23.1 C
Bhubaneswar
Friday, November 22, 2024
Homeକରୋନାଡେଲ୍‌ଟା କବଳରେ ଅର୍ଦ୍ଧାଧିକ ଚୀନ୍‌

ଡେଲ୍‌ଟା କବଳରେ ଅର୍ଦ୍ଧାଧିକ ଚୀନ୍‌

ବେଜିଂ: କୋଭିଡ୍‌ର ଉତ୍ପତ୍ତିସ୍ଥଳଭାବେ କୁଖ୍ୟାତି ଅର୍ଜନ କରିଥିବା ଚୀନ୍‌ରେ ବର୍ତ୍ତମାନ ଏହି ମହାମାରୀ ପୁଣି ଆତଙ୍କ ସୃଷ୍ଟି କରିଛି । ନିଜକୁ କୋଭିଡ୍‌ମୁକ୍ତ ବୋଲି ଦାବି କରୁଥିବା ଚୀନ୍‌ର ଅର୍ଦ୍ଧାଧିକ ଅଞ୍ଚଳ ବର୍ତ୍ତମାନ ଡେଲ୍‌ଟା ଭାରିଆଣ୍ଟ ଦ୍ୱାରା କବଳିତ ବୋଲି ଜଣାପଡିଛି । ଏପରିକି ଉହାନ୍ ସହରରେ ପୁଣି ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଉହାନ ପ୍ରଦେଶର ୧୨ ନିୟୁତ ଲୋକଙ୍କର ନମୁନା ପରୀକ୍ଷଣ କରାଯାଉଛି । ଚୀନ୍‌ର ୧୫ ପ୍ରଦେଶରେ ଡେଲ୍‌ଟା ଭାରିଆଣ୍ଟ୍ ଦେଖାଯାଇଥିବାରୁ ଚୀନ୍ ସରକାର ପର୍ଯ୍ୟଟନ ଉପରେ କଟକଣା ଲାଗୁ କରିବାକୁ ବାଧ୍ୟ ହୋଇଛନ୍ତି । ଚୀନ୍‌ର ସବୁଠାରୁ ସଂକ୍ରମିତ ୧୪୪ଟି ସହରରେ ପବ୍ଲିକ୍ ପରିବହନ ଓ ଟ୍ୟାକ୍ସି ସେବାକୁ କାଣ୍ଟ୍‌ଛାଣ୍ଟ୍ କରାଯାଇଛି । ରାଜଧାନୀ ବେଜିଂକୁ ଅଧିକ ସୁରକ୍ଷିତ ରଖିବାକୁ ଏହାର ସବ୍‌ୱେ ମେଟ୍ରୋ ଟ୍ରେନ୍‌ସେବାକୁ ମଧ୍ୟ ହ୍ରାସ କରାଯାଇଛି । ବେଜିଂରେ ବୁଧବାର ଡେଲଟା ସଂକ୍ରମିତ ୩ ରୋଗୀ ଚିହ୍ନଟ ହୋଇଛନ୍ତି ।

ଚୀନ୍‌ରୁ ଆସୁଥିବା ଲୋକଙ୍କ ପାଇଁ ହଂକଂ ସରକାର କ୍ୱାରେଣ୍ଟାଇନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି । ଗୁରୁବାର ସୁଦ୍ଧା ଚୀନ୍‌ର ବିଭିନ୍ନ ସହରରେ ୫୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବାରୁ ସରକାର ଚିନ୍ତିତ ହୋଇପଡିଛନ୍ତି । ଚୀନ୍‌ରେ ୬୧ ପ୍ରତିଶତ ଲୋକ କୋଭିଡ୍ ଟିକା ନେଇସାରିଥିଲେ ସୁଦ୍ଧା କୋଭିଡ୍‌ର ପୁନଃ ସଂକ୍ରମଣ ରୋକିବାକୁ ଚୀନ୍ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅଧିକାଂଶ ସହରରେ ଲକ୍‌ଡାଉନ ଲାଗୁ କରାଯାଇଥିବାବେଳେ ବ୍ୟାପକ ନମୁନା ପରୀକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି । ନାନ୍‌ଜିଙ୍ଗ୍‌, ଝେଙ୍ଗ୍‌ଝାଓ ଓ ୟୁନାନ୍ ପ୍ରଦେଶରେ ସଂକ୍ରମଣ ହାର ବଢିଚାଲିଛି । ପର୍ଯ୍ୟଟନ ଓ ବ୍ୟବସାୟିକ ଉଦ୍ଦେଶ୍ୟରେ ଯାତ୍ରା ନକରିବାକୁ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି । ଏକାଧିକ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କୁ ବିଳମ୍ବରେ ହଷ୍ଟେଲ ଫେରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking