ନୂଆଦିଲ୍ଲୀ : କର୍ଣ୍ଣାଟକ ବିଜେପିର ବରିଷ୍ଠ ନେତା କେଏସ୍ ଈଶ୍ୱରପ୍ପାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି । ଚଳିତ କର୍ଣ୍ଣାଟକ ନିର୍ବାଚନରେ ବିଜେପି ଈଶ୍ୱରପ୍ପାଙ୍କୁ ଟିକେଟ୍ ଦେଇନାହିଁ । ଈଶ୍ୱରପ୍ପା ମଧ୍ୟ ପାର୍ଟି ହାଇକମାଣ୍ଡ୍ଙ୍କ ନିଷ୍ପତ୍ତିକୁ ମାନି ନେଇଥିଲେ ଏବଂ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ।
ଟିକେଟ୍ ନମିଳିବା ସତ୍ତ୍ୱେ ତାଙ୍କ ପକ୍ଷରୁ ବିରୋଧ ସ୍ୱର ଉଠିନଥିଲା । କଥାବାର୍ତ୍ତା ବେଳେ ଈଶ୍ୱରପ୍ପା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲେ ରାଜ୍ୟରେ ବିଜେପିକୁ ଜିତାଇବା ପାଇଁ ସେ ପାର୍ଟିକୁ ସହାୟତା କରିବେ । ପାର୍ଟି ପ୍ରତି ଈଶ୍ୱରପ୍ପାଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଈଶ୍ୱରପ୍ପା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋତେ ଫୋନ୍ କରିବେ ବୋଲି ସ୍ୱପ୍ନରେ ମଧ୍ୟ ଭାବିନଥିଲି ।
ତାଙ୍କ ଫୋନ୍ କଲ୍ ମୋତେ ପ୍ରେରିତ କରିଛି । ଆମେ ଶିବମୋଗାରେ ନିର୍ବାଚନ ଜିତିବୁ ଏବଂ କର୍ଣ୍ଣାଟକରେ ବିଜେପି ସରକାର ଗଠନ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବ । ଏହି କଥାବାର୍ତ୍ତାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।