37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ମେଣ୍ଟ ବିଧାୟକ: ଇସିଙ୍କ ଚିଠିର ବିଷୟବସ୍ତୁ ସ୍ପଷ୍ଟ କରିବାକୁ ଦାବି

ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ମେଣ୍ଟ ବିଧାୟକ: ଇସିଙ୍କ ଚିଠିର ବିଷୟବସ୍ତୁ ସ୍ପଷ୍ଟ କରିବାକୁ ଦାବି

ରାଞ୍ଚି : ଝାଡ଼ଖଣ୍ଡରେ କ୍ଷମତାସୀନ ମେଣ୍ଟ ସରକାର (ଜେଏମ୍‌ଏମ୍‌, କଂଗ୍ରେସ ଓ ଆରଜେଡି)ର କେତେକ ବିଧାୟକ ଗୁରୁବାର ରାଜ୍ୟପାଳ ରମେଶ ବୈଶ୍‌ଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ସେମାନେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ସମ୍ପର୍କରେ ଉଲ୍ଲେଖ କରିଥିବା ଜଣାପଡିଛି । ଝାଡ଼ଖଣ୍ଡରେ ଗାଦିସୀନ ଏକ ସ୍ଥିର ସରକାରକୁ ଭାଙ୍ଗିିବାକୁ ବିଜେପି ଚକ୍ରାନ୍ତ ଚଳାଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ସୋରେନ୍‌ଙ୍କ ବିଧାୟକ ପଦ ରଦ୍ଦ ପାଇଁ ନିର୍ବାଚନ କମିଶନ (ଇସି)ଙ୍କ ପକ୍ଷରୁ ରାଜ୍ୟପାଳଙ୍କ ନିକଟକୁ ଆସିଥିବା ସୁପାରିସ ପତ୍ର ସମ୍ପର୍କରେ ସେମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ଅଗଷ୍ଟ ୨୫ରୁ ଯଦି ଏହି ଚିଠି ଆସିଛି, ତାହାହେଲେ ରାଜ୍ୟପାଳ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ସେମାନେ କହିଛନ୍ତି । ଏପର୍ଯ୍ୟନ୍ତ ଚିଠିକୁ ସାର୍ବଜନୀନ କରାଯାଇନଥିବାବେଳେ ଏହାକୁ କେନ୍ଦ୍ରକରି ରାଜ୍ୟରେ ରାଜନୈତିକ ହଟଚମଟ ଲାଗିଛି ।

ପୁନଶ୍ଚ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଏହି ଚିଠିର ବିଷୟବସ୍ତୁ ଗଣମାଧ୍ୟମକୁ ଲିକ୍ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ରାଜ୍ୟପାଳ ତୁରନ୍ତ ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ ସେମାନେ ଦାବି ଜଣାଇଛନ୍ତି । ଏହାଦ୍ୱାରା ରାଜ୍ୟରେ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହେବାସହିତ ରାଜ୍ୟବାସୀ ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଥିବା ସେମାନେ କହିଛନ୍ତି । ବିରୋଧୀ ଦଳଗୁଡିକ ଏହି ପରିସ୍ଥିତିର ଫାଇଦା ଉଠାଇ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବାର ସୁଯୋଗ ମଧ୍ୟ ପାଉଛନ୍ତି । ମେଣ୍ଟ ସରକାରଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ଥିବାରୁ ସରକାର ଭାଙ୍ଗିବାର କୌଣସି ସୁଯୋଗ ନଥିବା ସେମାନେ କହିଛନ୍ତି ।

ତେବେ ନିର୍ବାଚନ କମିଶନଙ୍କ ନିକଟରୁ ଆସିଥିବା ଚିଠିର ବିଷୟବସ୍ତକୁ ସାର୍ବଜନୀନ କରାଗଲେ ଏଭଳି ବିବାଦର ପରିସମାପ୍ତି ଘଟିବ ବୋଲି ଏହି ବିଧାୟକମାନେ ଆଶାବ୍ୟକ୍ତ କରିଛନ୍ତି । ଅପରପକ୍ଷରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଚିଠିର ବିଷୟବସ୍ତୁ ଲିକ୍ ହୋଇନାହିଁ ଏବଂ ଆଗାମୀ ଦୁଇଦିନ ମଧ୍ୟରେ ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି ରାଜ୍ୟପାଳ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ସୂଚନାଯୋଗ୍ୟ ୨୦୧୯ ବିଧାନସଭା ନିର୍ବାଚନ ସମୟରେ ସୋରେନ ଏକ ଖଣି ମାମଲାରେ ସଂପୃକ୍ତ ଥିବାରୁ ଜନପ୍ରତିନିଧି ଆଇନ ଅନୁଯାୟୀ ତାଙ୍କର ବିଧାୟକ ପଦ ରଦ୍ଦ କରିବାକୁ ଇସି ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି ବୋଲି ଜୋରସୋର ଚର୍ଚ୍ଚା ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking