ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଖାରିବାନ୍ଧ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏଠାରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ଖାରିବାନ୍ଧ ଗାଁର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ପୁଅ ଦିବ୍ୟରଂଜନ ଓରଫ ଶୁଭ(୧୧)। ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ। ସୂଚନା ଅନୁଯାୟୀ, ଗତକାଲି ଖାରିବାନ୍ଧ ଗାଁର ସ୍କୁଲ ସମ୍ମୁଖ ପଡ଼ିଆରେ ଏକ ବିବାହ ଭୋଜି ଚାଲିଥିଲା। ଭୋଜି ଲାଗି ସ୍କୁଲ ପରିସରରେ ଟେଣ୍ଟ ଲଗାଯାଇଥିଲା। ସନ୍ଧ୍ୟା ସମୟରେ ଦିବ୍ୟରଂଜନ ସାଙ୍ଗମାନଙ୍କ ସହ ସ୍କୁଲ ପରିସରରେ ଖେଳୁଥିଲେ। ସେଠାରେ ଝୁଲୁଥିବା ଉଚ୍ଚ ଶକ୍ତିସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଦିବ୍ୟରଂଜନ ଆସିଥିଲେ। ଏହାପରେ ତାଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ଦିବ୍ୟରଂଜନଙ୍କୁ ଭୁବନେଶ୍ବର ଅଣାଯାଉଥିଲା। ହେଲେ ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏକମାତ୍ର ପୁତ୍ରକୁ ହରାଇ ପରିବାର ଲୋକେ ମ୍ରିୟମାଣ ହୋଇପଡ଼ିଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି।ବାଲୁଗାଁ ଥାନା ପୁଲିସ ଘଟଣାର ତଦନ୍ତ କରୁଥିବାର ଖବର ମିଳିଛି।