କେନ୍ଦ୍ରାପଡ଼ା : ପିଇବା ପାଣି ମାଗି ଜଣେ ସ୍କୁଲ୍ ଛାତ୍ରୀଙ୍କୁ ୨ ଜଣ ଯୁବକ ଦୁଷ୍କର୍ମ କରିଥିବା ନିକିରାଇ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ କେନ୍ଦ୍ରାପଡ଼ା ବ୍ଲକ୍ ନିକିରାଇ ଥାନା ଇନ୍ଦୁପୁର ଧୂମାତଶାସନ ଗ୍ରାମର ଜନୈକ ବ୍ୟକ୍ତି ନିକିରାଇ ଥାନାରେ ତାଙ୍କର ନାବାଳିକା ଝିଅକୁ ପାଣି ପିଇବାକୁ ମାଗି ନିକଟସ୍ଥ ବିଲକୁ ଟେକି ନେଇ ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ ଗତ ୨ ତାରିଖ ସନ୍ଧ୍ୟା ସାଢ଼େ ୭ଟା ସମୟରେ ଗ୍ରାମରେ ଅଷ୍ଟମପ୍ରହରୀ ନିମନ୍ତେ ଟେଣ୍ଟ କାମ୍ କରୁଥିବା ୨ ଜଣ ଯୁବକ ନାବାଳିକା ଝିଅକୁ ପାଣି ପିଇବାକୁ ମାଗିଥିଲେ । ସପ୍ତମ ଶ୍ରେଣୀରେ ପଢୁଥିବା ଝିଅଟି ଯୁବକ ୨ ଜଣଙ୍କୁ ପାଣି ପିଇବାକୁ ଦେଇଥିଲେ । ଏହି ସମୟରେ ନାବାଳିକାର ମୁହଁରେ ଗାମୁଛା ଦେଇ ଯୁବକ ୨ ଜଣ ଅନ୍ଧାରୁଆ ଜାଗାକୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ସନ୍ଧ୍ୟା ସମୟରେ ଝିଅ କୁଆଡ଼େ ଯାଇଛି ଖୋଜାଖୋଜି କରିବାରୁ ନିକଟସ୍ଥ କଦଳୀବଣରେ ଅଚେତ୍ ଅବସ୍ଥାରେ ପଡ଼ିଥିବାର ପାଇ ପରିବାର ଲୋକେ ଚିକିତ୍ସା ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।
ଏ ଘଟଣାକୁ ନେଇ ନିକିରାଇ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ନିକିରାଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରିବା ସହିତ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ନାବାଳିକାଟିର ଅବସ୍ଥା ଗୁରୁତର ଥିବା ଚିକିତ୍ସାଳୟ ସୂତ୍ରରୁ ପ୍ରକାଶ ।