ନରସିଂହପୁର : ଲୁଟ୍ ପରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ । ଶେଷରେ ପାଖ ଜଙ୍ଗଲରେ ଫୋପାଡ଼ି ଦେଇ ଚାଲିଗଲେ । କଟକ ଜିଲ୍ଲା ନରସିଂହପୁରରେ ଏଭଳି ଆତଙ୍କରାଜ ଘଟଣା ଘଟିଛି । ୬୬ ବର୍ଷୀୟ ବୟସ୍କଙ୍କୁ ରାସ୍ତା ମଝିରେ ଆକ୍ରମଣ କରି ୬ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ନରସିଂହପୁର ଥାନା ଅନ୍ତର୍ଗତ ବୁଢାବୁଢ଼ି ଘାଟିରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ବନ୍ତଳା ତଳଗଡ଼ ଗାଁର ଉମେଶ ଦେହୁରୀ(୬୬) ଗତକାଲି ଦ୍ୱିପ୍ରହରରେ କରଜ ଟଙ୍କା ଆଦାୟ କରିବାକୁ ଆଠଗଡ଼ ଯାଉଥିଲେ ।
ଏହି ସମୟରେ ବୁଢାବୁଢ଼ି ଘାଟିରେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ତାଙ୍କ ଠାରୁ ୬ ହଜାର ଟଙ୍କା ଛଡ଼ାଇ ନେଇଯାଇଥିଲେ । ଅନ୍ୟ ୨ ଜଣ ଦୁର୍ବୃତ୍ତ ତାଙ୍କୁ ଟେକି ନେଇ ମରଣାନ୍ତକ ଆକ୍ରମଣ କରି ଜଙ୍ଗଲରେ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିଲେ । ଆଜି ସକାଳେ କୌଣସି ପ୍ରକାରେ ସେ ନରସିଂହପୁର-ଅନୁଗୁଳ ମୁଖ୍ୟ ରାସ୍ତାରେ ପହଞ୍ଚି ଯାଇଥିଲେ । ସ୍ଥାନୀୟ ଲୋକ ଉମେଶଙ୍କୁ ଉଦ୍ଧାର କରି ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଖବରପାଇ ନରସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।