ନୁଆଦିଲ୍ଲୀ: ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାଖଲ କରିଥିବା ନିଜ ସତ୍ୟପାଠରେ ନିଜ ପାଖରେ ଥିବା ନଗଦ ରାଶି ୫୨,୯୨୦ ଟଙ୍କା ସହ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୋଟ୍ ମୂଲ୍ୟ ୩.୦୨ କୋଟି ବୋଲି ଦର୍ଶାଇଛନ୍ତି । ତେବେ ମୋଦୀ ନିଜ ମାଲିକାନାରେ କୌଣସି କାର, ଜମି କିମ୍ବା ଘର ନଥିବା ସ୍ପଷ୍ଟ କରିଛନ୍ତି । ମୋଦୀଙ୍କ ସତ୍ୟପାଠ ଅନୁସାରେ ତାଙ୍କ ପାଖରେ ୪ଟି ସୁନା ମୁଦି ଅଛି; ଯାହାର ମୂଲ୍ୟ ୨.୬୭ ଲକ୍ଷ ଟଙ୍କା ହେବ । ସେହିପରି ସେ ନ୍ୟାଶନାଲ ସେଭିଙ୍ଗ୍ସ ସାର୍ଟିଫିକେଟ୍ (ଏନ୍ଏସ୍ସି) ଯୋଜନା ଅନ୍ତର୍ଗତ ୯.୧୨ ଲକ୍ଷ ଟଙ୍କା ନିବେଶ କରିଛନ୍ତି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ମୋଦୀଙ୍କର ଦୁଇଟି ଆକାଉଣ୍ଟ ରହିଛି । ଗାନ୍ଧିନଗର ବ୍ରାଞ୍ଚ୍ରେ ଥିବା ଆକାଉଣ୍ଟରେ ୭୩,୩୦୪ ଟଙ୍କା ଓ ବାରାଣାସୀ ବ୍ରାଞ୍ଚ୍ ଆକାଉଣ୍ଟରେ ତାଙ୍କ ଜମା ପରିମାଣ ୭,୦୦୦ ଟଙ୍କା ରହିଛି । ଏସ୍ବିଆଇରେ ସେ ମୋଟ୍ ୨,୮୫,୬୦,୩୩୮ ଟଙ୍କା ସ୍ଥାୟୀ ଜମା ଆକାରରେ ରଖିଛନ୍ତି । ମୋଟାମୋଟି ବ୍ୟାଙ୍କରେ ରଖିଥିବା ଜମାରୁ ମିଳୁଥିବା ସୁଧ ଓ ସରକାରଙ୍କ ତରଫରୁ ମିଳୁଥିବା ଦରମା ହିଁ ତାଙ୍କ ମୁଖ୍ୟ ଆୟ ଉତ୍ସ ଭାବେ ମୋଦୀ ଦର୍ଶାଇଛନ୍ତି । ଏତଦ୍ବ୍ୟତୀତ ମୋଦୀ ନିଜ ପତ୍ନୀଙ୍କ ନାମ ଯଶୋଦାବେନ୍ ବୋଲି ଉଲ୍ଲେଖ କରିଛନ୍ତି । ଶିକ୍ଷାଗତ ଯୋଗ୍ୟତା ଭାବେ ମୋଦୀ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ଏମଏ୍ ଡିଗ୍ରୀ ହାସଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସେ ଆର୍ଟସ ଡିଗ୍ରୀ ୧୯୭୮ରେ ହାସଲ କରିଛନ୍ତି । ୧୯୬୭ରେ ମୋଦି ଗୁଜରାଟ ବୋର୍ଡରୁ ଏସ୍ଏସ୍ସି ପରୀକ୍ଷା ପାସ କରିଥିଲେ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି । ତେବେ ସେ ପତ୍ନୀ ଯଶୋଦାବେନ୍ଙ୍କ ଆୟ ସମ୍ପର୍କରେ କିମ୍ବା ତାଙ୍କ ପେଶାଦାର ଜୀବନ ସମ୍ପର୍କରେ କିଛି ଜାଣିନଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଏତଦ୍ବ୍ୟତୀତ ମୋଦୀ ନିଜ ନାଁରେ କୌଣସି ଅପରାଧିକ ମାମଲା ନଥିବା କିମ୍ବା କୌଣସି ଋଣ କରିନଥିବା ଦର୍ଶାଇଛନ୍ତି ।