ଗୁଆହାଟୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଆସାମ ଗସ୍ତରେ ଯାଇ ଦିବ୍ରୁଗଡଠାରେ ୭ଟି କ୍ୟାନ୍ସର ହସ୍ପିଟାଲକୁ ଉଦ୍ଘାଟନ କରିଛନ୍ତି । ଏହି ସହରଗୁଡିକ ହେଲା ଦିବ୍ରୁଗଡ, କୋକ୍ରାଝର, ବାରପେଟା, ଦାରାଙ୍ଗ୍, ତେଜପୁର, ଲକ୍ଷ୍ମୀପୁର ଓ ଜୋରହାଟ୍ । ଏହାବ୍ୟତୀତ ରାଜ୍ୟରେ ଆଉ ୭ଟି କ୍ୟାନ୍ସର ହସ୍ପିଟାଲର ମଧ୍ୟ ଶିଳାନ୍ନ୍ୟାସ କରାଯାଇଛି । ଏହି ସହରଗୁଡିକ ହେଲା ଧୁବ୍ରି, ନଳବାଡି, ଗୋଲପାଡା, ନାଗାଓଁ, ଶିବସାଗର, ତିନସୁକିଆ ଓ ଗୋଲାଘାଟ । ଏହାଦ୍ୱାରା ଉତ୍ତର-ପୂର୍ବ ରାଜ୍ୟର କର୍କଟ ରୋଗୀମାନେ ବହୁମାତ୍ରାରେ ଉପକୃତ ହେବେ ବୋଲି ମୋଦୀ ଆଶାବ୍ୟକ୍ତ କରିଛନ୍ତି ।
ଆସାମ ସରକାର ଓ ଟାଟା ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଗଠିତ ‘ଆସାମ କ୍ୟାନ୍ସର କେୟାର ଫାଉଣ୍ଡେସନ’ ପକ୍ଷରୁ ଏହି ହସ୍ପିଟାଲ ନିର୍ମାଣ କରାଯାଇଛି । ଏହି ଅବସରରେ ମୋଦୀ ଆସାମରେ ଡବଲ ଇଞ୍ଜିନ୍ (କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର) ସରକାରର ଫାଇଦା ଉପରେ ଗୁରୁତ୍ୱାରୋପ କରିଛନ୍ତି । ବିଜେପି ଶାସନକାଳରେ ଆସାମରେ ଉଗ୍ରପନ୍ଥୀଙ୍କ କାର୍ଯ୍ୟକଳାପ ଯଥେଷ୍ଟ ହ୍ରାସ ପାଇଥିବା ସେ କହିଛନ୍ତି । ଆସାମର ୨୩ଟି ଜିଲ୍ଲାରୁ ଆଫ୍ସ୍ପା (ଆର୍ମଡ ଫୋର୍ସେସ୍ ସ୍ପେଶାଲ ପାୱାର ଆକ୍ଟ) ପ୍ରତ୍ୟାହାର କରାଯିବା ଏହାର ଜ୍ୱଳନ୍ତ ଉଦାହରଣ ବୋଲି ମୋଦୀ କହିଛନ୍ତି । ଆଗାମୀ ଦିନରେ ସମଗ୍ର ଉତ୍ତର-ପୂର୍ବରୁ ଆଫ୍ସ୍ପା ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ଉତ୍ସବରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।