30.1 C
Bhubaneswar
Thursday, May 22, 2025
Homeଓଡିଶାବ୍ୟାଙ୍କ ଦେଉ ନାହାନ୍ତି ଋଣ; ସଂସଦରେ ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ

ବ୍ୟାଙ୍କ ଦେଉ ନାହାନ୍ତି ଋଣ; ସଂସଦରେ ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ଅର୍ଥନୀତି ଉପରେ ପରିବେଶ ପ୍ରଦୁଷଣର ପ୍ରଭାବ ଏବଂ ଗ୍ରାମାଞ୍ଚଳରେ ବ୍ୟାଙ୍କ୍‌ଗୁଡ଼ିକ ଋଣଦେଉନଥିବା ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଅର୍ଥନୈତିକ ଅଭିବୃଦ୍ଧି ଉପରେ ପରିବେଶ ପ୍ରଦୁଷଣର ପ୍ରଭାବକୁ ନେଇ ୨୦୨୩ ଅର୍ଥନୈତିକ ସର୍ଭେରେ କି ରିପୋର୍ଟ ଆସିଛି ଏବଂ କେନ୍ଦ୍ର ସରକାର ଗ୍ରୀନ୍ ଜିଡିପି ଓ ଗ୍ରୀନ୍ ବଜେଟ୍ ପ୍ରସ୍ତୁତ କରିବା ନେଇ କି ପଦକ୍ଷେପ ନେଉଛନ୍ତି; ଏ ସମ୍ପର୍କରେ ମଙ୍ଗଳବାର ସଂସଦରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭଗୱତ୍ କରାଦ ଓ ପଙ୍କଜ ଚୌଧାରୀଙ୍କୁ ଲିଖିତ ପ୍ରଶ୍ନକରିଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ, ସୁଜିତ କୁମାର ଓ ମୁଜିବୁଲ୍ଲା ଖାନ୍ ।

ଅର୍ଥନୈତିକ ସର୍ଭେ ରିପୋର୍ଟରେ ପରିବେଶ ପ୍ରଦୁଷଣ ପ୍ରଭାବ ଅନୁଧ୍ୟାନ ତଥ୍ୟ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚୌଧାରୀ କହିଛନ୍ତି ଯେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରତିବର୍ଷ ଭାରତୀୟ ଅର୍ଥନୀତିର ବିଭିନ୍ନ ଦିଗକୁ ନେଇ ଉପସ୍ଥାପନ ହୋଇଥାଏ । ଅର୍ଥନୈତିକ ଅଭିବୃଦ୍ଧି ସହ ବିଭିନ୍ନ କ୍ଷେତ୍ର ବିଶେଷ କରି କୃଷି, ଶିଳ୍ପ ଓ ସେବା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନେଇ ମଧ୍ୟ ଏହା ରିପୋର୍ଟ ଦେଇଥାଏ । ଜଳବାୟୁ ପରିବର୍ତ୍ତନ ଦ୍ୱାରା ପଡୁଥିବା ପ୍ରଭାବର ମଧ୍ୟ ସମୀକ୍ଷା କରିଥାଏ ଅର୍ଥନୈତିକ ସର୍ଭେ ରିପୋର୍ଟ । ଆହୁରି ମଧ୍ୟ ସର୍ଭେରେ ସ୍ୱତନ୍ତ୍ର ଭାବେ ପରିବେଶ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ରିପୋର୍ଟ ଉପସ୍ଥାପିତ ହୋଇଥାଏ । କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ୨୦୧୮ରେ ସିଷ୍ଟମ୍ ଅଫ୍ ଏନଭିରନ୍‌ମେଣ୍ଟାଲ୍‌- ଇକୋନୋମିକ ଆକାଉଣ୍ଟିଂ (ଏସ୍‌ଇଇଏ) ଫ୍ରେମ୍‌ୱାର୍କ ପ୍ରସ୍ତୁତ କରିଛନ୍ତି, ଯାହା ଅନ୍ତର୍ଜାତୀୟସ୍ତରର ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚୌଧାରୀ ଜଣାଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ଓ ଆଞ୍ଚଳିକ ଗ୍ରାମ୍ୟବ୍ୟାଙ୍କ୍ ଗୁଡ଼ିକ ଆବଶ୍ୟକ ଋଣ ଦେଉନାହାନ୍ତି । ଏହାକୁ ନେଇ ସଂସଦରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ମୁଜ୍ଜିବୁଲ୍ଲା ଖାନ୍ । ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ଗୁଡ଼ିକର ଋଣ ପ୍ରଦାନ ହାର ବୃଦ୍ଧି ଦିଗରେ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି ସେନେଇ ସାଂସଦଦ୍ୱୟ ଲିଖିତ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭଗୱତ୍ କରାଦ କହିଛନ୍ତି ଯେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡିକୁ ଋଣ ପ୍ରଦାନ ହାର ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୩ ସେପ୍ଟେମ୍ବର ସୁଦ୍ଧା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ୫୨.୨୬ ପ୍ରତିଶତ, ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ୍ ୫୪.୨୩ ପ୍ରତିଶତ ଏବଂ ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ୫୩.୫୩ ପ୍ରତିଶତ ଋଣ ପ୍ରଦାନ କରିଛନ୍ତି । ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ଗୁଡ଼ିକର ମଧ୍ୟ ଋଣ ପ୍ରଦାନ ହାର ବିଶେଷ କରି ଫସଲ ଋଣହାର ବଢ଼ାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏବେ ସୁଦ୍ଧା ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ଗୁଡ଼ିକ ୫୬.୩ ପ୍ରତିଶତ ଲକ୍ଷ୍ୟ ହାସଲ କରିଛନ୍ତି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର କରାଦ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking