ମୁନିଗୁଡ଼ା : ରାୟଗଡା ଜିଲ୍ଲାରେ ଯେତେଗୁଡିଏ ପୁରୁଣା ସରକାରୀ ଡାକବଙ୍ଗଳା ଅଛି ସେଥିମଧ୍ୟରୁ ବହୁତ ପୁରାତନ ଫରେଷ୍ଟ ଡାକବଙ୍ଗଳା ମୁନିଗୁଡାରେ ଅବସ୍ଥିତ । ଏହି ବଙ୍ଗଳାଟି ସତୁରି ଦଶକର ପ୍ରଥମାର୍ଦ୍ଧରେ ନିର୍ମିତ ହୋଇଥିବା ଜଣାଯାଏ । ଅନେକ ଐତିହ୍ୟ ଓ କିମ୍ବଦନ୍ତିର ମୂକସାକ୍ଷୀ ଏହି ଅଟ୍ଟାଳିକାରେ ଆମ ରାଜ୍ୟର ସେସମୟର ଅନେକ ପ୍ରତିଷ୍ଠିତ ରାଜନୈତିକ ବ୍ୟକ୍ତି ବିଶେଷ, ଗୁଣୀଜ୍ଞାନୀ ପ୍ରଜ୍ଞାପୁରୁଷ ଓ ପ୍ରଶାସନିକ ଉଚ୍ଚ ପଦାଧିକାରୀ ଏହି ସବୁଜିମାମୟ ଶାନ୍ତ ପରିବେଶରେ ସମୟ ବିତାଇଛନ୍ତି । ଦକ୍ଷିଣ ଓଡ଼ିଶାର ଏହି ପ୍ରମୁଖ ନଗରୀରେ ଥିବା ଏହି ସରକାରୀ ଆଶ୍ରୟସ୍ଥଳରେ ଅବିଭକ୍ତ କୋରାପୁଟ ଅଞ୍ଚଳର ଅନେକ ଉନ୍ନୟନର ବିଚାରବିମର୍ଷ ତଥା ସ୍ୱପ୍ନକୁ ସାକାର ରୂପ ଦିଆଯାଇଛି ।
ଏ ଅଞ୍ଚଳର ଅନେକ ସ୍ୱପ୍ନର ଏନ୍ତୁଡ଼ିଶାଳ ଏହି ଡାକ ବଙ୍ଗଳାଟି ଅନେକଦିନୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର କରିବାକୁ କାହାରି ଆନ୍ତରିକତା ଥିଲା ଭଳି ଲାଗୁନାହିଁ । ଏ ବିଷୟ ନେଇ ଗତ ତିନି ବର୍ଷ ପୂର୍ବେ ସେ ସମୟର ରିଜିଓନାଲ ଚିଫ୍ କଞ୍ଜର୍ଭେଟି ଅଫ ଫରେଷ୍ଟ କୋରାପୁଟ ସର୍କଲର ମୁଖ୍ୟ ପ୍ରଫୁଲ୍ଲ କୁମାର ମଲ୍ଲିକ(ଆଇଏଫଏସ) ରାୟଗଡା ଡିଓଫୋ ହନିଫ ମହମ୍ମଦ ଏହି ଅଞ୍ଚଳ ଗସ୍ତ ସମୟରେ ଏହି ଐତିହ୍ୟ ମଣ୍ଡିତ ଜରାଜୀର୍ଣ୍ଣ ଡାକ ବଙ୍ଗଳାଟିକୁ ଦେଖି ଦୁଃଖ ପ୍ରକାଶ କରିବା ସହିତ ସେସମୟର ରେଞ୍ଜର ଅନୀଲ କୁମାର ରାୟଙ୍କୁ ଏହାର ପୁନରୁଦ୍ଧାର ଓ ଏହାକୁ ଏକ ଫରେଷ୍ଟ ପାର୍କରେ ରୂପାନ୍ତର ପାଇଁ ପରାମର୍ଶ ଦେଇଥିଲେ । ଏଥିପାଇଁ ସେ ବ୍ୟକ୍ତିଗତ ନିଶ୍ଚୟ ଉଦ୍ୟମ କରିବେ ବୋଲି ନିଜ ପ୍ରତିକ୍ରିୟାରେ ଆମ ପ୍ରତିନିଧିଙ୍କୁ ଅବଗତ କରିଥିଲେ । ଏହା ମଧ୍ୟରେ ଅନେକ ବର୍ଷ ବିତିଗଲାଣି । ଅନେକ ପ୍ରଶାସନିକ ଉଚ୍ଚ ପଦାଧିକାରୀ ଅନ୍ୟତ୍ର ଚାଲିଗଲେଣି । ହେଲେ ଏହାର ଜରାଜୀର୍ଣ୍ଣ ରୂପ ବଦଳୁନାହିଁ । ବିସ୍ତୀର୍ଣ୍ଣ ବନଭୂମି ଓ ସବୁଜିମାମୟ ପାର୍ବତ୍ୟାଞ୍ଚଳ ମଧ୍ୟରେ ଥିବା ଏହି ସୁନ୍ଦର ଡାକବଙ୍ଗଳାଟି ମୁନିଗୁଡା-ବାଲିଗୁଡା ମୁଖ୍ୟ ରାଜ୍ୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ । ମୁନିଗୁଡ଼ାର ପ୍ରବେଶ ଦ୍ୱାରରେ ଥିବା କାରଣରୁ ଏହା ବ୍ୟସ୍ତବହୁଳ ବ୍ୟବସାୟିକ ପେଣ୍ଠ । ଜନବସତିଠାରୁ ସାମାନ୍ୟ ଦୂରରେ ଏହା ନିର୍ମାଣ ହୋଇଥିଲା । ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ବଙ୍ଗଳାଟି ସେ ସମୟରେ ଅନେକ ଆକର୍ଷକ ଓ ପ୍ରକୃତିମୟ ଥିଲା । ଆଜି କର୍ପୂର ଉଡ଼ିଗଲେ ବି କନା ପଡି ରହିଥିବା ଭଳି ଏହି ସ୍ଥାନର ଉଜୁଡା କୀର୍ତ୍ତିରାଜି ଅନେକ ପ୍ରକୃତିପ୍ରେମୀଙ୍କୁ ବ୍ୟଥିତ କରୁଛି । ଏହା ମଧ୍ୟରେ ଦୁଇଜଣ ବନବିଭାଗ ଜିଲ୍ଲା ଅଧିକାରୀ ଅନ୍ୟତ୍ର ଚାଲିଗଲେଣି । ମୁନିଗୁଡ଼ା ଫରେଷ୍ଟ ରେଞ୍ଜର ମଧ୍ୟ ଦୁଇଜଣ ଦକ୍ଷ ପ୍ରଶାସକ ଅନ୍ୟ ଜିଲ୍ଲାକୁ ପଦୋନ୍ନତିରେ ଚାଲିଗଲେଣି । ହେଲେ ମୁନିଗୁଡ଼ାର ପ୍ରବେଶ ପଥରେ ଦୁଃଖିନୀ ଅହଲ୍ୟା ଭଳି ଏହି ଡାକବଙ୍ଗଳାଟି ଜୀବନ୍ୟାସ ପାଇବା ପାଇଁ ଯେପରି କେଉଁ ଅନନ୍ତ କାଳରୁ କାହାକୁ ଅପେକ୍ଷା କରି ବସିରହିଛି । ଏବେ ଏହି ବନଭୂମି ପରିବେଶ ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଛି । ରାତ୍ରି ଆସିଲେ ଅନ୍ଧକାର ମଧ୍ୟରେ ଚାଲେ ମଦ୍ୟପଙ୍କ ଆସର । ସକାଳ ହେଲେ ଏଠାରେ ଦେଖିବାକୁ ମିଳେ ଭଙ୍ଗା ମଦ ବୋତଲ ଆଉ ଚାଖଣ ଦନାର ଇତସ୍ତତ ସମାହାର । ଗଲା ଦୁଇ ବର୍ଷ ପୂର୍ବେ ସଞ୍ଜୟ ପଣ୍ଡା ନାମରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଏଠାରୁ ଉଦ୍ଧାର ହୋଇଥିଲା । ଯଦି ଏହି ବନାଞ୍ଚଳ ଓ ଏହାର ଐତିହ୍ୟ ଡାକବଙ୍ଗଳାର ପୁନଃରୁଧାର ସହ ଏକ ଟୁରିଜିମ୍ ବଙ୍ଗଳା ଓ ଏକୋ ପାର୍କ ବ୍ୟବସ୍ଥା ବିଭାଗ ତରଫରୁ କରାହୁଅନ୍ତା ତେବେ ଅନେକ କର୍ମକ୍ଳାନ୍ତ ଅଞ୍ଚଳବାସୀ, ପର୍ୟ୍ୟଟକ ଓ ବିଦ୍ୟାର୍ଥୀ ଏହି ଶୈଳନିବାସକୁ ଆସନ୍ତେ । ଏଥିପାଇଁ ବିଭାଗ ସର୍ବନିମ୍ନ ଅର୍ଥ ଆଦାୟ ବ୍ୟବସ୍ଥା କଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ଓ ଅନ୍ୟାନ୍ୟ ଖର୍ଚ୍ଚରେ ଏହା ସହାୟକ ହୋଇପାରନ୍ତା । ମୁନିଗୁଡାର ଐତିହ୍ୟମଣ୍ଡିତ ଏହି ଶୈଳନିବାସର ପୁନଃରୁଦ୍ଧାର ହେବା ସହ ଅନେକ ସମାସ୍ୟାର ସମାଧାନ ହୋଇପାରନ୍ତା ।