ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କଙ୍ଗାରୁ କୋର୍ଟ ଆଇନ ସବୁ ଆଇନ କାନୁନକୁ ବଳିଯାଇଛି । ଏକ ବ୍ୟାଧିଭଳି ବ୍ୟାପିଥିବା ଏହି ବିଚାରଧାରାକୁ ନେଇ ଅନେକ ଲୋମହର୍ଷଣକାରୀ ଅଘଟଣ ସାମ୍ମାନାକୁ ଆସୁଥିବା ବେଳେ ଏବେ ପୋଖରୀ ନିଲାମ ନେବାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ନିଆଁପାଣି ବାସନ୍ଦ କରାଯିବା ସହ ଦୁଆରେ କଣ୍ଟା ଛଟା ଯାଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଚାନ୍ଦପୁର ଥାନା ଅନ୍ତର୍ଗତ କେରେଣ୍ଡାଟାଙ୍ଗି ପଞ୍ଚାୟତ ଉପେନ୍ଦ୍ରପୁର ଗ୍ରାମରେ ।
ସୂଚନା ଅନୁଯାୟୀ, ଗ୍ରାମର ପ୍ରସନ୍ନ ସୁନ୍ଦରରାୟ ଗାଁ ମୁଣ୍ଡରେ ଥିବା ପୋଖରୀ ଏବଂ ବାଘମରା ବନ୍ଧକୁ ଚାରି ବର୍ଷ ତଳେ ପଞ୍ଚାୟତରୁ ନିଲାମରେ ନେଇଥିଲେ । କାହିଁକି ସେ ବନ୍ଧ ନିଲାମ ନେଲେ ବୋଲି ଗାଁ କଙ୍ଗାରୁକୋର୍ଟ ତାଙ୍କୁ ଏକ ଘରକିଆ କରି ନିଆଁପାଣି ବାସନ୍ଦ କରିଥିଲେ । ଏପରିକି ଗାଁରେ ରହିଥିବା ତାଙ୍କର ଏକ ଛୋଟ ତେଜରାତି ଦୋକାନରୁ କେହି ସଉଦା ନଖାଇବାକୁ କଙ୍ଗାରୁ କୋର୍ଟ ମନା କରିଦେଇଥିଲା । ସେହିପରି ତାଙ୍କ ଅଟୋରେ ଗାଁର କେହି ଯାତ୍ରୀ ଯାତାୟତ କରିବାକୁ ବାରଣ କରାଯାଇଥିଲା । ଛୋଟ ତେଜରାତି ଦୋକାନ ଓ ଅଟୋରୁ ଯେଉଁ ରୋଜଗାର ହେଉଥିଲା ତାହାକୁ ନେଇ ପ୍ରସନ୍ନଙ୍କ ପରିବାରର ଗୁଜୁରାଣ ମେଣ୍ଟୁଥିଲା । ମାତ୍ର ଗାଁ କଙ୍ଗାରୁ କୋର୍ଟ ନିଷ୍ପତ୍ତି ତାଙ୍କ ପାଇଁ ଅଭିଶାପ ସଦୃଶ ହେଲା । ଯାହା ଫଳରେ ଦୋକାନରେ ବିକ୍ରିବଟା ନହେବା ଏବଂ ଅଟୋ ଦୁଆରେ ଥୁଆ ହୋଇ ରହିବା କାରଣରୁ ଏହି ଦୁଇ ବେପାରକୁ ସେ ଚିର ଦିନ ପାଇଁ ପରିତ୍ୟାଗ କଲେ । ଗାଁ ଲୋକଙ୍କ ଦ୍ୱାରା ତାଙ୍କ ପ୍ରତି ହୋଇଥିବା ଅବିଚାର ନେଇ ସେ ପୁଲିସର ଦ୍ୱାରସ୍ଥ ହୋଇଥିବା ବେଳେ ଏହାକୁ ନେଇ ମାମଲା ଚାଲିଥିଲା ।
ଅନେକ ଘାତ ପ୍ରତିଘାତ ପରେ ମଧ୍ୟ ପୁଲିସ ଦ୍ୱାରା ତାଙ୍କୁ ନ୍ୟାୟ ମିଳି ପାରିନଥିବା ବେଳେ ଚଳିତ ମାସରେ ପୁଣିଥରେ ସେ ପଞ୍ଚାୟତରୁ ଦୁଇ ପୋଖରୀ ନିଲାମ ନେଇଥିବା ଜଣାଯାଇଛି । ଚଳିତ ମାସ ୧୦ ତାରିଖରେ ପଞ୍ଚାୟତ ପକ୍ଷରୁ ପୋଖରୀ ନିଲାମ ହେବା ନେଇ ଡାକରା ଦିଆଯିବା ପରେ ପ୍ରସନ୍ନ ଏହାକୁ ନିଲାମ ନେବାକୁ ଯାଇଥିଲେ । ଅନ୍ୟ କୌଣସି ବ୍ୟକ୍ତି ନିଲାମରେ ଭାଗ ନନେବାରୁ ନିଲାମ ତାଙ୍କ ନାମରେ ଛିଡ଼ିଥିଲା । ଏହି ଘଟଣାକୁ ନେଇ ଗାଁରେ କିଛି ଅସାମାଜିକ ବ୍ୟକ୍ତି କଙ୍ଗାରୁ କୋର୍ଟ ବସାଇ ପୁଣିଥରେ ନିଆଁପାଣି ବାସନ୍ଦ କରିଥିବା ଏବଂ ଘରେ ପଶି ତାଙ୍କ ପରିବାରକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ନେଇ ପ୍ରସନ୍ନ ଅଭିଯୋଗ କରିଛନ୍ତି । ସବୁପରେ ରବିବାର ରାତିରେ ପରିବାର ଲୋକେ ଘରେ ଶୋଇଥିବା ବେଳେ କିଛି ଗାଁ ଲୋକ ତାଙ୍କ ଦୁଆରେ କଣ୍ଟା ଛାଟି ଦେଇଥିବା ପ୍ରସନ୍ନ ଉପଜିଲ୍ଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।
ସବୁଠାରୁ ପରିତାପର ଘଟଣା ହେଉଛି ପ୍ରସନ୍ନଙ୍କ ଛୋଟ ଛୁଆକୁ ଘରୁ ଅପହରଣ କରି ନେଇ ହତ୍ୟା କରାଯିବାର ଧମକ ଦିଆଯାଇଥିବା ଜଣାଯାଇଛି । ଗାଁ ଲୋକଙ୍କ ସହ ସେ ମିଶି ଚଳିବାକୁ ଚାହୁଁଥିବା ବେଳେ ପୋଖରୀ ନିଲାମ କାରଣକୁ ନେଇ କିଛି ଅସମାଜିକଙ୍କ ଦ୍ୱାରା ପରିଚାଳିତ କଙ୍ଗାରୁ ର୍କୋଟ ତାଙ୍କୁ ଏଭଳି ଦଣ୍ଡ ଦେଇଥିବା ପ୍ରସନ୍ନ କହିଛନ୍ତି । କେଉଁଠି ଘଟଣା ସାମନାକୁ ଆସୁଛି ତ ପୁଣି କେଉଁଠି ଅନ୍ୟାୟ ଅତ୍ୟାଚାରକୁ ସହି କଙ୍ଗାରୁକୋର୍ଟ ଚାପରେ ଚାପି ହୋଇ ଯାଉଛି । ଅନେକ ସ୍ଥାନରେ ମୁହଁ ଖୋଲିବାକୁ ଯୁ ନାହିଁ । ଭିଟାମାଟି ଛାଡ଼ୁଛନ୍ତି ନଚେତ ଗାଁ ଦାଣ୍ଡରେ ଗଡ଼ୁଛି ମୁଣ୍ଡ । ଗଣତନ୍ତ୍ର ରାଜ୍ୟରେ ସମସ୍ତ ଜନସାଧାରଣଙ୍କୁ ସମାଜରେ ବଞ୍ଚି ରହିବାକୁ ସମାନ ଅଧିକାର ଦିଆଯାଇଥିବା ବେଳେ ନୟାଗଡ଼ ଜିଲ୍ଲାରେ କଙ୍ଗାରୁକୋର୍ଟର ରାଜ ଚାଲିବା ସଭ୍ୟ ସମାଜ ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।