ଚେନ୍ନାଇ: ଚଳିତବର୍ଷର ପ୍ରଥମ ତ୍ରୈମାସିିକ (ଜାନୁଆରୀ-ମାର୍ଚ୍ଚ)ରେ ନେସ୍ଲେ ଇଣ୍ଡିଆର ଲାଭାଂଶ ୨୫ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି । କମ୍ପାନୀ ଦ୍ୱାରା ପ୍ରସ୍ତୁତ କିଟ୍କାଟ୍ ଓ ମଞ୍ଚ୍ ବ୍ରାଣ୍ଡ୍ ଚୋକୋଲେଟ୍, ମ୍ୟାଗି ନୁଡୁଲ୍ସ ଏବଂ ଇନ୍୍ଷ୍ଟାଣ୍ଟ କଫିର ବିକ୍ରି ମୂଲ୍ୟ ଓ ଚାହିଦା ବେଶ ବୃଦ୍ଧି ପାଇଥିବାରୁ ଏହାର ପ୍ରଭାବ ଲାଭାଂଶ ଉପରେ ପଡିଥିବା କୁହାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନୀ ୭.୩୭ ବିଲିୟନ ଟଙ୍କା ଲାଭ କରିଛି । ୨୦୨୨ ଜାନୁଆରୀ-ମାର୍ଚ୍ଚରେ କମ୍ପାନୀର ଲାଭାଂଶ ୫.୯୧ ବିଲିୟନ ଟଙ୍କା ରହିଥିଲା ।
ଏହି ସମୟରେ କମ୍ପାନୀର ବ୍ୟବସାୟିକ କାରବାର ମଧ୍ୟ ୪୮.୩୧ ବିଲିୟନ ଟଙ୍କାକୁ ବୃଦ୍ଧି ପାଇଥିବା କୁହାଯାଇଛି । ଗ୍ରାମାଞ୍ଚଳରେ ନେସ୍କାଫେ କଫିର ଛୋଟ ପ୍ୟାକେଟ ଏବଂ ମ୍ୟାଗି ନୁଡୁଲ୍ସ ବିକ୍ରିକୁ ପ୍ରୋତ୍ସାହିତ କରିବାକୁ କମ୍ପାନୀ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଗତ କିଛି ବର୍ଷ ମଧ୍ୟରେ ଏହି ଯୋଜନା ଫଳପ୍ରଦ ପ୍ରମାଣିତ ହୋଇଛି ବୋଲି ନେସ୍ଲେ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୁରେଶ ସତ୍ୟନାରାୟଣ କହିଛନ୍ତି । ତେବେ ଖାଇବା ତେଲ, ଅଟା ଏବଂ ଅନ୍ୟ ପ୍ୟାକେଟ୍ ଫୁଡ୍ ସାମଗ୍ରୀର ମୂଲ୍ୟ ହ୍ରାସ କରିବାକୁ ଲକ୍ଷ୍ୟ ରହିଛି ବୋଲି ସେ ସୂଚନା ଦେଇଛନ୍ତି ।