ରାୟଗଡା: ସାମାଜିକ ଗଣମାଧ୍ୟମରେ ଲାଞ୍ଚ କାରବାର ଏକ ଭିଡିଓ ଭାଇରାଲ ହେବା ପରେ ନିଲମ୍ବିତ ଅବକାରୀ କନେଷ୍ଟବଳଙ୍କ ଏବେ ଅଡୁଆ ବଢିଛି । ତାଙ୍କ ବିରୋଧରେ ସ୍ତ୍ରୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଘରୋଇ ହିଂସା ଓ ସ୍ତ୍ରୀଙ୍କୁ ଜୀବନରୁ ମାରି ଦେବାକୁ ନିଲମ୍ବିତ କନେଷ୍ଟବଳ ଜଣକ ସବୁ ବେଳେ ଦେଉଥିଲେ ଧମକ । ଆଉ ଜିଲ୍ଲାର ଛାମୁଆ ରାଜନେତାଙ୍କ ଛତ୍ରଛାୟା ତଳେ ରହି ଚଳାଉଥିଲେ ଅପରାଧିକ ସାମ୍ରାଜ୍ୟ । ଗଞ୍ଜେଇ ବ୍ୟବସାୟୀ, ମଦ ବ୍ୟବସାୟୀ ଓ ମଦ ଭାଟି ମାଲିକଙ୍କଠୁ ବଟି ଆଦାୟ । ଏପରି ଅବକାରୀ ବିଭାଗରେ ରହି ମାସିକ ସଂଗ୍ରହ କରୁଛନ୍ତି ଲକ୍ଷାଧିକ ଟଙ୍କା ଚାନ୍ଦା । ଆଉ ସେ ଟଙ୍କା ଅବକାରୀ କାର୍ଯ୍ୟକଳାପରେ ସହଯୋଗ କରିବାକୁ ଆରକ୍ଷୀ ଅଧିକ୍ଷକଙ୍କ ଠାରୁ ତଳ ସ୍ତରୀୟ କର୍ମଚାରୀଙ୍କୁ ଦିଆଯାଉଥିଲା । ଗଞ୍ଜେଇ ଗାଡି ଜିଲ୍ଲା ସୀମା ପାର କରିବାକୁ ହେଉଥିଲା ମୋଟା ଅଙ୍କର ଡିଲ । ଆଉ ଡିଲ ଅନୁଯାୟୀ ଗାଡିକୁ ଜିଲ୍ଲା ସୀମା ପାର କରୁଥିଲେ ଅବକାରୀ ବିଭାଗର ତଳ ସ୍ତରୀୟ କର୍ମଚାରୀ । ଏଭଳି ସାଙ୍ଗାତିକ ଅଭିଯୋଗ ଆଣିଛନ୍ତି ଅବକାରୀ ବିଭାଗର ନିଲମ୍ବିତ କନେଷ୍ଟବଳ ସୁଶାନ୍ତ ପାତ୍ରଙ୍କ ସ୍ତ୍ରୀ ପ୍ରଜ୍ଞାପରମିତା ଗରାବଡୁ । ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରେ ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ଶ୍ରୀ ପାତ୍ର ଜିଲ୍ଲାର ବଡବଡିଆ ନେତାଙ୍କ ସହ ପ୍ରତ୍ୟେକ୍ଷ ସମ୍ପର୍କ ରଖି ଜିଲ୍ଲାରେ ଆବକାରୀ ମାଫିଆ ସାମ୍ରାଜ୍ୟ ଚଳାଇଛନ୍ତି । ମଦ ଦୋକାନଠୁ ମାସିକିଆ ବଟି ଆଦାୟ ସାଙ୍ଗକୁ ମଦ ଦୋକାନୀଙ୍କଠୁ ବିଭିନ୍ନ ଆଳ ଦେଖାଇ ଚାନ୍ଦା ସଂଗ୍ରହ କରି ସେଥିରୁ ଉପରିସ୍ଥ ଅଧିକାରୀଙ୍କୁ ଭାଗ ଦେବା ସହ ନିଜେ କଳାଟଙ୍କା ସାମ୍ରାଜ୍ୟ ବିସ୍ତାର କରିଛନ୍ତି । ଜିଲ୍ଲାର ଜଣେ ମନ୍ତ୍ରୀଙ୍କ ସହ ଘନିଷ୍ଟତା ରଖିବା ସହ ତାଙ୍କୁ ବିଭିନ୍ନ ସମୟରେ ଲକ୍ଷାଧିଟଙ୍କାର ଉପହାର ଦେଉଥିଲେ । ଏନେଇ ସ୍ତ୍ରୀ ଗରାବଡୁ ବିଭିନ୍ନ ସମୟରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ଅବକାରୀ ଆୟୁକ୍ତଙ୍କ ନିକଟରେ ଫେରାଦ ହୋଇସାରିଛନ୍ତି । କିନ୍ତୁ କୌଣସି ସ୍ଥାନରେ ସେ ନ୍ୟାୟ ପାଇନଥିବା ପ୍ରକାଶ କରିଛନ୍ତି ।
ଶ୍ରୀମତି ଗରାବଡୁ ଗତ ୨୦୧୭ ସମିହା ନଭେମ୍ବର ୧୭ତାରିଖରେ ରାୟଗଡା ଜିଲ୍ଲା ଅବକାରୀ ବିଭାଗରେ କାର୍ଯ୍ୟରତ ଅବକାରୀ କନେଷ୍ଟବଳ ସୁଶାନ୍ତ ପାତ୍ରାଙ୍କୁ ବିବାହ କରିଥିଲେ । ସ୍ୱାମୀ ବିବାହର ଠିକ ପର ଦିନ ତାଙ୍କଠୁ ମୋବାଇଲ ଫୋନ ଛଡାଇ ନେବା ସହିତ ତାଙ୍କୁ ରାୟଗଡା ସହରକୁ ଆଣି ଏକ ପରିତ୍ୟକ୍ତ ଘରେ ରଖିଥିଲେ । ଶ୍ରୀ ପାତ୍ରଙ୍କ ଅପରାଧିକ କାର୍ଯ୍ୟକଳାପ ପର୍ଯ୍ୟାୟକ୍ରମେ ବୃଦ୍ଧି ପାଉଥିବା ଜାଣି ବିଭିନ୍ନ ସମୟରେ ସେ ଏହାକୁ ପ୍ରତିରୋଧ କରିବାରୁ ଶ୍ରୀ ପାତ୍ର ତାଙ୍କୁ ମାଡ ମାରୁଥିବା ଅଭିଯୋଗ କରିଛନ୍ତି । ଶ୍ରୀମତି ଗରବଡୁ ପୋଲିସ ବିଭାଗରେ କାର୍ଯ୍ୟରତ ଥିବାବେଳେ ତାଙ୍କୁ ବିବାହ ପରେ ଏହି ଚାକିରୀ ଛାଡିବାକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥିଲେ ଶ୍ରୀ ପାତ୍ର ଫଳରେ ପରବର୍ତ୍ତି ସମୟରେ ସେ ଚାକିରୀ ଛାଡିବାକୁ ବାଧ୍ୟ ହୋଇଥିବା କହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ଅନେକ ଥର ଜୀବନରୁ ମାରିଦେବାକୁ ଖଣ୍ଡ ଦେଖାଇ ଧମକ ଦେଉଥିବା ଶ୍ରୀମତି ଗରବଡୁ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଛନ୍ତି ନିଲମ୍ବିତ କନେଷ୍ଟବଳ ସୁଶାନ୍ତ ପାତ୍ର । ୨୦୧୯ ମସିହାରୁ ସେମାନେ ଅଲଗା ରହି ଆସୁଛନ୍ତି । ବୃଦ୍ଧା ମା’ଠୁ ଅଲଗା ରହିବା ସକାଶେ ବାରମ୍ବାର ସ୍ତ୍ରୀ ଜିଦରେ ଅଡି ବସିବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଗଢି ଉଠୁଥିଲା । କିନ୍ତୁ ମା’ଙ୍କୁ ଅନ୍ୟତ୍ର ମୁଁ ନରଖିବାରୁ ଶ୍ରୀମତି ଗରାବଡୁ ଭୁନେଶ୍ୱରରେ ଯାଇ ରହୁଥିବା ଶ୍ରୀ ପାତ୍ର କହିଛନ୍ତି । ତେବେ ଏନେଇ ମହିଳା ଆୟୋଗରେ ସ୍ତ୍ରୀ ଅଭିଯୋଗ କରିବାରୁ ମୁଁ ପୁଅର ମାସିକ ଖର୍ଚ୍ଚ ବାବଦକୁ ୫ହଜାର ଟଙ୍କା ଲେଖାଏଁ ସ୍ତ୍ରୀକୁ ଦେଉଛି ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ମନ୍ତ୍ରୀ ଜଗନ୍ନାଥ ସରାକଙ୍କୁ ପ୍ରତିକ୍ରିୟା ନେବାରୁ ସେ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପରିବାରର କଳହରେ ଉତ୍ତକ୍ଷିପ୍ତ ହୋଇ ଶ୍ରୀ ପାତଙ୍କ ସ୍ତ୍ରୀ ମୋ ଉପରେ ଭିତ୍ତିହୀନ ମିଥ୍ୟା ଅଭିଯୋଗ ଆଣୁଛନ୍ତି । ମତେ ମୋ ଦଳକୁ ବଦନାମ କରିବାକୁ ଏହା ପଛରେ ବିରୋଧୀଙ୍କ ଏହା ଏକ ଷଡଯନ୍ତ୍ର ବୋଲି ଶ୍ରୀ ସରାକା କହିଛନ୍ତି ।