର, ଶେଖ୍ ସହଦୁଲ୍ଲା, ମହମ୍ମଦ ଇମ୍ରାନ୍ ଏବଂ ମହମ୍ମଦ ଅବ୍ଦୁଲ ମୋବିନ୍ଙ୍କୁ ଗିରଫ କରିଥିଲା । ପୁଲିସ ଅନୁସାରେ ଗିରଫ ଅଭିଯୁକ୍ତ ସହଦୁଲ୍ଲା ପିଏଫ୍ଆଇର ଜିଲ୍ଲା ସଂଯୋଜକ । ଏହାପରେ ତଦନ୍ତ ଆଗେଇ ନେବା ପାଇଁ ଏନ୍ଆଇଏ ଅଗଷ୍ଟ ୨୬ ତାରିଖରେ ପୁଣିଥରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଆଜିର ଏହି ଚଢ଼ଉ କରାଯାଇଥିଲା । ନିଜାମାବାଦରେ ସବୁଠୁ ଅଧିକ ୨୩ଟି ସ୍ଥାନରେ ଏହି ଚଢ଼ଉ ହୋଇଥିବା ବେଳେ ଜଗତ୍ୟାଲରେ ୭, ହାଇଦ୍ରାବାଦରେ ୪, ନିର୍ମଳରେ ୨, ଆଦିଲାବାଦ୍ ଏବଂ କରିମନଗରରେ ଗୋଟିଏ ଲେଖାଏଁ ସ୍ଥାନରେ ଚଢ଼ଉ କରାଯାଇଥିଲା ।