ଭୁବନେଶ୍ୱର: ଖଣ୍ଡପଡା ବ୍ଲକ ଅଂଚଳ ଦେଇ ପ୍ରବାହିତ ମହାନଦୀରେ ବନ୍ୟା ପରିସ୍ଥିତି ଯୋଗୁଁ ମହାନଦୀ ତଟବର୍ତ୍ତୀ ସିଧାମୂଳା, କୁମୁଣ୍ଡି, ଘଣାଶାଳିଆ, ବଳରାମପ୍ରସାଦ, ଘୋଡାମାରୀଦ୍ୱାରା, ରାଜକିଆରୀ ପ୍ରଭୃତି ଆଖପାଖ ୩୦ରୁ ଉର୍ଦ୍ଧ ଗ୍ରାମର ବାସିନ୍ଦାଙ୍କ ଧାନ ଓ ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଛି । ମହାନଦୀର ଜଳସ୍ତର ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମ ନିକଟସ୍ଥ ପାହାଡ, ପର୍ବତ, ଓ ନାଳ ନର୍ଦ୍ଦମାର ପାଣି ମହାନୀଦକୁ ନିଷ୍କାସନ ହୋଇ ନପାରି ଶହ ଶହ ଏକର ଚାଷ ଜମିରେ ଲହଡି ଭାଙ୍ଗୁଛି । ଫଳରେ ଧାନ ଓ ପନିପରିବା ଫସଲ ଉଜୁଡି ଯିବାର ଆଶଙ୍କା ଦେଖା ଦେଇଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆନୁସଙ୍ଗିକ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।