ଭୁବନେଶ୍ୱର: ବିଧାନସଭାରେ ଗତକାଲି ମୁଖ୍ୟମନ୍ତ୍ରୀ ରଖିଥିବା ବିବୃତିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ଜୟନାରାୟଣ କହିଛନ୍ତି,ଏଥିରୁ ସ୍ପଷ୍ଟ ହେଉଛି ମୁଖ୍ୟମନ୍ତ୍ରୀ ଧମକେଇବାଲାଗି ଚେଷ୍ଟା କରୁଛନ୍ତି ଯେ, ମୋତେ ଯିଏ ବିରୋଧ କରିବ ସେ ବିଧାନସଭାକୁ ଆସି ପାରିବ ନାହିଁ । ପୂର୍ବରୁ ବି ସେ ଏମିତି ଅନେକ ଚେଷ୍ଟା କରିଛନ୍ତି । କିନ୍ତୁ ଏଠି ଜନ ବିରୋଧୀ କିଏ ? ନବୀନ ପଟ୍ଟନାୟକ ହେଲେ ସବୁଠୁ ବଡ଼ ଜନ ବିରୋଧୀ । ବିକାଶର ସବୁଠୁ ବଡ଼ ବାଧକ ହେଲେ ନବୀନ ପଟ୍ଟନାୟକ । ସେ କେମିତି ବିଧାନସଭା ଫେରିବେ ସେ କଥା ନିଜେ ଚିନ୍ତା କରନ୍ତୁ । ସେ ଯେମିତି ଜନ ବିରୋଧୀ କାମ କରିଛନ୍ତି ଲାଗୁଛି ଆଉ ବିଧାନସଭା ଫେରିବେନି ।
ଏହାସହ ଜୟନାରାୟଣ କହିଛନ୍ତି, କିଏ ଜିତିବ କିଏ ହାରିବ ସେଇଟା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେନି। ହୁଏତ ସେ ବୁଥ କ୍ୟାପଚର,ସରକାରୀ କଳର ବ୍ୟବହାର କରି ବହୁତ ପ୍ରଭାବିତ କରୁଛନ୍ତି । ତା ସତ୍ତେ୍ୱ ମଧ୍ୟ ଆମେ ବିଧାନସଭାକୁ ଆସିଛୁ । ତାଙ୍କର ଦୟାରେ ନୁହେଁ ଲୋକଙ୍କ ଦୟାରେ ଆସିଛୁ । ଲୋକ ପୁଣି ଦୟା କଲେ ଆସିବୁ । ହୁଏତ ସେ ଚେଷ୍ଟା କରି ପାରନ୍ତି ଆମେ କେମିତି ବିଧାନସଭା ନ ଫେରି ପାରୁ । ୨୦୦୯ ରୁ ତ ପ୍ଲାନ କରୁଛନ୍ତି ମୋତେ କେମିତି ବିଧାନସଭାରେ ପୁରେଇ ଦେବେନି । ଯିଏ ଯିଏ ତାଙ୍କ ବିରୁଦ୍ଧରେ କହୁଛନ୍ତି ସେମାନଙ୍କୁ ବିଧାନସଭାରେ ନ ପୁରେଇ ଦେବାକୁ ଚେଷ୍ଟା କରନ୍ତି ନବୀନ ପଟ୍ଟନାୟକ ।