21.1 C
Bhubaneswar
Friday, January 24, 2025
Homeଓଡିଶା୩ ମହାନଗର ନିଗମ ପୋଛିନେଲା ଶାସକ ଦଳ : ସୁଲୋଚନା ବିଏମସିର ପ୍ରଥମ ମହିଳା ମେୟର

୩ ମହାନଗର ନିଗମ ପୋଛିନେଲା ଶାସକ ଦଳ : ସୁଲୋଚନା ବିଏମସିର ପ୍ରଥମ ମହିଳା ମେୟର

ଭୁବନେଶ୍ୱର:  ରାଜ୍ୟରେ ମୋଟ ୫ଟି ମହାନଗର ନିଗମ ଥିବାବେଳେ ରାଉରକେଲା ଓ ସମ୍ବଲପୁରକୁ ନେଇ କୋର୍ଟରେ ମାମଲା ଚାଲିଥିବାରୁ ସେଠାରେ ମତଦାନ ହୋଇନଥିଲା । ତେବେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ନିର୍ବାଚନ ହୋଇଥିବା ବେଳେ ୩ଟି ସ୍ଥାନରେ ବିଜେଡି ମେୟର ପ୍ରାର୍ଥୀ ବିଜୟଲାଭ କରିଛନ୍ତି । ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ଜିତିକରି ବିଏମସିର ପ୍ରଥମ ମହିଳା ମେୟର ହେବାକୁ ଯାଉଛନ୍ତି । ସୁଲୋଚନାଙ୍କୁ ମୋଟ ୧ ଲକ୍ଷ ୭୪ ହଜାର ୫୬୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସୁନୀତି ମୁଣ୍ଡଙ୍କୁ ୧ ଲକ୍ଷ ୧୩ ହଜାର ୪୧୯ ଖଣ୍ଡ ଭୋଟ୍ ମିଳିଥିଲା । କଡ଼ା ମୁକାବିଲା ଭିତରେ ସୁଲୋଚନା ୬୧ ହଜାର ୧୪୩ ଖଣ୍ଡ ଭୋଟରେ ସୁନୀତିଙ୍କୁ ହରାଇଛନ୍ତି । କଂଗ୍ରେସରୁ ମେୟର ପ୍ରାର୍ଥୀ ହୋଇଥିବା ମଧୁସ୍ମିତା ଆଚାର୍ଯ୍ୟ ୧୧ ହଜାର ୬ ଖଣ୍ଡ ଭୋଟ୍ ପାଇ ଅମାନତ ହରାଇଛନ୍ତି । ସେହିଭଳି ଭୁବନେଶ୍ୱର ମହାନଗର ନିଗମର ମୋଟ ୬୭ ୱାର୍ଡ଼ ମଧ୍ୟରୁ ୪୮ରେ ବିଜେଡି, ୧୦ରେ ବିଜେପି ଓ ୯ଟିରେ ସ୍ୱାଧୀନ କର୍ପୋରେଟର ପ୍ରାର୍ଥୀ ଜିତିକରି ଆସିଛନ୍ତି । ସେହିଭଳି କଟକରେ ବିଜେଡି ମେୟର ପ୍ରାର୍ଥୀ ସୁବାଷ ସିଂ ବାଜିମାତ୍ କରିଛନ୍ତି । ସୁବାଷଙ୍କୁ ୧ ଲକ୍ଷ ୧୩ ହଜାର ୫୬୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଗିରିବାଳା ବେହେରାଙ୍କୁ ୬୮ ହଜାର ୩୫୬ ଖଣ୍ଡ ଭୋଟ୍ ମିଳିଥିଲା ।

ସୁବାଷ ଗିରିବାଳାଙ୍କୁ ୪୫ ହଜାର ୨୦୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ବିଜେପି ପ୍ରାର୍ଥୀ ହୋଇଥିବା ଶ୍ରୀତମ ଦାସଙ୍କୁ ମିଳିଛି ୪୯ ହଜାର ୨୨୩ ଖଣ୍ଡ ଭୋଟ୍ । କଟକ ମହାନଗର ନିଗମରେ ଥିବା ୫୯ଟି ୱାର୍ଡ଼ ମଧ୍ୟରୁ ବିଜେଡି ୩୮ଟିରେ, କଂଗ୍ରେସ ୮ଟିରେ ଓ ବିଜେପି ୭ଟି ୱାର୍ଡ଼ରେ କର୍ପୋରେଟର ପଦ ଜିତିଛି । ଅନ୍ୟପଟେ ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ସଙ୍ଘମିତ୍ରା ଦଳେଇଙ୍କୁ ୬୬ ହଜାର ୬୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସବିତା ସୁଆରଙ୍କୁ ମିଳିଥିଲା ୪୫ ହଜାର ୭୮୨ ଖଣ୍ଡ ଭୋଟ୍ । ଲଢ଼େଇରେ ସଙ୍ଘମିତ୍ରା ସବିତାଙ୍କୁ ୨୦ ହଜାର ୨୮୬ ଖଣ୍ଡ ଭୋଟରେ ମାତ୍ ଦେଇଛନ୍ତି । ତୃତୀୟରେ ଆମ୍ ଆଦମୀ ପାର୍ଟି ତରଫରୁ ମେୟର ପ୍ରାର୍ଥୀନୀ ହୋଇଥିବା ସି ପ୍ରିୟଙ୍କା ୭ ହଜାର ୪୫୩ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀନୀ ମଞ୍ଜୁ ରଥ ୬ ହଜାର ୭୬୮ ଖଣ୍ଡ ଭୋଟ୍ ହାତେଇଛନ୍ତି । ବ୍ରହ୍ମପୁର ମହାନଗର ନିଗମର ମୋଟ ୪୨ ୱାର୍ଡ଼ ମଧ୍ୟରୁ ବିଜେଡି ୩୦ଟିରେ, ବିଜେପି ୭ଟିରେ, କଂଗ୍ରେସ ଗୋଟିଏରେ ଓ ସ୍ୱାଧୀନ ପ୍ରାର୍ଥୀ ୪ଟି ୱାର୍ଡ଼ରେ କର୍ପୋରେଟର ଭାବେ ଜିତିଛନ୍ତି । (ଅବିନାଶ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking