ରାଉରକେଲା: ପୁରୁଷ ହକି ବିଶ୍ୱକପର ପ୍ରଥମ ଦିନରେ କମ୍ପିଛି ରାଉରକେଲା ସହର । ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨-୦ରେ ସ୍ପେନକୁ ମାତ୍ ଦେଇ ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ । ତେବେ ମୁଖ୍ୟମନ୍ତ୍ରୀ ପଠାଇଥିବା ନିମନ୍ତ୍ରଣ ରକ୍ଷା କରି ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ ସିକିମ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରେମ ସିଂ ତମାଙ୍ଗ । ଷ୍ଟାଡିୟମରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସହ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ହକି ଇଣ୍ଡିଆର ସାଧାରଣ ସମ୍ପାଦକ ଭେଳାନାଥ ସିଂଙ୍କ ସମେତ ଏଫଆଇଏଚ ସଭାପତି ତୟବ ଇକ୍ରାମ ଏବଂ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ହକି ମ୍ୟାଚ ଦେଖିବା ସହ ସିକିମ ମୁଖ୍ୟମନ୍ତ୍ରୀ ଭାରତ ପାଇଁ ନିଜ ସମର୍ଥନ ଜଣାଇଥିଲେ । ହକି ଇଣ୍ଡିଆର ଜର୍ସି ପିନ୍ଧି ମ୍ୟାଚ ଦେଖିବାକୁ ପହଞ୍ଚିଥିଲେ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ।