ନୂଆଦିଲ୍ଲୀ : ଯୋଶୀମଠରେ ଧସୁଥିବା ଜମି ସମ୍ପର୍କରେ ତଥ୍ୟ ସୋସିଆଲ୍ ମିଡିଆରେ ଶେୟାର୍ ନକରିବାକୁ ନାଲ୍ନାଲ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (ଏନ୍ଡିଏମ୍ଏ) ସମସ୍ତ ସରକାରୀ ସଂସ୍ଥାଗୁଡ଼ିକୁ କହିଛି । ସେହିପରି ଯୋଶୀମଠକୁ ନେଇ ମିଡିଆ ସହିତ କଥାବାର୍ତ୍ତା କରିବାକୁ ମଧ୍ୟ ମନା କରିଛି । ଏନ୍ଡିଏମ୍ଏ କହିଛି, ତଥ୍ୟକୁ ନେଇ ସଂଗଠନଗୁଡ଼ିକ ‘ନିଜର ବ୍ୟାଖ୍ୟା’ କରିବା ଯୋଗୁଁ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେଉଛି । ଏହାପରେ ଇସ୍ରୋ ନିଜ ୱେବ୍ସାଇଟ୍ରୁ ଇମେଜ୍ ହଟାଇ ଦେଇଛି । ଏନ୍ଡିଏମ୍ଏର ପତ୍ରରେ କୁହାଯାଇଛି, ଜାନୁଆରୀ ୧୨ ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଆମେ ଏହି ପ୍ରସଙ୍ଗକୁ ଉଠାଇଥିଲୁ । ଏମ୍ଡିଏମ୍ ପକ୍ଷରୁ କୁହାଯାଇଛି ଯୋଶୀମଠରେ ଧସୁଥିବା ଜମିର ଆକଳନ ପାଇଁ ଏକ ବିଶେଷଜ୍ଞ ଗ୍ରୁପ୍ର ଗଠନ କରାଯାଇଛି । ବିଶେଷଜ୍ଞ କମିଟିର ଅନ୍ତିମ ରିପୋର୍ଟ ନଆସିବା ଯାଏଁ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ଏହି ମାମଲାରେ କିଛି ବି ପୋଷ୍ଟ୍ କରିବାରୁ ଦୂରେଇ ରହିବା ନିମନ୍ତେ ଏଜେନ୍ସି ଇସ୍ରୋ ସମେତ ଅନ୍ୟ କେତେକ ସଂସ୍ଥାକୁ କହିଛି ।
ଉଲ୍ଲେଖଯୋଗ୍ୟ, ଯୋଶୀମଠ ମାତ୍ର ୧୨ ଦିନ ମଧ୍ୟରେ ୫.୪ ସେଣ୍ଟିମିଟର ଦବିଯାଇଥିବା ଶୁକ୍ରବାର ଇସ୍ରୋ ସାଟେଲାଇଟ୍ ଇମେଜ୍ ଜରିଆରେ କହିଥିଲା । ଇସ୍ରୋ ଅର୍ଗାନାଇଜେସନ୍ ନାସ୍ନାଲ୍ ରିମୋଟ୍ ସେନ୍ସିଙ୍ଗ୍ ସେଣ୍ଟର୍ (ଏନ୍ଏଚ୍ଆର୍ସି) କହିଥିଲା ୨୦୨୨ ଡିସେମ୍ବର ଶେଷ ଏବଂ ୨୦୨୩ ଜାନୁଆରୀ ପ୍ରଥମ ସପ୍ତାହ ମଧ୍ୟରେ ଯୋଶୀମଠ ଦ୍ରୁତ ଭାବେ ଧସିବା ଆରମ୍ଭ ହୋଇଥିଲା । ପବିତ୍ର ସହର ଭାବେ ମାନ୍ୟ ଯୋଶୀମଠ ସହରରେ ଥିବା ବିଲ୍ଡିଂରେ ଗତବର୍ଷ ଡିସେମ୍ବରରେ ଫାଟ ସୃଷ୍ଟି ହୋଇଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟ ଆତଙ୍କ ଖେଳିଯିବା ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସାଟେଲାଇଟ୍ ସର୍ଭେ ପରେ ପ୍ରାୟ ୪ ହଜାର ପରିବାରଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଯାଇଥିଲା ।
ଦୀର୍ଘଦିନ ଧରି ପରିବେଶବିତ୍ ଏବଂ ସ୍ଥାନୀୟ ଲୋକେ ଯୋଶୀମଠ ପରି ସମ୍ବେଦନଶୀଳ ସହରରେ ଅନ୍ଧାଧୁନିଆ ନିର୍ମାଣ କାର୍ଯ୍ୟକୁ ନେଇ ଚେତାବନୀ ଦେଇଆସୁଛନ୍ତି । ଏହାକୁ ଅଣଦେଖା କରି ସରକାର ରାସ୍ତାଗୁଡ଼ିକୁ ଚଉଡ଼ା ସହିତ ବନ୍ଧ ଓ ବିଦ୍ୟୁତ୍ ପ୍ଲାଣ୍ଟ୍ ନିର୍ମାଣ କରିଥିଲେ । ସେହିପରି ହୋଟେଲ୍ ଏବଂ ବହୁତଳ ବିଲ୍ଡିଂକୁ ମଧ୍ୟ ବେହିସାବ ଅନୁମତି ଦିଆଯାଇଛି ।