ନୂଆଦିଲ୍ଲୀ: ଦେଶରେ ମୌସୁମୀର ତାଣ୍ଡବ ଜାରି । ଅଗଷ୍ଟ ଆରମ୍ଭରୁ ଅନେକ ରାଜ୍ୟରେ ଭାରି ବର୍ଷା ନେଇ ଆଇଏମଡି ପକ୍ଷରୁ ସତର୍କତା ଜାରି ହୋଇଛି । ଗୁଜରାଟରୁ ଆରମ୍ଭ କରି ଦିଲ୍ଲୀ-ଏନସିଆର, ହିମାଚଳ ପ୍ରଦେଶ ପର୍ଯ୍ୟନ୍ତ ଭାରି ବର୍ଷା ଓ ଜଳବନ୍ଦୀ ସ୍ଥିତି ନେଇ ଆଶଙ୍କା ବଢ଼ିଛି । ମୌସୁମୀ ପ୍ରଭାବରେ ଦେଶର ବିଭିନ୍ନ ଅଞ୍ଚଳରେ ପୁଣି ବର୍ଷାର ରୂପ ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଅନେକ ରାଜ୍ୟରେ ଆସନ୍ତା ଦିନଗୁଡ଼ିକରେ ଭାରିରୁ ଅତିଭାରି ବର୍ଷା ହୋଇପାରେ । ଗୁଜରାଟରେ ବର୍ଷାର ତୀବ୍ରତାକୁ ନେଇ ଚିନ୍ତା ବଢ଼ିଛି । କିଛି ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଭାରି ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।
ସେପଟେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର କିଛି ଅଞ୍ଚଳରେ ମଧ୍ୟ ଭାରି ବର୍ଷା ନେଇ ସତର୍କ କରାଯାଇଛି । ରାସ୍ତାରେ ପାଣି ଜମିବା, ଯାତାୟାତ ବାଧାପ୍ରାପ୍ତ ହେବା ଭଳି ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି । ପାହାଡ଼ିଆ ରାଜ୍ୟ ହିମାଚଳ ପ୍ରଦେଶରେ ମଧ୍ୟ ଭାରି ବର୍ଷା ସହ ଭୂସ୍ଖଳନ ଓ ଫ୍ଲାସ୍ ଫ୍ଲଡ୍ର ଆଶଙ୍କା ରହିଛି । ତେଣୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଭାଗ କହିଛି, ମୌସୁମୀ ସକ୍ରିୟ ରହିଥିବାରୁ ଆଗାମୀ ଦିନରେ ଆହୁରି କିଛି ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିପାରେ । ଲୋକଙ୍କୁ ପାଣି ଭର୍ତ୍ତି ଅଞ୍ଚଳକୁ ନଯିବା ଓ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି ।










