ଭୁବନେଶ୍ୱର: ବାହାର ରାଜ୍ୟରୁ ଓଡିଶାକୁ ଫେରୁଥିବା ପ୍ରବାସୀ ଓଡିଆଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଭିଡିଓ କଲଫରେନ୍ସିଂ ମାଧ୍ୟମରେ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । କରୋନା ମୁକାବିଲା ନେଇ ନିଯୁକ୍ତ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓଡିଶା ଫେରୁଥିବା ସବୁ ଯୋଗ୍ୟ ଶ୍ରମିକଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରାସନ କାର୍ଡ ଥାଉ କିମ୍ବା ନଥାଉ ଶ୍ରମିକଙ୍କ ପରିବାରକୁ ରାସନ ଦେବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ଶ୍ରମିକମାନେ ଯେମିତି ଅସୁବିଧା ନଭୋଗନ୍ତି ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ନବୀନ କହିଛନ୍ତି । ତେବେ କରୋନା ନିୟନ୍ତ୍ରଣ ହିଁ ମୁଖ୍ୟ ଦାୟିତ୍ୱ, ଏହା ଅତିରିକ୍ତ ଦାୟିତ୍ୱ ନୁହେଁ ବୋଲି କହିଛନ୍ତି ନବୀନ । ୮/୧୦ ଦିନକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ଶ୍ରମିକମାନଙ୍କୁ କାମ ଯୋଗାଇବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ନବୀନ ।