27.1 C
Bhubaneswar
Wednesday, January 22, 2025
Homeଓଡିଶାପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନବୀନଙ୍କ ବଡ଼ ବୟାନ; ୨୦୨୪ ନିର୍ବାଚନ ଏକାକୀ ଲଢ଼ିବୁ

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନବୀନଙ୍କ ବଡ଼ ବୟାନ; ୨୦୨୪ ନିର୍ବାଚନ ଏକାକୀ ଲଢ଼ିବୁ

ଭୁବନେଶ୍ୱର: ଆମର ସମଦୂରତ୍ୱ ନୀତି ବଳବତ୍ତର । ଆଗାମୀ ନିର୍ବାଚନରେ ଏକାକୀ ଲଢ଼ିବୁ । ବିଜେଡିର ଏହି ନୀତି ସର୍ବଦା ରହିଆସିଛି ଓ ରହିବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ବେଳେ କୌଣସି ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇନାହିଁ । କେବଳ ରାଜ୍ୟର ସ୍ୱାର୍ଥ ସମ୍ବଳିତ କିଛି ଜରୁରୀ ବିଷୟ ଉପରେ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି କହିଛନ୍ତି।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର ଭେଟିବାର ଦୁଇଦିନ ପରେ ହଠାତ୍ ନବୀନ ନୂଆଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ପଛରେ କିଛି ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ଚର୍ଚ୍ଚା ଜୋର୍ ଧରିଛି । ଜାତୀୟ ଗଣମାଧ୍ୟମରେ ବିଭିନ୍ନ ରିପୋର୍ଟମାନ ପ୍ରସାରଣ ହୋଇଛି । କିଛି ସାମ୍ବାଦିକ ଏନେଇ ପଚାରିବାରୁ ନବୀନ କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭେଟିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଓ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ସେଥିପାଇଁ ସେ ଦିଲ୍ଲୀ ଆସିଛନ୍ତି । କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବେଳେ ସେ ଚାରୋଟି ଦାବି କରିଛନ୍ତି । ପ୍ରଥମତଃ ଶ୍ରୀକ୍ଷେତ୍ର ପୁରୀରେ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ବିମାନବନ୍ଦର ନେଇ ଆଲୋଚନା ହୋଇଛି । ଭୁବନେଶ୍ୱର ଏୟାର୍‌ପୋର୍ଟରେ ଅଧିକ ଟ୍ରାଫିକ୍ କାରଣରୁ ସମସ୍ୟା ଉପୁଜିଛି । ସେଥିପାଇଁ ଶ୍ରୀଜଗନ୍ନାଥ ଏୟାରପୋର୍ଟ ପାଇଁ ସ୍ଥାନ ଚିହ୍ନଟ ସହ ପାଚେରୀ କାର୍ଯ୍ୟ ଶେଷ ହୋଇଯାଇଛି । ଏହା ରାଜ୍ୟର ନ୍ୟର୍ଯ୍ୟ ଦାବି । ଅନ୍ୟ ତିନି ଦାବି ମଧ୍ୟରେ ୮ଟି ଅସଂପୂର୍ଣ୍ଣ ଜାତୀୟ ରାଜପଥ ସଂପୂର୍ଣ୍ଣ କରିବା, ଭାରତ ନେଟ୍‌-୨ ଜରିଆରେ ପଞ୍ଚାୟତରେ ଇଣ୍ଟରନେଟ୍ ସେବା ପ୍ରଦାନ କରିବା ଏବଂ ରାଜ୍ୟରେ ପଞ୍ଚାୟତ ସ୍ତରରେ ବ୍ୟାଙ୍କିଙ୍ଗ୍ ସେବା ବୃଦ୍ଧି ଉପରେ ଫୋକସ୍ ଦେବା ଅତ୍ୟତମ ରହିଛି । ପ୍ରଧାନମନ୍ତ୍ରୀ ଏହା ଶୁଣିଲା ପରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇନି ବୋଲି ନବୀନ ପ୍ରକାଶ କରିଛନ୍ତି ।

ଆଗାମୀ ନିର୍ବାଚନରେ ବିଜେଡି ମେଣ୍ଟ କରିବ କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବାରୁ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଆମ ପାର୍ଟି ବିରୋଧୀ ଦଳଙ୍କ ଏକତା ଅଭିଯାନରେ ସାମିଲ ହେବ ନାହିଁ । କୌଣସି ଦଳ ସହ ମହାମେଣ୍ଟ ନକରି ଏକାକୀ ଲଢ଼ିବ । ଲୋକସଭା ଓ ବିଧାନସଭା ନିର୍ବାଚନରେ ଏକାକୀ ମଇଦାନକୁ ଓହ୍ଲାଇବ । ଏହାର କାରଣ ବି ସ୍ପଷ୍ଟ । ବିଜେଡି ଅତୀତରେ ଯେଭଳି କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ନୀତି ଆପଣେଇଛି, ଭବିଷ୍ୟତରେ ବି ସେଭଲି ନୀତି ଆପଣେଇବ ବୋଲି ନବୀନ କହିଛନ୍ତି । ତେବେ ମୋଦୀ-ନବୀନଙ୍କ ଭେଟ୍‌ଘାଟ୍‌କୁ ବିରୋଧୀ ସହଜରେ ଗ୍ରହଣ କରିନଥିବା ଜଣାପଡ଼ିଛି । ସମସ୍ତଙ୍କ ନଜର ନବୀନଙ୍କ ରଣନୀତି କ’ଣ ହେବ? ଆଗାମୀ ଦିନରେ ବିଜେଡି ଜାତୀୟ ତଥା ରାଜ୍ୟ ରାଜନୀତିରେ କେଉଁ ଭୂମିକା ନେବ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking