ଭୁବନେଶ୍ୱର : ୨୦୨୪ ନିର୍ବାଚନକୁ ଲକ୍ଷ୍ୟ ରଖି ରାଜନୈତିକ ଦଳ ଗୁଡିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି ପକ୍ଷରୁ ଦୁଇ ଦିନିଆ କାର୍ଯ୍ୟକ୍ରମ ଗୁରୁବାର ଓ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ବିଜେପିର ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ନେବା ପରେ ଜେପି ନଡ୍ଡା ପ୍ରଥମ ଥର ପାଇଁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ । ଦଳୀୟ ନେତା କର୍ମକର୍ତ୍ତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ । ବିଜେଡି ପକ୍ଷରୁ ମଧ୍ୟ ଉଭୟ ନେତା ଓ କର୍ମକର୍ତ୍ତା ମାନଙ୍କ ଦୁଇ ଦିନିଆ ସମାବେଶ ଅନୁଷ୍ଟିତ ହୋଇଥିଲା । ବିଜେପି ରାଷ୍ଟ୍ରୀୟ ସଭାପତି ବିଜେଡି ସରକାରଙ୍କୁ ବା ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ଅତି କଟୁ ଭାଷାରେ ସମାଲୋଚନା କରିଥିଲେ । ବିଜେଡି ଏହାର ପ୍ରତି ଜବାବ ଦେବ ବୋଲି ରାଜନୈତିକ ମହଲରେ ବେଶ ଆଲୋଚନା ହେଉଥିଲା । କିନ୍ତୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପଦୁଟିଏ ବି ମୁହଁ ଖୋଲି କହିଲେ ନାହିଁ । ବିଜେପି ବିରୁଦ୍ଧରେ କି କେନ୍ଦ୍ର ସରକାର ବିରୁଦ୍ଧରେ ମୁହଁ ଖୋଲିଲେ ନାହିଁ । ଆଗାମୀ ଦିନରେ ଦଳୀୟ ନେତା ଓ କର୍ମକର୍ତ୍ତା ମାନେ କଣ କହିବେ ସେ ସମ୍ପର୍କରେ ପରାମର୍ଶ ଦେବା ବେଳେ ବିଜେପି ବିରୁଦ୍ଧରେ ମୁହଁ ନ ଖୋଲିବା ଆଶ୍ଚର୍ଯ୍ୟ କରିଛି । କେବଳ ନିଜ ସରକାରଙ୍କ ସଫଳତା ଲୋକଙ୍କ ଆଗରେ ବଖାଣିବା ଓ ଲୋକଙ୍କ ସମସ୍ୟା ବୁଝିବା ପାଇଁ ପରାମର୍ଶ ଦେଇଥିଲେ । ନବୀନଙ୍କ ଏହି ଆଭିମୁଖ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ଦୁଇ ଦଳର ସମାବେଶ ଯେତେବେଳେ ହେଉଛି ସେତେବେଳେ ସ୍ୱଭାବିକ ଭାବେ ଉଭୟ ପକ୍ଷ ପରସ୍ପରକୁ ଆକ୍ଷେପ କରିବାର ଦେଖାଯାଇଥାଏ । କିନ୍ତୁ ଏଥର ବ୍ୟତିକ୍ରମ ଦେଖାଦେଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଯେ କେନ୍ଦ୍ର ବିରୁଦ୍ଧରେ କି ବିଜେପି ବିରୁଦ୍ଧରେ ପୂର୍ବରୁ କିଛି କହି ନାହାନ୍ତି ତାହା ନୁହେଁ ବିଧାନସଭା ଭିତରେ ଓ ବାହାରେ ଅନେକ ଥର ମାଡ ମାରିଛନ୍ତି । ଏଥର କାହିଁକି ସେ ପାଟି ଖୋଲିଲେ ନାହିଁ ତାହା ସମସ୍ତଙ୍କୁ ଚକିତ କରିଛି । ଅବଶ୍ୟ ସୈାଜନ୍ୟତା ଦୃଷ୍ଟିରୁ ନଡ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଧରି ନ ଥିଲେ , କିନ୍ତୁ ତାଙ୍କ ସରକାରଙ୍କ ବିରୁଦ୍ଧରେ ଯେଉଁ ସବୁ ସାଂଘାତିକ ଆରୋପ ମାନ କରି କଳଙ୍କିତ କରିବାକୁ ଉଦ୍ୟମ କଲେ ତାହାକୁ କିଭଳି ଭାବରେ ଏକ ଦଳର ସଭାପତି ଓ ସରକାର ମୁଖିଆ ଭାବେ ହଜମ କରିଗଲେ , ତାହା ହେଉଛି ସବୁଠରୁ ବଡ ପ୍ରଶ୍ମ । ନଡ୍ଡା ପ୍ରଥମେ ନବୀନ ପଟ୍ଟନାୟକଙ୍କ ଦଳକୁ ସମାଲୋଚନା କରିଥିଲେ । ପାରିବାରିକ ଓ ଏକଛତ୍ରବାଦ ଦଳ ଭାବେ କଂଗ୍ରେସକୁ ଆକ୍ଷେପ କରିବାକୁ ଯାଇ ବିଭିନ୍ନ ରାଜ୍ୟରେ ଚାଲିଥିବା ସରକାରକୁ ସମାଲୋଚନ କରିବା ବେଳେ ଓଡିଶାରେ ବିଜେଡି କଥା ଉଲ୍ଲେଖ କରିଥିଲେ । ଏହା ପରେ ସେ ନବୀନଙ୍କ ସରକାରକୁ ସମାଲୋଚନା କରିଥିଲେ । ରାଜ୍ୟରେ ଏକ ଭ୍ରଷ୍ଟାଚାରୀ ସରକାର ଚାଲିଛି , କୁଶାସନ ଚାଲିଛି , ରକ୍ଷକ ଭକ୍ଷକ ହୋଇଛନ୍ତି , ତିନି ମନ୍ତ୍ରୀଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ରହିଛି , ରତ୍ନ ଭଣ୍ଡାର ଚାବି କଥା ଉଠେଇ ଡୁପ୍ଲିକେଟ ସରକାର ଚାଲିଛି ବୋଲି ମଧ୍ୟ ଆକ୍ଷେପ କରିଥିଲେ , କେନ୍ଦ୍ରୀୟ ଯୋଜନାକୁ ଚଞ୍ଚକତା କରି ନିଜ ନାମରେ ନେଇଛନ୍ତି , ଲୋକଙ୍କୁ ଚିକିତ୍ସା ସୁବିଧା ମିଳୁନାହିଁ , ରାସ୍ତାରେ ଗର୍ଭବତୀ ପ୍ରସବ କରୁଛନ୍ତି , ଟଲିରେ ବୁହା ହେଉଛନ୍ତି , ଲୋକଙ୍କୁ ଶୁଦ୍ଧ ପିଇବା ପାଣି ମିଳୁନି ଏଭଳି ଅନେକ ସଙ୍ଗୀନ ଅଭିଯୋଗ ମାନ ଆଣି ସରକାରଙ୍କୁ କଳଙ୍କିତ କରିବା ପାଇଁ ଉଦ୍ୟମ କରିଥିଲେ । ଏ ସରକାର କୁ ଓପାଡି ଫୋପାଡି ଦେବା ପାଇଁ ନେତା ଓ କର୍ମକର୍ତ୍ତା ମାନଙ୍କୁ ଶ୍ରୀ ନଡ୍ଡା ଆହ୍ୱାନ ଦେଇଥିଲେ ।
ବିଜେଡି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯେତେବେଳେ ଭର୍ଚୁଆଲ ମାଧ୍ୟମରେ ତାଙ୍କ ବକ୍ତବ୍ୟ ରଖିଥିଲେ ସେତେବେଳେ ଅବଶ୍ୟ ନଡ୍ଡା ତାଙ୍କ କର୍ମକ ର୍ତ୍ତାଙ୍କୁ ଉଦବୋଧନ ଦେଇନଥିଲେ କିନ୍ତୁ ଗତକାଲି ନଡ୍ଡା ଆକ୍ଷେପ କରିବା ପରେ ଆଜି ଯେତେବେଳେ ଦଳୀୟ ନେତା କର୍ମ କର୍ତ୍ତାଙ୍କୁ ପୁଣି ନବୀନ ତାଙ୍କ ଶେଷ ବାର୍ତ୍ତା ଦେଇଥିଲେ ସେତେବେଳେ ଆଶା କରାଯାଉଥିଲା ବିଜେପିର ରାଷ୍ଟ୍ରୀୟ ସଭାପତି ଯେଭଳି ଭାବରେ ବିଜେଡି ଓ ସରକାରକୁ ବଦନାମ କରିବା ପାଇଁ କଳଙ୍କର କାଳୀମା ଲଗାଇବା ପାଇଁ ଉଦ୍ୟମ କରିଥିଲେ ସେତେବେଳେ ନବୀନ ତାହାର ପ୍ରତି ଜବାବ ନିଶ୍ଚୟ ଦେବା କଥା । କା ର୍ଯ୍ୟକ୍ରମରେ ଦଳର କିଛି ନେତା ଓ କର୍ମକର୍ତ୍ତା ଅବଶ୍ୟ କେନ୍ଦ୍ର ବିଜେପି ବିରୁଦ୍ଧରେ କିଛି ମତ ରଖିଥିଲେ କିନ୍ତୁ ସଭାପତି ଓ ମୁଖ୍ୟମନ୍ତ୍ରୀ ଭାବେ ନବୀନ ନ କହିଲେ ଅନ୍ୟମାନ ଯିଏ ଯେତେ କହିଲେ ବି ତାହା ସେତେଟା ଗୁରୁତ୍ୱ ବହନ କରିବ ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତ ଦେଇଛନ୍ତି । ନବୀନଙ୍କ କଥାର ଗୁରୁତ୍ୱ ଯେତେ ବହନ କରିବ ଦଳର ଅନ୍ୟ କେହି ଯେତେ କହିଲେ ବି ତାହା ସେତେ ଗୁରୁତ୍ୱ ଦେବ ନାହିଁ । ଏତେ କଥାକୁ ନବୀନ କିଭଳି ଭାବରେ ହଜମ କଲେ ଏବଂ ଏ ହଜମ ପଛର ରହସ୍ୟ କଣ ତାକୁ ନେଇ ଏବେ ବିଭିନ୍ନ ମହଲରେ ଆଲୋଚନା ଚାଲିଛି ।