35.1 C
Bhubaneswar
Sunday, May 19, 2024
Homeଓଡିଶା୯ ମାସ ପରେ ନିଖୋଜ ନାବାଳକ ଉଦ୍ଧାର

୯ ମାସ ପରେ ନିଖୋଜ ନାବାଳକ ଉଦ୍ଧାର

ନୟାଗଡ଼: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀଥାନା ଅନ୍ତର୍ଗତ ଭୁଷଣ୍ଡପୁର ଗ୍ରାମର ସୁରେନ୍ଦ୍ର ଜେନାଙ୍କ ନବମଶ୍ରେଣୀର ପୁଅ ସଙ୍ଗମ ପ୍ରିୟଦର୍ଶୀ ଜେନା(୧୫) ଓଡ଼ଗାଁ ଥାନା ଅଞ୍ଚଳରୁ ଦୀର୍ଘ ୯ମାସ ଧରି ନିଖୋଜ ହେବାପରେ ମଙ୍ଗଳବାର ଓଡ଼ଗାଁ ପୁଲିସ ତାଙ୍କୁ ଉଦ୍ଧାର କରିଛି । ବୁଧବାର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷାକରି ଓଡ଼ଗାଁ କୋର୍ଟରେ ହାଜର କରିବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଓଡ଼ଗାଁ ପେଟ୍ରୋଲ ପମ୍ପ ସାମ୍ନାରେ ଥିବା ଏକ ହଷ୍ଟେଲରେ ରହି ସଂଗମ ପାଠପଢୁଥିଲେ । ପାଠପଢିବା ସମୟରେ ଶିକ୍ଷକଙ୍କ ମାଡକୁ ଡ଼ରି ଘରକୁ ଚାଲିଯିବାକୁ ବାହାରିଥିଲେ ।

ଗତବର୍ଷ ଜୁଲାଇ ମାସ ୭ତାରିଖ ଦିନ ହଷ୍ଟେଲ ଛାଡ଼ି ସଂଗମ ନୟାଗଡ଼ ଯାଇଥିଲେ । ସେଠାରୁ ଟ୍ରେନ୍ ଯୋଗେ ଭୁଷଣ୍ଡପୁର ଯାଉଥିବାବେଳେ ରେଳ ଇଞ୍ଜିନ ବଦଳିଯିବାରୁ ସେ ବାଟଭୁଲି ପୁରୀରେ ଯାଇ ପହଞ୍ଚିଥିଲେ । ସେ ସମୁଦ୍ରକୂଳରେ ବୁଲିବା ସମୟରେ ଜଟଣୀ ଅଞ୍ଚଳର ଦଲାଲ ପ୍ରଦ୍ୟୁମ୍ନ କୁମାର ବେହେରାଙ୍କ ହାବୁଡ଼ରେ ପଡିଥିଲେ ଏବଂ ସେ ତାଙ୍କୁ ଘରେ ଛାଡିଦେବ କହି ଖୋର୍ଦ୍ଧାର ଶ୍ରୀରାମ ହୋଟେଲରେ ଆଣି ଦୀର୍ଘ ୮ମାସ ଧରି ଖଟାଉଥିଲେ ବୋଲି ସଂଗମ ନିଜେ କହିଛନ୍ତି । ସେ ବହୁବାର ସେଠାରୁ ଖସିବାକୁ ଉଦ୍ୟମ କରିଥିଲେ ମଧ୍ୟ ହୋଟେଲ କର୍ମଚାରୀମାନେ ତାଙ୍କୁ ସେଠାରୁ ଛାଡୁନଥିଲେ । କେବଳ ଦି’ ଓଳି ଦି’ ମୁଠା ଖାଇବାକୁ ଦେଇ ଅହରହ ଖଟାଉଥିଲେ ଏବଂ ମାଡ଼ ମାରୁଥିଲେ ।

ଦିନେ ସେ ହୋଟେଲରୁ ଖସିଆସି ଗାଁକୁ ଯିବାକୁ ବାହାରିଥିଲେ । କିନ୍ତୁ ଦଳେଇକୁଟ ଅଞ୍ଚଳର ମିଟୁଭାଇ ତାଙ୍କୁ ନେଇ ତୋଟାପଡାର ନବୀନା ହୋଟେଲରେ ରଖିଥିଲେ । ସେଠାରେ ଏକମାସ ରହିବା ପରେ କୌଶଳକ୍ରମେ ସଂଗମ ହୋଟେଲ ମାଲିକଙ୍କ ସ୍କୁଟିଧରି ଖସିଆସିଥିଲେ । ରାସ୍ତାରେ ଗାଡ଼ିରୁ ତେଲ ସରିବାରୁ ପେଟ୍ରୋଲ ଟାଙ୍କିରେ ଗାଡ଼ିଛାଡି ରାତି ୧୧ଟାରୁ ଚାଲିଚାଲି ଭୁଷଣ୍ଡପୁର ଗ୍ରାମରେ ଯାଇ ପହଞ୍ଚିଥିଲେ । ୪୦କିଲୋମିଟର ରାସ୍ତା ଯିବାକୁ ତାଙ୍କୁ ୧୬ଘଣ୍ଟା ସମୟ ଲାଗିଥିଲା । ଘରେ ପହଞ୍ଚିବା ପରେ ସଂଗମଙ୍କ ବାପା ସୁରେନ୍ଦ୍ର ଜେନା ଓଡ଼ଗାଁ ପୁଲିସକୁ ଖବର ଦେଇଥିଲେ ।

ଆଜି ନିଖୋଜ ସଂଗମକୁ ପୁଲିସ ତାଙ୍କ ନିଜଘରୁ ଉଦ୍ଧାରକରି ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଓଡ଼ଗାଁ କୋର୍ଟରେ ହାଜର କରିଥିଲେ । ମାଜିଷ୍ଟେଟଙ୍କ ଉପସ୍ଥିତିରେ ସଂଗମକୁ ସୁସ୍ଥ ଅବସ୍ଥାରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପୁଅକୁ ପାଇବା ପରେ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ତେବେ ୯ମାସ ହେଲା ଖଟାଉଥିବା ହୋଟେଲ କର୍ମଚାରୀ ଏବଂ ଦଲାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking