ନୂଆଦିଲ୍ଲୀ: ଭାରତୀୟ ଷ୍ଟାର୍ ଜାଭେଲିନ୍ ଥ୍ରୋୟର ଏବଂ ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରା ଡାଏମଣ୍ଡ୍ ଲିଗ୍ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ତେବେ ପ୍ୟାରିସ୍ ଅଲିମ୍ପିକ୍ରେ ୯୨.୯୭ ମିଟର ରେକର୍ଡ ଥ୍ରୋ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ପାକିସ୍ତାନର ଅରଶଦ୍ ନଦୀମ ଫାଇନାଲ୍ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଛନ୍ତି । ଡାଏମଣ୍ଡ ଲିଗ୍ ଷ୍ଟାଣ୍ଡିଂର ଟପ୍-୬ ଖେଳାଳି ସେପ୍ଟେମ୍ବର ୧୩ ଓ ୧୪ ତାରିଖରେ ବ୍ରସେଲ୍ସରେ ହେବାକୁ ଥିବା ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହି ଷ୍ଟାଣ୍ଡିଂରେ ନୀରଜ ୧୫ ପଏଣ୍ଟ୍ ସହ ଚତୁର୍ଥ ନମ୍ବରରେ ରହିଛନ୍ତି । ଅନ୍ୟପକ୍ଷରେ କେବଳ ୫ ପଏଣ୍ଟ ସହ ନଦୀମ ଅଷ୍ଟମରେ ରହି ଯୋଗ୍ୟତାରୁ ବଞ୍ଚିତ ହୋଇଛନ୍ତି । ଫାଇନାଲ୍ ପାଇଁ ନୀରଜ ଚୋପ୍ରାଙ୍କ ସମେତ ଆଣ୍ଡରସନ୍ ପିଟର୍ସ, ଜୁଲିୟନ୍ ୱେବର୍, ଜ୍ୟାକବ୍ ବଡ଼ଲେଜ୍, ଆଣ୍ଡ୍ରିଆନ୍ ମାର୍ଡେର ଏବଂ ରୋଡରିକ୍ ଜେନକୀ ଡିନ୍ ଯୋଗ୍ୟତା ଅର୍ଜନ କରିଛନ୍ତି ।
ଡାଏମଣ୍ଡ ଲିଗ୍ ଷ୍ଟାଣ୍ଡିଂରେ ଗ୍ରେନେଡାର ଆଣ୍ଡରସନ୍ ପିଟର୍ସ ୪ ଇଭେଣ୍ଟ୍ରେ ୨୯ ପଏଣ୍ଟ ସହ ପ୍ରଥମ ସ୍ଥାନ, ଜର୍ମାନୀର ଜୁଲିୟନ୍ ୱେବର୍ ୩ ଇଭେଣ୍ଟ୍ରେ ୨୧ ପଏଣ୍ଟ ସହ ଦ୍ୱିତୀୟ ଏବଂ ଚେକ୍ ଗଣରାଜ୍ୟର ଜ୍ୟାକବ୍ ବଡ଼ଲେଜ୍ ୩ ଇଭେଣ୍ଟ୍ରେ ୧୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଏହା ମଧ୍ୟରେ ନୀରଜ ଚୋପ୍ରା କେବଳ ଦୁଇଟି ଇଭେଣ୍ଟ୍ରୁ ୧୫ ପଏଣ୍ଟ୍ ହାସଲ କରି ଚତୁର୍ଥ ସ୍ଥାନରେ ରହିଛନ୍ତି । ମାଲଡୋଭାର ଆଣ୍ଡ୍ରିଆନ୍ ମାର୍ଡେର ୪ ଇଭେଣ୍ଟ୍ରୁ ୧୩ ପଏଣ୍ଟ୍ ସହ ପଞ୍ଚମ ଏବଂ ଜାପାନର ରୋଡରିକ୍ ଜେଙ୍କି ଡିନ୍ ୩ ଇଭେଣ୍ଟ୍ରୁ ୧୨ ପଏଣ୍ଟ୍ ସହ ଷଷ୍ଠ ସ୍ଥାନରେ ରହିଛନ୍ତି । ଚଳିତ ସିଜନ୍ରେ ନୀରଜ ମାତ୍ର ଦୁଇଟି ଡାଏମଣ୍ଡ୍ ଲିଗ୍ରେ ଭାଗ ନେଇଥିଲେ । ଚଳିତ ବର୍ଷ ମେ’ରେ ଦୋହା ଡାଏମଣ୍ଡ୍ ଲିଗ୍ରେ ୮୮.୮୬ ମିଟର୍ ଥ୍ରୋ ସହିତ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏହା ବ୍ୟତୀତ ପ୍ୟାରିସ୍ ଅଲିମ୍ପିକ୍ସ ପରେ ଲୁସାନେରେ ସିଜନ୍ର ଦ୍ୱିତୀୟ ଡାଏମଣ୍ଡ୍ ଲିଗ୍ ଖେଳିଥିଲେ । ସେଠାରେ ନୀରଜ ୮୯.୪୯ ମିଟର ସହ ଚଳିତ ସିଜନ୍ରେ ନିଜର ସର୍ବଶ୍ରେଷ୍ଠ ଥ୍ରୋ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ ।