ନୂଆଦିଲ୍ଲୀ : ଋଷର ମସ୍କୋରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୨ତମ ଭାରତ-ଋଷିଆ ବାର୍ଷିକ ସମ୍ମିଳନୀରେ ଯୋଗଦାନ କରିବା ଲାଗି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ ପରେ ପ୍ରଧାନମନ୍ତ୍ରୀ ମସ୍କୋରେ ପହଞ୍ଚିଛନ୍ତି । ୨୦୨୨ରେ ଋଷ ଓ ୟୁକ୍ରେନ ଯୁଦ୍ଧ ପରେ ଏହା ମୋଦିଙ୍କ ପ୍ରଥମ ଋଷିଆ ଗସ୍ତ । ଏହାପରେ ମୋଦି କଡ଼ା ସୁରକ୍ଷା ବଳୟରେ ହୋଟେଲରେ ପହଞ୍ଚିଛନ୍ତି । ଋଷରେ ମୋଦିଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର । ଆଉ କିଛି ସମୟ ପରେ ପ୍ରବାସୀ ଭାରତୀୟ କମ୍ୟୁନିଟି ପକ୍ଷରୁ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯିବ । ସୋମବାରଠୁ ତିନି ଦିନିଆ ଋଷ ଓ ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଏହା ମୋଦିଙ୍କ ଦ୍ବିତୀୟ ବିଦେଶୀ ଗସ୍ତ । ଏହି ଗସ୍ତ ସମୟରେ ମୋଦି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ । ରାଷ୍ଟ୍ରପତିଙ୍କୁ ଭେଟିବା ସହ ଋଷରେ ଥିବା ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ତିନି ବର୍ଷର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ଋଷ ଗସ୍ତ କରୁଛନ୍ତି । ଏନେଇ ଋଷରେ ଥିବା ଭାରତୀୟ ରାଷ୍ଟ୍ରଦୂତ ସୂଚନା ଦେଇଛନ୍ତି ।