37.1 C
Bhubaneswar
Saturday, May 18, 2024
Homeଓଡିଶାଠିକାଦାରଙ୍କ କବ୍‌ଜାରେ ମୋ କୁଡ଼ିଆ ଆବାସ

ଠିକାଦାରଙ୍କ କବ୍‌ଜାରେ ମୋ କୁଡ଼ିଆ ଆବାସ

ଫୁଲବାଣୀ: ଜଣେ ଯୋଗ୍ୟ ହିତାଧିକାରୀ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪ ମସିହାରେ ପ୍ରଦାନ କରାଯାଉଥିବା ମୋ କୁଡ଼ିଆ ଆବାସ ଯୋଜନାରେ ନିର୍ମିତ ବାସଗୃହ ଆଜିକୁ ୫ ବର୍ଷ ହେଲା ଠିକାଦାରଙ୍କ ହାତରେ । ଯେତେ ନେହୁରା ହେଲେ ମଧ୍ୟ ଘର ମିଳୁନାହିଁ । ଶେଷରେ ନ୍ୟାୟ ପାଇବା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଅସହାୟ ମା’ ଓ ଭିନ୍ନକ୍ଷମ ପୁଅ । ଏଭଳି ଏକ ଅଭିଯୋଗ ଲିଖିତ ଭାବେ ପ୍ରଦାନ କରିଛନ୍ତି କନ୍ଧମାଳ ଜିଲ୍ଲା ଟିକାବାଲି ପଞ୍ଚାୟତର ବ୍ୟାଘ୍ରଦେବୀ ସାହିର ଲିଲିମା ନାୟକ ଓ ତାଙ୍କର ୫ ବର୍ଷର ଭିନ୍ନକ୍ଷମ ପୁଅ । ଜିଲ୍ଲାପାଳଙ୍କୁ ଲିଲିମା ଦେଇଥିବା ଅଭିଯୋଗ ପ୍ରକାରେ, ସେ ଜଣେ ଅତ୍ୟନ୍ତ ଗରିବ ଓ ନିଃସହାୟ ବିଧବା ।

ବାରମ୍ବାର ଆବେଦନ ପରେ ଗତ ତା୩୧.୭.୨୦୧୪ରିଖରେ ଖାତା ନମ୍ବର ୯୫ା୨୦୦ ଓ ପ୍ଳଟ ନମ୍ବର ୭୩୩/୭୭୧ରେ ମୋ କୁଡ଼ିଆ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ତାଙ୍କ କାର୍ଯ୍ୟାଦେଶ ମିଳିଥିଲା । ତେବେ ସେ ଜଣେ ବିଧବା ସହିତ ଜଣେ ଭିନ୍ନକ୍ଷମ ପୁଅକୁ ଧରି ନିଜେ ଘର କରିବା ତାଙ୍କ ପକ୍ଷେ ସମ୍ଭବ ନଥିବା ଯୋଗୁଁ ଟିକାବାଲି ଅଞ୍ଚଳର ଜଣେ ଠିକାଦାରଙ୍କୁ ଉକ୍ତ ଗୃହ ନିର୍ମାଣ ପାଇଁ ଦାୟିତ୍ୱ ଦେଇଥିଲେ । ୨ ବର୍ଷ ମଧ୍ୟରେ ସରକାରୀ ସ୍ତରରେ ଯେଉଁ ଟଙ୍କା ଆସିଥିଲା ତାହାକୁ ସେ ସମ୍ପୃକ୍ତ ଠିକାଦାରଙ୍କୁ ପ୍ରଦାନ ସହିତ ୨ ବର୍ଷ ମଧ୍ୟ ସେ ନିଜେ ନିଜ ଘରର କୁଲି ମଜୁରି କାମ କରିଛନ୍ତି । ତେବେ ଯେଉଁ ପ୍ଳଟରେ ଘର କାମ ଆରମ୍ଭ ହୋଇଥିଲା ସେଠାରେ ପୂର୍ବରୁ ଥିବା ଅସ୍ଥାୟୀ ଘରେ ତାଙ୍କର ବହୁ ଘର ସାମଗ୍ରୀ ଜିନିଷ ଥିବା ବେଳେ ବର୍ତ୍ତମାନ ଉକ୍ତ ଘର ସାମଗ୍ରୀ ମଧ୍ୟ ଠିକାଦାର ପ୍ରଦାନ କରୁନାହାନ୍ତି ।

ଏପରିକି ୫ ବର୍ଷ ମଧ୍ୟରେ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଠିକାଦାର ଜଣକ ଆଜି ପର୍ଯ୍ୟନ୍ତ ଉକ୍ତ ଗୃହକୁ ଲିଲିମାଙ୍କୁ ପ୍ରଦାନ କରୁନାହାନ୍ତି ବୋଲି ସେ ଲିଖିତ ଭାବେ ଅଭିଯୋଗ କରିବା ସହିତ ଏଥିରେ ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ କରି ତାଙ୍କୁ ତାଙ୍କର ବାସଗୃହ ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି । ତାଙ୍କ ନାମରେ ମୋ କୁଡ଼ିଆ ଯୋଜନାରେ ଉକ୍ତ ବାସଗୃହ ଯୋଗାଇ ଦିଆଯାଇଥିବା ବେଳେ ଏନେଇ ବାରମ୍ବାର ଟିକାବାଲି ବ୍ଲକ ପ୍ରଶାସନ ଓ ଟିକାବାଲି ପଞ୍ଚାୟତରେ ଅଭିଯୋଗ କରିଥିଲେ ମଧ୍ୟ କେହି ମଧ୍ୟ କିଛି ପଦକ୍ଷେପ ଗ୍ରହର କରିନଥିବା ଯୋଗୁଁ ସେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ବର୍ତ୍ତମାନ ରହିବା ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନଥିବା ଯୋଗୁଁ ବାଧ୍ୟ ହୋଇ ନିଜେ ଲିଲିମା ଓ ତାଙ୍କର ଭିନ୍ନକ୍ଷମ ପୁଅ କେତେବେଳେ ହୋଟେଲ୍ ବାରଣ୍ଡାରେ ତ ପୁଣି କେତେବେଳେ କେଉଁଠାରେ ଜୀବନ ବିତାଉଥିବାର ମଧ୍ୟ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଏଭଳି ସ୍ଥଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହଯୋଗର ହାତ ବଢ଼ାଇବା ପାଇଁ ସେ ନିବେଦନ କରିଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking