ପୁରୀ : ଆଜିଠାରୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ନେଇ ନୂଆ ଏସଓପି ଜାରି ହୋଇଛି । ଜଗା ଦର୍ଶନ ପାଇଁ କଡାକଡି ପାଳନ କରାଯାଉଛି ଗାଇଡଲାଇନ୍ । ବାହାର ରାଜ୍ୟର ଭକ୍ତମାନେ ଆରଟି-ପିସିଆର ରିପୋର୍ଟ ଦେଖାଇ ମନ୍ଦିରକୁ ଯାଉଛନ୍ତି । ଏହା ସହ ପରିଚୟପତ୍ର ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି ରାଜ୍ୟବାସୀ । ୪ଟି କିଓସ୍କି କାଉଣ୍ଟରରେ ଯାଞ୍ଚ ପ୍ରକ୍ରିୟା ଜୋରସୋରରେ ଚାଲିଛି । ୩ଟି କାଉଣ୍ଟରରେ ରାଜ୍ୟବାସୀଙ୍କ ପରିଚୟପତ୍ର ଯାଞ୍ଚ କରାଯାଉଛି । ଅନ୍ୟ କାଉଣ୍ଟରରେ ବାହାରର ଭକ୍ତଙ୍କ କୋଭିଡ ରିପୋର୍ଟ ଯାଞ୍ଚ ଚାଲିଛି।
ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଭକ୍ତ ୯୬ ଘଣ୍ଟ ଭିତରେ ଅର୍ଥାତ ଚାରିଦିନ ଭିିତରେ କରାଇଥିବା କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଧରି ଆସିବା ସହ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଦୁଇଟି ପର୍ଯ୍ୟାୟ ଟିକାକରଣ ନେଇଥିବେ, ସେମାନେ ବିନା କୋଭିଡ ନେଗେଟିଭ ରିପୋର୍ଟରେ ମନ୍ଦିର ଯାଇପାରିବେ । ଶ୍ରୀମନ୍ଦିର ଭିତରେ ତିନିଟି ଟିମ୍ କୋଭିଡ ଗାଇଡଲାଇନ୍ କିଭଳି ଅନୁପାଳନ କରିହେବ, ସେନେଇ ଅନୁଧ୍ୟାନ କରିବେ ।
ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତରକାଠ ବଦଳରେ ବାହାର କାଠ ନିକଟରୁ ସର୍ବସାଧାରଣ ଦର୍ଶନ କରାଯାଉଛି। ଶ୍ରୀମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ ଅନୁପାଳନ ନେଇ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍ । ବିନା ମାସ୍କରେ କୌଣସି ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ନାହିଁ । ଏହାସହ ହାତ ସାନିଟାଇଜ କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ଗୁରୁତ୍ୱ ଦିଆଯାଇଛି । ମନ୍ଦିର ଭିତରେ ଦୀପ ଜଳାଇ ପାରିବେନି । ଶ୍ରୀମନ୍ଦିର ଭିତରକୁ ପଲିଥିନ ଛଡାଯିବନି । ଦେବାଦେବୀଙ୍କୁ ଛୁଇଁ ପାରିବେନି ଭକ୍ତ । ସିଂହଦ୍ୱାର ଦେଇ ପ୍ରବେଶ କରିବେ ଓ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ ଭକ୍ତ ।