ନୂଆଦିଲ୍ଲୀ : ମୋଷ୍ଟ ୱାଣ୍ଟେଡ, ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାରକୁ କିଛି ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି। ଭାରତରୁ ଆମେରିକା ଯାଏଁ ପୁଲିସ ଓ ଅନ୍ତର୍ଜାତୀୟ ଏଜେନ୍ସିକୁ ନାକେଦମ୍ କରିଥିବା ଗୋଲ୍ଡି ବ୍ରାରକୁ ଦିନ ଦ୍ୱିପ୍ରହରରେ ଆମେରିକାର ଫେୟାର୍ ମୋଣ୍ଟରେ ଗୁଳି କରି ହତ୍ୟା କରାଯାଇଥିବା ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ଗୋଲ୍ଡି ବ୍ରାର। ବହୁ ଅପରାଧ ମାମଲାରେ ସାମିଲ ଥିବା ଗୋଲ୍ଡିକୁ ଭାରତ ସରକାର ପୂର୍ବରୁ ଆତଙ୍କବାଦୀ ଘୋଷଣା କରିଥିଲେ। ବିଦେଶରେ ରହି ନିଜର ଅପରାଧ ନେଟୱାର୍କ ପରିଚାଳନା କରୁଥିଲା ଗୋଲ୍ଡି । ଆମେରିକାରେ ବସି ଭାରତରେ ଗ୍ୟାଙ୍ଗ ଚଲାଉଥିବା ବେଳେ ସଲମାନ ଖାନଙ୍କ ଘର ଉପରକୁ ଗୁଳି ମାଡ କରିବାକୁ ଯୋଜନା କରୁଥିଲା । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋୟୀର ବେଶ ନିକଟର ଥିଲା ଗୋଲ୍ଡି ବ୍ରାର। ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଏହି ହତ୍ୟାକାଣ୍ଡ ପଛରେ ଖଲିସ୍ତାନୀ ଗ୍ରୁପର ସଂପୃକ୍ତି ଥିବା କୁହାଯାଉଛି। ତେବେ ଏଯାଏଁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ହତ୍ୟାକାଣ୍ଡକୁ ନେଇ କୌଣସି ପ୍ରକାର ସୂଚନା ଦିଆଯାଇନାହିଁ। ସେପଟେ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ ଘଟଣାର ଅଭିଯୁକ୍ତ ଅନୁଜ ଥପନ ଜେଲରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଗୁଳିମାଡ ଘଟଣାରେ ବନ୍ଧୁକ ଯୋଗାଇଥିବା ଅଭିଯୋଗରେ ଗିରଫ ହୋଇ ଅନୁଜ ମୁମ୍ବାଇ ଜେଲରେ ଥିଲା। ବୁଧବାର ଜେଲର ବାଥରୁମରେ ସେ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ କୁହାଯାଇଛି।