27.1 C
Bhubaneswar
Saturday, July 27, 2024
Homeଓଡିଶାସୌମ୍ୟଙ୍କ ମୁଣ୍ଡରେ ଅପରାଧୀର ଟିକା ଲଗାଇଲେ ନବୀନ

ସୌମ୍ୟଙ୍କ ମୁଣ୍ଡରେ ଅପରାଧୀର ଟିକା ଲଗାଇଲେ ନବୀନ

ଭୁବନେଶ୍ୱର (ବିପିନ ସିଂ): ଶେଷରେ ବିଜେଡିରୁ ବିଦାହେଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଦଳ ବିରୋଧୀ କାର୍ଯ୍ୟ ସେ କିଛି କରି ନାହାଁନ୍ତି। ଏଣୁ ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ । ଏହି ଧାରଣା ରଖି ସୌମ୍ୟରଞ୍ଜନ୫-ଟି ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରି ଚାଲିଥିଲେ । ତାଙ୍କ ନିର୍ଦ୍ଦେଶରେ ପାଣ୍ଡିଆନ୍ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଡିଓ ବାର୍ତ୍ତାରେ କହିବା ପରେ ବି ତାକୁ ସୌମ୍ୟ ରଞ୍ଜନ ଗ୍ରହଣ କରି ନଥିଲେ । ଲଗାତାର ଭାବେ ମାଡ଼ ମାରି ଚାଲିଥିଲେ । ସେ ଭାବିଥିଲେ ମୁଖ୍ୟମନ୍ତ୍ରୀ କିମ୍ବା ଦଳ ବିରୋଧରେ କିଛି କହୁ ନଥିବାରୁ ତାଙ୍କୁ ଦଳରୁ ବାହାର କରାଯିବ ନାହିଁ । ହେଲେ ବି ସୌମ୍ୟଙ୍କର ସବୁ କଳ୍ପନା ଜଳ୍ପନାକୁ ଧୂଳିସାତ୍ କରି ନବୀନ ଏକ ସାଂଘାତିକ୍ ମାଡ଼ଦେଲେ । ଦଳ ବିରୋଧୀ କାର୍ଯ୍ୟ ବଦଳରେ ଋଣ ଦୁର୍ନିତୀ ଅଭିଯୋଗରେ ଦଳରୁ ତାଙ୍କ ବିଦାକଲେ । ସୌମ୍ୟଙ୍କ ବିରୋଧରେ ଆଇପିସିର ଧାରା- ୫୦୬, ୪୬୭, ୪୬୮, ୪୭୧, ୪୨୦ ଓ ୧୨୦(ଖ)ରେ ମାମଲା ରୁଜୁ ହୋଇଛି ।

ଦଳ ବିରୋଧୀ କାର୍ଯ୍ୟରେ ବିଦା ହୋଇଥିଲେ ସୌମ୍ୟଙ୍କର ରାଜନୈତିକ କ୍ୟାରିୟରରେ ସେପରି କିଛି ଆଞ୍ଚ ଆସି ନଥାଆନ୍ତା । କିନ୍ତୁ ନବୀନ ପଟ୍ଟନାୟକ ଚତୁରାତାର ସହ ଯେଉଁ ପଦକ୍ଷେପ ନେଲେ ସେଥିରେ ସୌମ୍ୟଙ୍କ ମୁଣ୍ଡରେ ସବୁଦିନ ପାଇଁ କଳଙ୍କର ଟିକା ଲଗାଇଦେଲେ । ସୌମ୍ୟଙ୍କୁ ଜଣେ ଅପରାଧୀ ଭାବେ ସଜାଇଲେ ନବୀନ । ସୌମ୍ୟରଞ୍ଜନ ତାଙ୍କ ଗଣମାଧ୍ୟମରେ ଲେଖି ଏବଂ ବିଭିନ୍ନ ସଭାସମିତିରେ ଭାଷଣ ଦେଇ ୫-ଟି ସଚିବଙ୍କୁ ନିନ୍ଦିତ କରିବା ପାଇଁ ଉଦ୍ୟମ କରି ଯେତିକି କ୍ଷତି ଘଟାଇ ନଥିଲେ ତାହାର କାହିଁ କେତେଗୁଣ କ୍ଷତି ନବୀନ କଲେ । କାରଣ ଜାଲିଆତି କରିଥିବାର ସିଧାସଳଖ ଅଭିଯୋଗ ସୌମ୍ୟଙ୍କ ମୁଣ୍ଡରେ ଲଦିଲେ । ବୋଧହୁଏ ବିଜେଡିରୁ ଅତିତରେ ଏଭଳି କୌଣସି ନେତା ବିଦା ହୋଇ ନଥିବେ । ପ୍ୟାରିମୋହନ ମହାପାତ୍ରଙ୍କୁ ବିଦା କଲାବେଳେ ବିଶ୍ୱାସଘାତକ କହିଥିଲେ । ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କୁ ବିଦାକଲାବେଳ ଅଭିଶ୍ୱାସୀ ବୋଲି କହିଥିଲେ । ହେଲେ କାହାରିକୁ ଆଜି ପର୍ଯ୍ୟନ୍ତ ଅପରାଧୀ ଆଖ୍ୟା ଦେଇ ନଥିଲେ । ସୌମ୍ୟଙ୍କ ପାଇଁ ଏହା ବେଶ୍ ମହଙ୍ଗା ପଡ଼ିଲା ବୋଲି କୁହାଯାଉଛି । ଓଡ଼ିିଶାବାସୀଙ୍କ ଆଗରେ ନବୀନ ସୌମ୍ୟଙ୍କୁ ଏଭଳି ନିନ୍ଦିତ କଲେ ଯାହାକୁ ସେ କେବେବି ଭୂଲି ପାରିବେ ନାହିଁ ।

ଇଓଡବ୍ଲୁ ମାଧ୍ୟମରେ ଋଣ ଜାଲିଆତି ଅଭିଯୋଗ ଉପରେ ତଦନ୍ତ କରି ତଥ୍ୟ ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି । କାରଣ କିଛିଦିନ ହେବ ସମ୍ବାଦର ପୂର୍ବତନ କର୍ମଚାରୀମାନଙ୍କ ଅଭିଯୋଗକୁ ଭିତ୍ତିକରି ଋଣ ଜାଲିଆତି ମାମଲାରେ ଇଓଡବ୍ଲୁ ତଦନ୍ତ କରୁଥିଲା । ଇଓଡବ୍ଲୁର ତଦନ୍ତ ସରିନାହିଁ । ହେଲେ ଏହି ସଂସ୍ଥା ପକ୍ଷରୁ ସାଧାରଣରେ ଯେଉଁ ତଥ୍ୟ ଦିଆଯାଇଛି ସେଥିରେ ଋଣ ଜାଲିଆତି ଘଟଣାରେ ସøମ୍ୟରଞ୍ଜନ ସଂପୃକ୍ତ ବୋଲି କୁହାଯାଇଛି । ତଦନ୍ତର ତଥ୍ୟକୁ ଆଧାର କରି ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ଜଣେ ବିଧାୟକଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦୁର୍ନିତୀକୁ ସେ ପ୍ରଶୟ ଦିଅନ୍ତି ନାହିଁ ବୋଲି ସବୁବେଳେ ମୁଖ୍ୟମନ୍ତ୍ରୀ କହିଆସିଛନ୍ତି । ପୂର୍ବରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଠକେଇ ମାମଲାରେ ବିଦା କରିଥିଲେ । ସୌମ୍ୟଙ୍କୁ ଜାଲିଆତି ମାଲାରେ ବିଦାକଲେ । କାଳେ ସୌମ୍ୟଙ୍କ ବିରୋଧରେ ରାଗରଖି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କେହି କହିପାରେ ସେଥିପାଇଁ କେବଳ ସୌମ୍ୟରଞ୍ଜନ ନୁହଁନ୍ତି ଦଳର ଆଉ ଜଣେ ବିଧାୟକ ସୁଧାଂଶୁ ପରିଡ଼ା(ରେମୁଣା)ଙ୍କୁ ଅର୍ଥ ହଡ଼ପ ମାମଲାରେ ଦଳରୁ ବହିଷ୍କାର କରାଯାଇଛି । ଏପରିକି ସୌମ୍ୟଙ୍କୁ ଯେତେବେଳେ ଦଳର ଉପସଭାପତି ପଦରୁ ବିଦା କରାଗଲା ସେଥିରେ ନବୀନ ପଟ୍ଟନାୟକଙ୍କର ଯେଉଁ ସ୍ୱାକ୍ଷର ଥିଲା ତାହା ଅସଲି କି ନକଲୀ ବୋଲି ନିଜେ ସୌମ୍ୟରଞ୍ଜନ ପ୍ରଶ୍ନ କରିଥିଲେ । ସେଥିପାଇଁ ବହିଷ୍କାର ବେଳେ ଆଉ ଲେଖା ପଢ଼ାରେ ନକରି ସିଧା ନବୀନ ଗଣମାଧ୍ୟମକୁ ଆସି ଘୋଷଣା କଲେ ।

ନବୀନ ଏହି ଯେଉଁ ସାଂଘାତିକ କଳଙ୍କ ସୌମ୍ୟଙ୍କ ମୁଣ୍ଡରେ ବୋଳିଲେ ଏଡାକୁ ଛଡ଼ାଇବା ପାଇଁ ହେଲେ ତାଙ୍କୁ ଏବେ କୋର୍ଟର ଆଶ୍ରୟ ନେବାକୁ ପଡ଼ିବ । ସେ ଋଣ ଜାଲିଆତିରେ ସଂପୃକ୍ତ ନୁହଁନ୍ତି । କର୍ମଚାରୀଙ୍କ ନା’ରେ ଯେଉଁ ଋଣ କରାଯାଇଥିଲା ତାହା ଯଥାର୍ଥ ଥିଲା । କୌଣସି ଜାଲିଆତି କାର୍ଯ୍ୟ କରାଯାଇ ନଥିଲା । ଏସବୁ କାର୍ଯ୍ୟରେ ତାଙ୍କର କୌଣସି ସଂପୃକ୍ତି ନଥିଲା ଏହାର ପ୍ରମାଣ ସୌମ୍ୟଙ୍କୁ ଏବେ କୋର୍ଟରେ ହିଁ ଦେବାକୁ ପଡ଼ିବ । ଯଦି କୋର୍ଟରେ ଜାଲିଆତିରେ ସଂପୃକ୍ତ ନୁହଁ ବୋଲି ସୌମ୍ୟରଞ୍ଜନ ନିଜକୁ ପ୍ରମାଣିତ କରିପାରିବେ ତେବେ ଯାଇ ତାଙ୍କ ମୁଣ୍ଡରୁ କଳଙ୍କର ଦାଗ ଲିଭିବ । ନଚେତ୍ ନବୀନ ଯେଉଁ ମାଡ଼ ଦେଇଛନ୍ତି ସେଥିରୁ ସୌମ୍ୟଙ୍କର ଖସିବାର ବାଟ ଆଉ ନାହିଁ । ଏହି ଘଟଣା ପରେ ଇଓଡବ୍ଲୁ ପକ୍ଷରୁ ସୌମ୍ୟଙ୍କ ବିରୋଧରେ କୋର୍ଟରେ ମାମଲା କରାଯିବ । ଏପରିକି ଯେଉଁ ସବୁ ସଂଗୀନ ଦଫାମାନ ଲାଗାଯାଇଛି ସେଥିରେ ସୌମ୍ୟଙ୍କର ଗିରଫ ହେବାର ସମ୍ଭାବନା ଦେଖାଦେଇଛି । ନବୀନ ତାଙ୍କୁ ଋଣ ଜାଲିଆତି ମାମଲାରେ ବିଦା କରିବା ପରେ ଜଣାଇ ଦେଇଛନ୍ତି ଯେ, ଏଥିରେ ସୌମ୍ୟରଞ୍ଜନ ସଂପୃକ୍ତ । ଏଣୁ ଇଓଡବ୍ଲୁ ପାଖରେ କାର୍ଯ୍ୟାନୁଷ୍ଠାନ ନେବା ବ୍ୟତିତ ଅନ୍ୟ କିଛି ପନ୍ଥା ନାହିଁ । ସୌମ୍ୟରଞ୍ଜନଙ୍କୁ ଏଥିରୁ ରକ୍ଷା ପାଇବାକୁ ହେଲେ ହାଇକୋର୍ଟରୁ ଆଗୁଆ ଜାମିନ୍ ନେବାକୁ ପଡ଼ିବ ।

ଇଓଡବ୍ଲୁର ସମ୍ବାଦ କାର୍ଯ୍ୟାଳୟରେ ରେଡ୍ ପରେ ଗଣମାଧ୍ୟମ ଉପରେ ଆକ୍ରମଣ ନେଇ ବିରୋଧୀ ଏବଂ ଅନେକ ସାମ୍ବାଦିକ, ବରିଷ୍ଠ ନେତା ଅଭିଯୋଗ କରିଛନ୍ତି । ଗଣତନ୍ତ୍ରର କଣ୍ଠରୋଧ କରାଯାଇଛି ବୋଲି କୁହାଯାଇଛି । ଏହା ସତ୍ତ୍ୱେ ବି ଏସବୁକୁ ଗୁରୁତ୍ୱ ନଦେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଘଟଣା ଏତିକିରେ ଥମିବନି । ଆଗକୁ ଆହୁରି ଲମ୍ବିବ ବୋଲି କୁହାଯାଉଛି । ଉଭୟ ପକ୍ଷ କେତେଦୂର ଆଗକୁ ଯାଉଛନ୍ତି ତାହା ଦେଖିବାର କଥା । ସବୁଠାରୁ ଗୁରୁତର କଥା ହେଉଛି ଓଡ଼ିଶ।।ର ଜନସାଧାରଣ ଏହି ଘଟଣାକୁ ନେଇ ଭବିଷ୍ୟତରେ କି ମତ ରଖିବେ ତାହା ଉପରେ ହିଁ ସବୁ ନିର୍ଭର କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking