27.1 C
Bhubaneswar
Saturday, July 27, 2024
Homeଓଡିଶାବିଜେପି ଉପରେ ବର୍ଷିଲେ ନବୀନ

ବିଜେପି ଉପରେ ବର୍ଷିଲେ ନବୀନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାରେ ପ୍ରଚାର ଆରମ୍ଭ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ପ୍ରବଳ ଖରାରେ ଲୋକଙ୍କ ବିପୁଳ ଉପସ୍ଥିତି ଯୋଗୁଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ୍‍ ଦେଇଥିଲେ । ନିଜର ଚିରାଚରିତ ବହୁତ କମ୍‍ କଥାରେ ସେ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ । ଲୋକଙ୍କ ଭିତରେ ଥିଲା ବିପୁଳ ଉତ୍ସାହ । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଥିଲା କଥା କମ୍‍, ବିପୁଳ ଜନ ସମର୍ଥନର ଏକ ଦର୍ଶନୀୟ ଉଦାହରଣ । ମୁଖ୍ୟମନ୍ତ୍ରୀ କହିଥିଲେ ଜୁଲାଇ ମାସରୁ ବିଜୁଳି ବିଲ ଆସିବ ନାହିଁ । ବିଜୁ ଜନତା ଦଳ ସରକାର ମାଗଣାରେ ଆପଣଙ୍କମାନଙ୍କୁ ବିଜୁଳି ଦେବେ । ଆପଣମାନେ ଖୁସି ତ ? ଏହାପରେ ବିପୁଳ ଉତ୍ସାହ, ଖୁସି ଓ କରତାଳିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ । ଲୋକଙ୍କ ମିଜାଜ୍‍ ଥିଲା ଖୁବ୍‍ ଉତ୍ସାହପ୍ରଦ ।

ନବୀନ ପଟ୍ଟନାୟକ ଭଲ କି ? ପଚାରିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଉଚ୍ଛ୍ୱସିତ ‘ହଁ’ରେ ପ୍ରତିଧ୍ୱନିତ ହେଇଥିଲା ସଭାସ୍ଥଳ । ବିଭିନ୍ନ ଜନ କଲ୍ୟାଣ ଯୋଜନାର ସୁଫଳ ସମ୍ପର୍କରେ ଜନମତ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି, ୫-ଟି ସ୍କୁଲ ରୂପାନ୍ତର, କାଳିଆ ଯୋଜନା, ନୂଆ-ଓ ଛାତ୍ରବୃତ୍ତି, ମମତା ଯୋଜନା ଆଦି ସବୁ ପ୍ରଶ୍ନରେ ଜନତା ଭରିଥିଲେ ‘ହଁ’ । ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି । ଆପଣ ସେମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ ।

ପ୍ରଚାରରେ ଯୋଗ ଦେଇ ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ରାଉରକେଲାକୁ ଓ ହକିକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି। ରାଉରକେଲା ରେ ରୂପାନ୍ତର ଆସିଛି.ବର୍ତ୍ତମାନର ରାଉରକେଲାକୁ ଦେଖିଲେ ବୁଝାପଡ଼େ । ହକି ବିଶ୍ୱକପ୍‍ ଆୟୋଜନ ବହୁ କଠିନ କାମ ଥିଲା । ମୁଖ୍ୟମନ୍ତ୍ରୀ ଦିନରାତି କଠିନ ପରିଶ୍ରମ କରି ଏହାକୁ ସଫଳ କରିଥିଲେ । ରାଉରକେଲ ଓ ସୁନ୍ଦରଗଡ଼ର ଗୌରବ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀ ପାଣ୍ଡିଆନ କହିଲେ ଯେ ନବୀନ ବାବୁ ଆପଣମାନଙ୍କ ପାଇଁ ନୂଆ ରାଉରକେଲା, ନୂଆ ରଘୁନାଥପାଲ୍ଲୀ ଗଠନ କରିବେ।

ବିଜେପିକୁ ଆକ୍ରମଣ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ତାଙ୍କ ନେତାଙ୍କୁ ପଚାରନ୍ତୁ ଯେ ପେଟ୍ରୋଲ, ଡିଜେଲ ଦର କମିଲା କି ? ରାଉରକେଲାରେ ସୁପର ସ୍ପେଶାଲିଟି ହସ୍‍ପିଟାଲ ହେଲା କି ? କିଛି ହେଲା ନାହି । ମୁଖ୍ୟମନ୍ତ୍ରୀ ଯାହା କହିଥାନ୍ତି ତାକୁ କାମରେ କରି ଦେଖାଇଥାନ୍ତି । ତା’ର ଉଦାହରଣ ଜିଲା ସଦର ମହକୁମା ଡାକ୍ତର ଖାନା ଏବଂ ବିଶ୍ୱ ସ୍ତରୀୟ ହକି ଷ୍ଟାଡିୟମ । ସେ ପୁଣି କହିଥିଲେ ଯେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ଥରେ ଶପଥ ନେବେ । ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍‍ ଛାଡ଼ କରିବେ, ବିଜୁଳି ବିଲ୍‍ ଛାଡ଼ ଯୋଗୁଁ ୯୦ ପ୍ରତିଶତ ପରିବାର ଉପକୃତ ହେବେ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡ ନଥିବା ଲୋକ କାର୍ଡ ପାଇବେ । ବି.ଏସ୍‍.କେ.ୱାଇରେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡ଼ି, ଆଶାକର୍ମୀ ପର୍ଯ୍ୟନ୍ତ ସମସ୍ତେ ସାମିଲ ହେବେ।

ସେ କହିଲେ ଯେ ଆପଣମାନେ ଜଣକୁ ୨୦ ବର୍ଷ ହେଲା ସଂସଦକୁ ପଠାଉଛନ୍ତି । ସେ ଆପଣଙ୍କ ପାଇଁ କିଛି କରିଛନ୍ତି କି ? କିନ୍ତୁ ନବୀନ ବାବୁ ଆପଣଙ୍କ ପାଇଁ ବହୁତ କିଛି କରିଛନ୍ତି । ପ୍ରତି ବ୍ଲକରେ ଆଷ୍ଟ୍ରୋଟର୍ଫ ହକି ପଡ଼ିଆ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ସ୍ୱାସ୍ଥ୍ୟ ସେବା ସୁବିଧା, ଉନ୍ନତ ଶିକ୍ଷା ବ୍ୟବସ୍ଥା ସବୁ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ ହେଲେ ରାଉରକେଲା, ସୁନ୍ଦରଗଡ଼ ର ବିକାଶ ପାଇଁ ଯାହା ବି କାମ ହୋଇଛି, ତା ଦୁଇ ଗୁଣ ବେଗ ରେ ଚାଲିବ । ଏହି ସଭାରେ ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତେଇବା ପାଇଁ ସେ ଅନୁରୋଧ କରିଥିଲେ । ତା’ପରେ ଦଳୀୟ ସାଂସଦ ପ୍ରାର୍ଥୀ ଶ୍ରୀ ଯୋଗେଶ ସିଂହ, ରାଉରକେଲା ବିଧାୟକ ପ୍ରାର୍ଥୀ ସାରଦା ନାୟକ ଓ ଲୋକସଭା କ୍ଷେତ୍ରର ଅନ୍ୟ ବିଧାନ ସଭା ପ୍ରାର୍ଥୀମାନେ ବିଜେଡିକୁ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ନିବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking