21.1 C
Bhubaneswar
Sunday, December 22, 2024
Homeଓଡିଶାନାକେଦମ୍ ହେଲା ପୁଲିସ: ପୌରନିର୍ବାଚନରେ ବେଲଗାମ୍ ହିଂସା

ନାକେଦମ୍ ହେଲା ପୁଲିସ: ପୌରନିର୍ବାଚନରେ ବେଲଗାମ୍ ହିଂସା

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ହଣାକଟା, ପୋଡ଼ାଜଳା ଭଳି ହିଂସାତ୍ମକ ଘଟଣା ପୌର ନିର୍ବାଚନଳରେ ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତି ସୃଷ୍ଟି ନହେବା ପାଇଁ ଓଡ଼ିଶା ପୁଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଆଇନଶୃଙ୍ଖଳା ବ୍ୟବସ୍ଥା କଡ଼ାକଡ଼ି କରିଥିଲା । ଏହାସତ୍ତ୍ୱେ ରାଜ୍ୟର ଅନେକ ଜିଲ୍ଲାର ସହରାଞ୍ଚଳରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଗୁରୁବାର ପୌରନିର୍ବାଚନ ଲାଗି ମତଦାନ ଚାଲିଥିବାବେଳେ ଅନେକ ବୁଥ୍‌ରେ ଇଭିଏମ୍ ତ୍ରୁଟିକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏମିତିକି କେତେକ ସ୍ଥାନରେ ଗୋଷ୍ଠୀ ସଙ୍ଘର୍ଷ ଓ ହଣାକଟା ଭଳି ପରିସ୍ଥିତି ଦେଖାଯାଇଛି । ଏହିସବୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ଠିକ୍ ସମୟରେ ପହଞ୍ଚିଥିଲେ ବି କିଛି ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୁଲିସ ଲୋକଙ୍କୁ ବୁଝାସୁଝା କରି ନାକେଦମ୍ ହୋଇଯାଇଛି । ତେବେ ୩ଟି ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରର କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଥିବାବେଳେ ବାକି ସବୁ ଶାନ୍ତିଶୃଙ୍ଖଳାରେ ମତଦାନ ଶେଷ ହୋଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ରମେଶ ଲେଙ୍କା ନାମକ ଜଣେ ଯୁବକଙ୍କୁ ଜନୈକ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରିଛନ୍ତି । ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମତଦାନ ଚାଲିଥିବାବେଳେ ଏଭଳି ଘଟଣା ଘଟିଯାଇଛି । ଧାମନଗର ୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥକୁ ରମେଶ ଭୋଟ୍ ଦେବା ପାଇଁ ଯାଇଥିଲେ । ବୁଥ୍ ଭିତରେ ସେ ଲାଇନରେ ଛିଡ଼ା ହୋଇଥିବାବେଳେ ସେକ୍ ଅସ୍ତାକ୍ ନାମକ ଜଣେ ଯୁବକ ଏକ ଭୁଜାଲି ଧରି ବୁଥ୍ ଭିତରେ ପସିଥିଲେ । ପୁଲିସ୍ ଓ ପୋଲିଂ କର୍ମଚାରୀଙ୍କ ଉପସ୍ଥିତିରେ ସେକ୍ ଅସ୍ତାକ ରମେଶଙ୍କୁ ଆକ୍ରମଣ କରି ସେଠାରୁ ଚମ୍ପଟ ମାରିଥିଲେ । ଭୁଜାଲି ମାଡ଼ରେ ରମେଶ ରକ୍ତାକ୍ତ ହୋଇପଡ଼ିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଧାମନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ଏହାପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ରମେଶଙ୍କୁ ଭଦ୍ରକ, ତା’ପରେ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ଏହାକୁ ନେଇ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ଧାମନଗର ବଜାର ମଧ୍ୟ ଦେଇ ଯାଇଥିବା ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଯାହାଫଳରେ ଗାଡ଼ି ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ବୁଥ୍‌ରେ ଭଦ୍ରକ ଏସ୍‌ପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏଥିସହ ଅଭିଯୁକ୍ତ ସେକ୍ ଅସ୍ତାକଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ସେ ଭୁଜାଲିରେ ଆକ୍ରମଣ କଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି ।

ସେହିପରି ପୁରୀ ଜିଲ୍ଲା ପିପିଲି ଏନ୍‌ଏସିରେ ହିଂସା ଦେଖିବାକୁ ମିଳିଛି । ପିପିଲ ଏନ୍‌ଏସିର ୭ନମ୍ବର ୱାର୍ଡର ୯ନମ୍ବର ବୁଥ୍‌ରେ ଜଣେ ପୋଲିଂ ଏଜେଣ୍ଟଙ୍କୁ ବିପକ୍ଷ ଦଳର କର୍ମୀମାନେ ଆକ୍ରମଣ କରିଛନ୍ତି । ମତଦାନ ବେଳେ ଭୋଟରଙ୍କୁ ନିଜ ଦଳ ସପକ୍ଷରେ ଭୋଟ୍ ଦେବାକୁ କହିବାରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଏଥିରେ ପୋଲିଂ ଏଜେଣ୍ଟଙ୍କ ମୁଣ୍ଡରେ କ୍ଷତ ପହଞ୍ଚିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେପଟେ ପଶ୍ଚିମ ଓଡ଼ିଶାରେ ମଧ୍ୟ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଭାଇ ପ୍ରଦୀପ ମେହେରଙ୍କୁ ବିଜେପି କର୍ମୀମାନେ ଆକ୍ରମଣ କରିଛନ୍ତି । ଟଙ୍କା ବାଣ୍ଟିବା ଅଭିଯୋଗରେ ପାଟଣାଗଡ଼ ଏନ୍‌ଏସି କୋଲପଡ଼ାରେ ଅଞ୍ଚଳରେ ତାଙ୍କୁ ମାଡ଼ ମରାଯାଇଥିବା ଜଣାପଡ଼ିଛି । ପାଟଣାଗଡ଼ ଏନ୍‌ଏସିର ୧ ନଂ, ୨ନଂ ଓ ୩ନମ୍ବର ୱାର୍ଡରେ ପ୍ରଦୀପ ଟଙ୍କା ବାଣ୍ଟୁଥିଲେ । ଏହି ସମୟରେ ବିଜେପିକର୍ମୀ ସେଠାରେ ପହଞ୍ଚି ତାଙ୍କୁ ଧରି ପିଟିଥିଲେ । ସେହିପରି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍‌ଏସିରେ ମଧ୍ୟ ବିଜେଡି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସକର୍ମୀଙ୍କ ମାଡ଼ରେ ୧୫ନମ୍ବର ୱାର୍ଡର ବିଜେଡି କାଉନସିଲର ପ୍ରାର୍ଥୀ ପିଙ୍କି ଖରସେଲ ଓ ଜିଲ୍ଲା ସଂପାଦକ ଫିରୋଜ ଖାଁ ଆହତ ହୋଇଥିବା ଅଭିଯୋଗ ହୋଇଛି । ଝଙ୍କାରପଡ଼ା ସ୍କୁଲରେ ୧୪ ଓ ୧୫ ନମ୍ବର ୱାର୍ଡର ୩ଟି ବୁଥ୍‌ରେ ମତଦାନ ଚାଲିଥିବାବେଳେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । କଂଗ୍ରେସ ଓ ବିଜେଡି କର୍ମୀ ପରସ୍ପର ବିରୋଧରେ ବୁଥ୍ ରିଗିଂ ଅଭିଯୋଗ ଆଣିଥିଲେ ।

ଏନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହେବାରୁ ବୁଥ୍ ବାହାରେ କର୍ମୀମାନେ ମୁହାଁମୁହିଁ ହୋଇଥିଲେ । ଏଥିରେ ଦୁଇଜଣ ଆହତ ମଧ୍ୟ ହୋଇଛନ୍ତି । ଆକ୍ରମଣକାରୀଙ୍କୁ ଗିରଫ ଦାବି କରି ବୁଥ୍ ଆଗରେ ବିଜେଡିକର୍ମୀ ଧାରଣା ଦେଇଥିଲେ । ପରେ ଘଟଣାସ୍ଥଳରେ ପୁଲିସ ଟିମ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଏଥିସହ ଦକ୍ଷିଣ ଓଡ଼ିଶାରେ ମଧ୍ୟ ନିର୍ବାଚନୀ ହିଂସା ଘଟିଯାଇଛି । ବ୍ରହ୍ମପୁରରେ ମତଦାନ ବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଚିକିଟି ଏନ୍‌ଏସିର ବିଜେପି କାର୍ଯ୍ୟାଳୟ ଆଗରେ ଭଙ୍ଗାରୁଜା ହୋଇଛି । ବିଜେପି ନେତା ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ ବିପକ୍ଷ ଦଳର କର୍ମୀମାନେ କାର୍ ଭାଙ୍ଗି ଦେଇଛନ୍ତି । କାର୍ ସମେତ ୪ଟି ବାଇକ୍ ମଧ୍ୟ ଭଙ୍ଗାରୁଜା ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ବିଜେପିକର୍ମୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ, ୩୦ଟି ଜିଲ୍ଲାର ୧୦୬ ମ୍ୟୁନିସିପାଲିଟି ଓ ୩ଟି ମହାନଗର ନିଗମରେ ମତଦାନ ଅନୁଷ୍ଠିତ ହୋଇଥିଲା । ଏହାକୁ ନଜରରେ ରଖି ଶାନ୍ତିଶୃଙ୍ଖଳାରେ ମତଦାନ ଶେଷ କରିବାକୁ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ୧୦୬ଟି ମ୍ୟୁନିସିପାଲଟି ଅଞ୍ଚଳରେ ୧୦୦ପ୍ଲାଟୁନ୍ ଫୋର୍ସ, ୩୪୦ଟି ମୋବାଇଲ ପାଟ୍ରୋଲିଂ ପୁଲିସ ଟିମ୍ ମୁତୟନ କରାଯାଇଥିଲା । ଏଥିସହ ୩ଟି ମହାନଗର ନିଗମ ପାଇଁ ୧୦୫ ପ୍ଲାଟୁନ୍ ଫୋର୍ସ, ୧୧୦ ମୋବାଇଲ ପାଟ୍ରୋଲିଂ ଟିମ୍ ନିୟୋଜିତ ହୋଇଥିଲେ । ଏହାସତ୍ତ୍ୱେ ଅଧିକାଂଶ ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ତେବେ କେଉଁଠି ନା କେଉଁଠି ପୁଲିସର ସୁରକ୍ଷା ବ୍ୟବସ୍ଥାରେ ଢିଲା ରହିଥିବା ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking