34.1 C
Bhubaneswar
Thursday, April 25, 2024
Homeଓଡିଶାଗଣଶିକ୍ଷା ବିଭାଗର ନିର୍ଦ୍ଦେଶ: କ୍ଲାସ ଶେଷପରେ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ରହିବା ମନା

ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ: କ୍ଲାସ ଶେଷପରେ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ରହିବା ମନା

ଭୁବନେଶ୍ୱର: ଏଣିକି କ୍ଲାସ ଶେଷ ହେବା ପରେ ଆଉ କ୍ୟାମ୍ପସରେ ଜମିବନି ଖଟି । ପୂର୍ବ ଭଳି ସାଙ୍ଗସାଥି ମେଳ କରି ପିଲାମାନେ ଆଉ କଲେଜରେ ସମୟ ବିତାଇ ପାରିବେ ନାହିଁ । କାରଣ ଶିକ୍ଷାବିଭାଗ କ୍ୟାମ୍ପସ ପରିସରରେ ଶୈକ୍ଷିକ ବାତାବରଣ ରଖିବା ଲାଗି ଏକ କଡ଼ା ପଦକ୍ଷେପ ଗ୍ରହଣ କରିଛି । ଯାହାଦ୍ୱାରା ଘଣ୍ଟି ବାଜିବା କ୍ଷଣି ପିଲାମାନଙ୍କୁ କ୍ୟାମ୍ପସ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯିବ । ଛୁଟି ହେବା ପରେ ସର୍ବାଧିକ ଅଧଘଣ୍ଟା ପାଇଁ ପିଲାମାନେ କଲେଜ ପରିସରରେ ରହିପାରିବେ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତ ଶିକ୍ଷାବର୍ଷରୁ ଯୁକ୍ତଦୁଇରେ ଉଭୟ ପ୍ରଥମ ଏବଂ ୨ୟ ବର୍ଷ ପିଲାଙ୍କ ଲାଗି କଲେଜରେ ଶିକ୍ଷାଦାନକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପିଲାଙ୍କ ଲାଗି ପ୍ରଥମଥର ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଯୁକ୍ତଦୁଇ ପ୍ରଥମବର୍ଷ ପିଲାଙ୍କୁ ର‌୍ୟାଙ୍ଗିଂ ମନା ହୋଇଥିବା ବେଳେ କୌଣସି ଛାତ୍ରଛାତ୍ରୀ ଏଣିକି କ୍ଲାସ ଶେଷ ହେବା ପରେ କଲେଜ ପରିସରରେ ରହିପାରିବେ ନାହିଁ । ଏପରିକି ଛାତ୍ରଛାତ୍ରୀମାନେ ଦୈନିକ ଶ୍ରେଣୀପାଠପଢ଼ା ବ୍ୟତୀତ ପାଠାଗାର ପାଇଁ କେତେ ସମୟ ଦେବେ ତାହା କଲେଜ ଅଧ୍ୟକ୍ଷ ନିଷ୍ପତ୍ତି ଗ୍ରହଣ କରିବେ । ତେଣୁ ଏଣିକି ପାଠାଗାର ଲାଗି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ ହେବ। ସେହି ସମୟ ମଧ୍ୟରେ ଛାତ୍ରଛାତ୍ରୀମାନେ ଲାଇବ୍ରେରୀରେ ପଢ଼ିପାରିବେ । ନଚେତ ପାଠାଗାରୁ ସେମାନଙ୍କ ଆବଶ୍ୟକ ପୁସ୍ତକ ନେଇପାରିବେ । ଏହାବ୍ୟତୀତ ଦୈନିକ କ୍ଲାସ ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ ଛାତ୍ରଛାତ୍ରୀମାନେ କଲେଜ ଆସିବେ ।

ଏହାପୂର୍ବରୁ ଯଦି କଲେଜ ଆସନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ବିଜ୍ଞାନ ଛାତ୍ରଛାତ୍ରୀମାନେ କ୍ଲାସ ପଢ଼ା ପରେ ପ୍ରାକ୍ଟିକାଲ କରି ସିଧାସଳଖ ଘରକୁ ଫେରିବେ । ପ୍ରଥମଥର ଲାଗି ଯୁକ୍ତଦୁଇ ପିଲାଙ୍କ ଲାଗି ରିଟର୍ଣ୍ଣ ଆଟେଣ୍ଡାନ୍ସ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଯେଉଁ ଥିରେ ଏଣିକି ଯୁକ୍ତଦୁଇ ପିଲାଙ୍କ ଲାଗି କଲେଜରେ ମଧ୍ୟ ପାଠପଢ଼ାରେ କିଛି ପରିବର୍ତ୍ତନ କରାଯିବ । ଏଣିକି ପ୍ରଥମ ପର୍ଯ୍ୟାୟରେ ସବୁ ପ୍ରାକ୍ଟିକାଲ ଶେଷ ହେବା ପରେ ୨ୟ ପର୍ଯ୍ୟାୟରେ ଥିଓରୀ କ୍ଲାସ ରଖାଯିବ। ଫଳରେ ପିଲାମାନେ ପ୍ରଥମେ ପ୍ରାକ୍ଟିକାଲ ଶେଷ କରି ଥିଓରୀ କ୍ଲାସ କରି ଘରୁ ଫେରିବେ । ପୂର୍ବରୁ ଅନେକ ଛାତ୍ରଛାତ୍ରୀ ଘରକୁ ବିଳମ୍ବରେ ଆସୁଥିବା ବେଳେ କଲେଜରେ ପ୍ରାକ୍ଟିକାଲ ଚାଲିଥିବା ମିଛରେ କହୁଥିଲେ । ଅନେକ ସମୟରେ କଲେଜ ଶେଷ ହେବା ପରେ ପିଲାମାନେ କ୍ୟାମ୍ପସରେ ଖଟି କରୁଥିବା ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ବିଶେଷକରି ଛାତ୍ରୀଙ୍କ ସୁରକ୍ଷା ଦିଗରେ ସମସ୍ୟା ସୃଷ୍ଟି ହେଉଥିଲା ।

ସେହିପରି ଯୁକ୍ତଦୁଇ କଳା, ବାଣିଜ୍ୟର ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କର କ୍ଲାସ ଶେଷ ହେବା ପରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ କଲେଜରେ ରହିପାରିବେ ନାହିଁ । ତେବେ ରିଟର୍ଣ୍ଣ ଆଟେଣ୍ଡାନ୍ସ ବ୍ୟବସ୍ଥାରେ ଏଣିକି କଲେଜରେ ଦୈନିକ ଶେଷ କ୍ଲାସରେ ପିଲାଙ୍କର ଉପସ୍ଥାନ ନିଆଯିବ । କେଉଁ ଦିନ କେତେ ବେଳେ କ୍ଲାସ ଶେଷ ହେଲା ତାହାର ତାରିଖ ଏବଂ ସମୟ ସମ୍ପୃକ୍ତ ଆଟେଣ୍ଡାନ୍ସରେ ଉଲ୍ଲେଖ ରହିବ । ଏହାବ୍ୟତୀତ ପ୍ରତିମାସରେ ଅଭିଭାବକଙ୍କୁ ସମ୍ପୃକ୍ତ ମାସରେ କେତେ ଦିନ କ୍ଲାସ ହୋଇଛି ଏବଂ କେଉଁଦିନ କେତେବେଳେ କ୍ଲାସ ଶେଷ ହୋଇଛି ତାହାର ତଥ୍ୟ ମୋବାଇଲ ମାଧ୍ୟମରେ ଜଣାଇଦିଆଯିବ । ଏହାବ୍ୟତୀତ କଲେଜରେ ଏକ ସ୍ୱତନ୍ତ୍ର ସୁରକ୍ଷା କମିଟି ଗଠନ କରାଯିବ ।

ସେହି କମିଟିର ଅଧ୍ୟକ୍ଷ ପ୍ରିନ୍ସିପାଲ ରହିବେ । ଏହାବ୍ୟତୀତ କଲେଜରେ କଳା,ବିଜ୍ଞାନ ଏବଂ ବାଣିଜ୍ୟ ଷ୍ଟ୍ରିମ୍ ଲାଗି ୩ଜଣ ସୁପରିଟେଣ୍ଡେଟ୍ ରହିବେ । କଲେଜ ଛୁଟି ହେବା ପରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଯଦି କୌଣସି ଛାତ୍ରଛାତ୍ରୀ କ୍ୟାମ୍ପସରେ ଥିବା ଧରାପଡ଼ନ୍ତି ତେବେ ସେହି ଛାତ୍ରଛାତ୍ରୀଙ୍କୁ ସମ୍ପୃକ୍ତ ଷ୍ଟ୍ରିମ୍‌ର ସୁପରିଟେଣ୍ଡେଟ କାରଣ ଦର୍ଶାଅ ନୋଟିସ୍ ଜାରି କରିବେ । ଏବଂ ଛାତ୍ରଛାତ୍ରୀମାନେ ଯେଉଁ ରିପୋର୍ଟ ଦାଖଲ କରିବେ ସେଥିରେ ଉଭୟ ପିଲା ଏବଂ ସେମାନଙ୍କର ଅଭିଭାବକଙ୍କ ଦସ୍ତଖସ୍ତ ମଧ୍ୟ ରହିବ । ପ୍ରତି ୩ମାସରେ ଏଣିକି କଲେଜରେ ଅଭିଭାବକ ବୈଠକ ଆୟୋଜନ କରାଯିବ । ଯଦି କୌଣସି ଛାତ୍ରଛାତ୍ରୀ ଏପରି ନିୟମକୁ ବାରମ୍ବାର ଅବମାନନା କରନ୍ତି ସେହି ପିଲାଙ୍କ ଅଭିଭାବକଙ୍କୁ ବୈଠକରେ ଅବଗତ କରାଯିବା ସହ ଚେତାବନୀ ମଧ୍ୟ ଦିଆଯିବ । ଏପରିକି ଯେଉଁ ଛାତ୍ରଛାତ୍ରୀଙ୍କୁ ୩ଥର କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ସେହି ପିଲାଙ୍କୁ ଆବଶ୍ୟକ ସ୍ଥଳେ କଲେଜରୁ ବାହାର କରିଦିଆଯିବ ବୋଲି ଜଣାପଡ଼ିଛି ।

ଏପରି ବ୍ୟବସ୍ଥା ସମ୍ପର୍କରେ ଜଣେ ଅଧ୍ୟକ୍ଷ କହିଛନ୍ତି ଯେ, ପ୍ରଥମଥର ଲାଗି ସରକାର ଏଭଳି ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ ପଦକ୍ଷେପ । ନୂଆକରି ପିଲାମାନେ କଲେଜ ଆସିବାପରେ କଲେଜରେ ପାଠପଢ଼ା ଶେଷ ପରେ ଦୀର୍ଘ ସମୟ ରହି ଖଟି ଜମାଇଥାନ୍ତି । ଫଳରେ ଅନେକ ପିଲା ଖରାପ ଅଭ୍ୟାସର ବଶବର୍ତ୍ତୀ ହେଉଥିବା ବେଳେ ଅନେକ ସମୟରେ ଝିମିଟି ଖେଳରୁ ମହାଭାରତ ଭଳି କ୍ୟାମ୍ପସରେ ପିଲାଙ୍କ ମଧ୍ୟରେ ଗଣ୍ଡୋଗଳ ହେଉଛି । ତେବେ ପୂର୍ବରୁ ନିର୍ବାଚନ ପ୍ରକ୍ରିୟାରୁ ଯୁକ୍ତଦୁଇକୁ ବାଦ୍ ଦିଆଯାଇଥିବା ବେଳେ ବର୍ତ୍ତମାନର ବ୍ୟବସ୍ଥା ଅଧିକ ପରିବର୍ତ୍ତନ ଆଣିପାରିବ। ଏହି ବ୍ୟବସ୍ଥା ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ କଲେଜ କ୍ଷେତ୍ରରେ ଲାଗୁ କରାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦୁର୍ଗାପୂଜା ଛୁଟି ପର ଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking