ନୂଆଦିଲ୍ଲୀ: କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଅଧୀନ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (କ୍ଷେତ୍ର ପରିଚାଳନା ପ୍ରଭାଗ) ଏନଏସଓ(ଏଫଓଡି), ବ୍ରହ୍ମପୁର କାର୍ଯ୍ୟାଳୟ ପକ୍ଷରୁ ଚଳିତ ମାସରେ ଜାତୀୟ ପରିସଂଖ୍ୟାନ ସର୍ବେକ୍ଷଣ କରାଯିବ । ଏହି କାର୍ଯ୍ୟାଳୟର ଅଧିକାରୀମାନେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସର୍ବେକ୍ଷଣ କରିବେ । ସେମାନେ କେତେକ ନିର୍ଦ୍ଦିଷ୍ଟ ପରିବାର, ଶିଳ୍ପ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ, ସେବା କ୍ଷେତ୍ର ଉଦ୍ୟୋଗ, କୃଷି ସଂସ୍ଥା ଏବଂ ପଞ୍ଜିକୃତ ସମିତିକୁ ଯାଇ ତଥ୍ୟ ଓ ସୂଚନା ସଂଗ୍ରହ କରିବେ । ବ୍ୟକ୍ତିଗତ ସାକ୍ଷାତ ଏବଂ ଧାର୍ଯ୍ୟ ସର୍ବେକ୍ଷଣ ଅନୁସୂଚୀ ଅନୁଯାୟୀ ଏହି ଅଧିକାରୀମାନେ ତଥ୍ୟ ସଂଗ୍ରହ କରିବେ । ସର୍ବେକ୍ଷଣରେ ସାମିଲ ଲୋକଙ୍କ ଠାରୁ ଗ୍ରହଣ କରାଯାଉଥିବା ତଥ୍ୟକୁ ସମ୍ପୂର୍ଣ୍ଣ ରୂପେ ଗୋପନୀୟ ରଖାଯିବ ଏବଂ ଏହାକୁ କେବଳ ପରିସଂଖ୍ୟାନ ଆଇନ ୨୦୦୮ର ବ୍ୟବସ୍ଥା ଅନୁଯାୟୀ ପରିସଂଖ୍ୟାନ ଉଦ୍ଦେଶ୍ୟ ନିମନ୍ତେ ଉପଯୋଗ କରାଯିବ । ପରିସଂଖ୍ୟାନ କାର୍ଯ୍ୟାଳୟର ଅଧିକାରୀମାନଙ୍କ ପାଖରେ ସରକାରୀ ପରିଚୟପତ୍ର ରହିବ ଏବଂ ସେମାନେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ଅନୁମତି ପତ୍ର ସାଙ୍ଗରେ ନେଇ ଯିବେ । ସର୍ବେକ୍ଷଣ ସମୟରେ ପାରିବାରିକ ଆୟ, ମୂଲ୍ୟ, ଅସଂଗଠିତ କ୍ଷେତ୍ର ଉଦ୍ୟୋଗ, ପ୍ରବାସ, ଋଣ ଓ ନିବେଶ ସ୍ଥିତି, ଶ୍ରମଶକ୍ତି ଆଦିର ତଥ୍ୟ ସଂଗ୍ରହ କରାଯିବ । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ମନୋନୀତ ଉତ୍ତରଦାତା ଜନସାଧାରଣଙ୍କୁ ସର୍ଭେ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ଏବଂ ସଠିକ୍ ସୂଚନା ପ୍ରଦାନ କରି ସେମାନଙ୍କର ପୂର୍ଣ୍ଣ ସହଯୋଗ ବୃଦ୍ଧି କରିବାକୁ ନିବେଦନ କରାଯାଇଛି। ସୂଚନାପ୍ରଦ ଶାସନ ଏବଂ ଦେଶର ସାମାଜିକ-ଆର୍ଥିକ ବିକାଶରେ ଯୋଗଦାନ ଦେଉଥିବା ଭରସାଯୋଗ୍ୟ ସରକାରୀ ପରିସଂଖ୍ୟାନ ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।










