38.8 C
Bhubaneswar
Friday, April 19, 2024
Homeଓଡିଶାସ୍ୱାମୀଙ୍କ ମୃତ୍ୟୁପରେ ଥଇଥାନ ଅପେକ୍ଷାରେ ମହିଳା : କିରାଣି, ପିଅନ ଭରସା ଦେଇ ଲୁଟିଲେ 

ସ୍ୱାମୀଙ୍କ ମୃତ୍ୟୁପରେ ଥଇଥାନ ଅପେକ୍ଷାରେ ମହିଳା : କିରାଣି, ପିଅନ ଭରସା ଦେଇ ଲୁଟିଲେ 

ବୌଦ୍ଧ : ଜଣେ ସରକାରୀ କର୍ମଚାରୀ ଚାକିରିରେ ଥାଇ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ ଥଇଥାନ ଯୋଜନାରେ ସହାୟତା ଯୋଗାଇଦେବା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ ହୋଇଥାଏ । ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ପରିବାରକୁ ତୁରନ୍ତ ପେନ୍‌ସନ୍ ଓ ଥଇଥାନ ଯୋଜନାରେ ଚାକିରି ଯୋଗାଇଦେବାକୁ ସରକାର କଡ଼ାକଡ଼ି ନିୟମ ଲାଗୁ କରିଛନ୍ତି । କିନ୍ତୁ ବୌଦ୍ଧ ଜିଲ୍ଲାର ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ବିଧବା ପତ୍ନୀ ଓ ଝିଅ ସରକାରୀ ସୁବିଧା ଓ ନିଜର ନ୍ୟାର‌୍ୟ୍ୟ ପ୍ରାପ୍ୟ ପାଇବାକୁ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟଠାରୁ ସଚିବାଳୟ ପର‌୍ୟ୍ୟନ୍ତ ଧାଇଁ ଧାଇଁ ନିରାଶ ହୋଇଛନ୍ତି । ପୁଣି ଜିଲ୍ଲାର ଜଣେ କିରାଣି ଓ ପିଅନଙ୍କ ଦ୍ୱାରା ଆର୍ଥିକ ଶୋଷଣର ଶିକାର ହୋଇ ପୁଣି ଥରେ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗୁଡଭେଲିପଦର ଗ୍ରାମର ହାଡ଼ିବନ୍ଧୁ ସାହୁ ଗ୍ରାମସେବକ ଭାବରେ କାର‌୍ୟ୍ୟ କରୁଥିବାବେଳେ ଗତ ୨୦୧୬ ମାର୍ଚ୍ଚ ୨୭ ତାରିଖରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା । ହାଡ଼ିବନ୍ଧୁଙ୍କ ମୃତ୍ୟୁ ପରେ ତାଙ୍କର ବିଧବା ପତ୍ନୀ ଶାନ୍ତିଲତା ସ୍ୱାମୀଙ୍କ ଗ୍ରାଚ୍ୟୁଇଟି ଟଙ୍କା, ରେଗୁଲାର ପେନଶନ ଓ ଥଇଥାନ ଯୋଜନାରେ ସରକାରୀ ଯୋଗାଇଦେବାକୁ ବାରମ୍ବାର ହରଭଙ୍ଗା ବିଡିଓ, ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଏବଂ ଓଡ଼ିଶା ସଚିବାଳୟକୁ ଧାଇଁ ଧାଇଁ ଶେଷରେ ନିରାଶ ହୋଇଥିଲେ । ଶେଷରେ ଜିଲ୍ଲା ପଞ୍ଚାୟତ କାର‌୍ୟ୍ୟାଳୟର କିରାଣି ରାଜଗୋପାଳ ମହାପାତ୍ର ଓ ପିଅନ ଜୟଦେବ ସାହୁ ଏହି ଅସହାୟ ପରିବାରର ସମସ୍ତ କାମ କରାଇଦେବାର ପ୍ରତିଶ୍ରୁତି ଦେଇ ମୃତ ହାଡ଼ିବନ୍ଧୁଙ୍କ ପୁଅ ନୟନ ବାଘଙ୍କ ନିକଟରୁ ୧୯ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଏହାବ୍ୟତୀତ ଅରୁଆ ଚାଉଳ ଓ ଦୁଇଟି ଗଞ୍ଜା କୁକୁଡ଼ା ମଧ୍ୟ ଲାଞ୍ଚ ଆକାରରେ ନେଇଥିଲେ । ଏହାପରେ ଚାକିରି ପାଇଁ ୩ ମାର୍କ କମିଗଲା କହି ପୁଣି ଥରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଦେବାକୁ ପଡ଼ିବ କହି ପିଅନ ଜୟଦେବ ୫୦ ହଜାର ଟଙ୍କା ମାଗିଥିଲେ । କିନ୍ତୁ ଶାନ୍ତିଲତା ଏତେ ଟଙ୍କା ଦେବାକୁ ତାଙ୍କର ସାମର୍ଥ୍ୟ ନଥିବା ଜଣାଇଥିଲେ । କାମ ନ ହେବାରୁ ଟଙ୍କା ଫେରାଇଦେବାକୁ ଶାନ୍ତିଲତା ଉକ୍ତ ପିଅନ ଓ କିରାଣିଙ୍କୁ କହିବା ପରେ ସେମାନେ ଟଙ୍କା ନ ଫେରାଇବାରୁ ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଝିଅର ବାହାଘର ମାର୍ଚ୍ଚ ୮ ତାରିଖରେ ଥିବାରୁ ସରକାର ତାଙ୍କର ନ୍ୟାର‌୍ୟ୍ୟ ପ୍ରାପ୍ୟ ପ୍ରଦାନ କରିବାକୁ ଏହି ଅସହାୟ ପରିବାର ନିବେଦନ କରିଛନ୍ତି । ସୂଚନାଯୋଗ୍ୟଯେ, ଗତ ଏକ ବର୍ଷ ତଳେ ଏହି ଅସହାୟ ପରିବାର ବୀମା ଟଙ୍କା ନପାଇ ବିଧାନସଭା ଆଗରେ ଧାରଣାଦେବାକୁ ଯାଉଥିବାବେଳେ ପୁଲିସ ଦ୍ୱାରା ଗିରଫ ହୋଇଥିଲେ । ଶେଷରେ ପୁଲିସ ସହାୟତାରେ ସଚିବାଳୟର ଉଚ୍ଚ ପଦାଧିକାରୀଙ୍କ ହସ୍ତକ୍ଷେପ ପରେ ୧ ଲକ୍ଷ ୫୭ ହଜାର ଟଙ୍କା ବୀମା ରାଶି ମିଳିଥିଲା । ବର୍ତ୍ତମାନ ଆଉ ଭୁବନେଶ୍ୱର ଯାଇ ଗୁହାରି କରିବାକୁ ସମ୍ବଳ ନଥିବାରୁ ସରକାର ତାଙ୍କ ସ୍ୱାମୀର ମୃତ୍ୟୁ ପରେ ଥଇଥାନ ଯୋଜନାରେ ପୁଅକୁ ଚାକିରି ସହ ପରିବାରକୁ ରେଗୁଲାର ପେନ୍‌ସନ୍ ଓ ଗ୍ରାଚ୍ୟୁଇଟି ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking