ଜୋହାନ୍ସବର୍ଗ : ସାଉଥ୍ ଆଫ୍ରିକାର ଷ୍ଟାର୍ ଅଲ୍ରାଉଣ୍ଡର୍ କ୍ରିସ୍ ମୋରିସ୍ ମଙ୍ଗଳବାର କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ମୋରିସ୍ ସୋସିଆଲ୍ ମିଡିଆରେ ଏହି ଘୋଷଣା କରିଛନ୍ତି । ୩୪ ବର୍ଷୀୟ ଅଲ୍ରାଉଣ୍ଡର୍ କହିଛନ୍ତି, ସେ ଏବେ ଘରୋଇ ଟିମ୍ ଟାଇଟନ୍ସର କୋଚ୍ ନିଯୁକ୍ତ ହୋଇଛନ୍ତି । ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ଶେୟାର୍ କରି କ୍ୟାପ୍ସନ୍ରେ ସନ୍ନ୍ୟାସ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ସହିତ ତାଙ୍କ କ୍ରିକେଟ୍ କ୍ୟାରିୟର୍ର ଯାତ୍ରାରେ ସହଯାତ୍ରୀ ସମସ୍ତଙ୍କୁ ଧନ୍ୟବାଦ କହିଛନ୍ତି ।
ସେ ଲେଖିଛନ୍ତି ଏହା ଏକ ମଜାଦାର ଯାତ୍ରା ଥିଲା । ଜଣେ ଡାହାଣହାତୀ ପେସର୍ ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ମୋରିସ୍ ୨୦୦୯ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ବେଳେ ୨୦୧୬ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଏବଂ ସାଉଥ୍ ଆଫ୍ରିକା ପକ୍ଷରୁ ମାତ୍ର ୪ଟି ଟେଷ୍ଟ ମ୍ୟାଚ୍ରେ ପ୍ରତିନିଧିତ୍ୱ କରିଥିଲେ । ଟେଷ୍ଟ କ୍ରିକେଟ୍ରେ ସେ ମୋଟ ୧୭୩ ରନ୍ କରିଥିବା ବେଳେ ୧୨ଟି ୱିକେଟ୍ ନେଇଥିଲେ ।
ସେହିପରି ସେ ସାଉଥ୍ ଆଫ୍ରିକା ପକ୍ଷରୁ ୪୨ଟି ଦିନିକିଆ ଓ ୨୩ ଟି-୨୦ ମ୍ୟାଚ୍ ଖେଳି ଯଥାକ୍ରମେ ୪୮ ଓ ୩୪ଟି ୱିକେଟ୍ ହାସଲ କରିଥିଲେ । ଦିନିକିଆରେ ସେ ମୋଟ ୪୬୭ ରନ୍ ସ୍କୋର୍ କରିଥିବା ବେଳେ ତାଙ୍କ ମାନରେ ୧୩୩ ଟି-୨୦ ରନ୍ ରହିଛି । ଆଇପିଏଲ୍ରେ ମୋରିସ୍ ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ଏବଂ ଚେନ୍ନାଇ ସୁପର୍ କିଙ୍ଗ୍ସ ଫ୍ରାଞ୍ଚାଇଜ୍ ପକ୍ଷରୁ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି । ୨୦୧୩ ଆଇପିଏଲ୍ ଖେଳାଳି ନିଲାମରେ ଚେନ୍ନାଇ ସୁପର୍ କିଙ୍ଗ୍ସ ତାଙ୍କୁ ୩.୩୦ କୋଟି ଟଙ୍କାରେ କିଣିଥିଲା । ଏହା ଆଇପିଏଲ୍ରେ ସାଉଥ୍ ଆଫ୍ରିକାର କୌଣସି ଖେଳାଳିଙ୍କ ସର୍ବାଧିକ ମୂଲ୍ୟ ଥିଲା ।