18.1 C
Bhubaneswar
Friday, December 27, 2024
Homeଆଇପିଏଲ୍‌-୨୦୨୩ଆଇପିଏଲ୍ : ବାଙ୍ଗାଲୋରକୁ ହରାଇଲା ମୁମ୍ବାଇ

ଆଇପିଏଲ୍ : ବାଙ୍ଗାଲୋରକୁ ହରାଇଲା ମୁମ୍ବାଇ

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ସଂସ୍କରଣର ୫୪ତମ ମ୍ୟାଚ୍ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ ଓ ଭ୍ରମଣକାରୀ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ମଧ୍ୟରେ ଖେଳାଯାଇଛି । ଏଥିରେ ହାତରେ ୨୧ଟି ବଲ୍ ଓ ୬ଟି ୱିକେଟ୍ ବାକି ଥାଇ ମୁମ୍ବାଇ ବିଜୟୀ ହୋଇଛି । ଏଥିସହ ପ୍ରଥମ ପର୍ଯ୍ୟାୟରେ ଦଳ ବରଣ କରିଥିବା ୮ ୱିକେଟ୍‌ର ପରାଜୟର ପ୍ରତିଶୋଧ ମଧ୍ୟ ନେଇଛି । ପ୍ରଥମେ ବ୍ୟାଟିଂ ସୁଯୋଗ ପାଇ ବାଙ୍ଗାଲୋର୍ ୬ ୱିକେଟ୍ ବିନିମୟରେ ୧୯୯ ରନ୍ କରିଥିଲେ ହେଁ ମୁମ୍ବାଇ ୧୬.୩ ଓଭର୍‌ରେ ମାତ୍ର ୪ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ଦଳର ଏକାଦଶ ମ୍ୟାଚ୍‌ରେ ଏହି ଷଷ୍ଠ ବିଜୟରେ ସୂର୍ଯ୍ୟକୁମାର ଯାଦବ ଓ ନେହଲ୍ ୱାଧେରାଙ୍କ ଅର୍ଦ୍ଧଶତକ ମୁଖ୍ୟ ଭୂମିକା ନିର୍ବାହ କରିଥିଲା । ଏଥିସହ ମୁମ୍ବାଇ ୧୨ ପଏଣ୍ଟ୍ ପାଇଁ ଟେବଲ୍‌ରେ ଅଷ୍ଟମ ସ୍ଥାନରୁ ସିଧାସଳଖ ତୃତୀୟ ସ୍ଥାନକୁ ଲମ୍ବା ଲମ୍ଫ ପ୍ରଦାନ କରିଛି ।

ବାଙ୍ଗାଲୋର୍ ଅଧିନାୟକ ତଥା ଓପନର ଫାଫ୍ ଡୁ ପ୍ଲେସିସ୍ ନିଜ ଯୋଡ଼ିଦାର ବିରାଟ କୋହଲି (୧)ଙ୍କ ସହ ଅନୁଜ ରାୱତ୍ (୬)ଙ୍କୁ ସଅଳ ହରାଇଥିଲେ ମଧ୍ୟ ନିଜର ଜବରଦସ୍ତ ଫର୍ମ କାଏମ ରଖି ଆଉ ଏକ ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ମାତ୍ର ୪୧ ବଲ୍‌ରେ ୫ଟି ଚୌକା ଓ ୩ଟି ଛକା ସହ ୬୫ ରନ୍ କରିଥିବା ବେଳେ ତୃତୀୟ ୱିକେଟ୍‌ରେ ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ସାଥୀରେ ୧୨୦ ରନ୍‌ର ଦମ୍‌ଦାର ଭାଗୀଦାରୀ କରିଥିଲେ । ଏହି ଭାଗୀଦାରୀ ମୁମ୍ବାଇକୁ ଏକ ବଡ଼ ଟାର୍ଗେଟ୍ ଦେବାରେ ବେଶ୍ ସହାୟକ ହୋଇଥିଲା । ମ୍ୟାକ୍ସୱେଲ୍ ମାତ୍ର ୩୩ଟି ବଲ୍ ଖେଳି ୮ଟି ଚୌକା ଓ ୪ଟି ଛକା ମାଧ୍ୟମରେ ୬୮ ରନ୍‌ର ଧୂଆଁଧାର ଇନିଂସ ଖେଳିଥିଲେ । ଏହାଛଡ଼ା ଶେଷ ଭାଗରେ ଦୀନେଶ କାର୍ତ୍ତିକ ୧୮ ବଲ୍‌ରେ ୪ଟି ଚୌକା ଓ ଗୋଟିଏ ଛକା ସହ ୩୦ ରନ୍ କରିଥିବା ବେଳେ କେଦାର ଯାଦବ ଗୋଟିଏ ଚୌକା ସହ ୧୨ ଓ ୱାନିନ୍ଦୁ ହସରଙ୍ଗା ୨ଟି ଚୌକା ମାଧ୍ୟମରେ ୧୨ ରନ୍ କରି ଅପରାଜିତ ଥିଲେ । ମୁମ୍ବାଇ ପକ୍ଷରୁ ଜେସନ୍ ବେହରେନ୍‌ଡର୍ଫ ୩ଟି ଏବଂ କ୍ୟାମେରନ୍ ଗ୍ରୀନ୍ ଓ କ୍ରିସ୍ ଜୋର୍ଡାନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ବ୍ୟାଟିଂରେ ଦଳର ତାରକା ଓପନର ଈଶାନ୍ କିଶନ୍ ଓ ଅଧିନାୟକ ରୋହିତ୍ ଶର୍ମା ୫୧ ରନ୍ ଯୋଡ଼ିଥିଲେ । ତେବେ ଏହି ଭାଗୀଦାରୀରେ ସିଂହଭାଗ ରନ୍ ଈଶାନ୍ କରିଥିଲେ । ସେ ମାତ୍ର ୨୧ଟି ବଲ୍ ଖେଳି ୪ଟି ଲେଖାଏଁ ଚୌକା ଓ ଛକା ସହ ୪୨ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ପରେ ପରେ ମାତ୍ର ୭ ରନ୍ କରି ଆଉଟ୍ ହୋଇ ରୋହିତ ନିଜର ଦୁର୍ବଳ ଫର୍ମକୁ କାଏମ ରଖିଥିଲେ । କିନ୍ତୁ ତୃତୀୟ ୱିକେଟ୍‌ରେ ସୂର୍ଯ୍ୟକୁମାର ଓ ୱାଧେରା ୧୪୦ ରନ୍‌ର ଭାଗୀଦାରୀ କରି ଦଳର ଏକତରଫା ବିଜୟ ସୁନିଶ୍ଚିତ କରିଥିଲେ । ସୂର୍ଯ୍ୟକୁମାର ମାତ୍ର ୩୫ଟି ବଲ୍‌ରେ ୭ଟି ଚୌକା ଓ ୬ଟି ଛକା ସହ ସର୍ବାଧିକ ୮୩ ରନ୍ କରିଥିଲେ । ଏହାଛଡ଼ା ୩୪ଟି ବଲ୍‌ରେ ୪ଟି ଚୌକା ଓ ୩ଟି ଛକା ସହ ୫୨ ରନ୍‌ରେ ଅପରାଜିତ ରହି ୱାଧେରା ମୁମ୍ବାଇକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ବାଙ୍ଗାଲୋର୍ ପକ୍ଷରୁ ହସରଙ୍ଗା ଓ ବିଜୟକୁମାର ବିଶକ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking