ଭୁବନେଶ୍ବର :ଭୁବନେଶ୍ୱର ଏମ୍ସ ଏବଂ ବାଲେଶ୍ୱର ଏମ୍ସ ସାଟେଲାଇଟ ସେଣ୍ଟରର ବିଭିନ୍ନ ସମସ୍ୟାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ରାଜ୍ୟର ସବୁଠୁ ବଡ଼ ମେଡିକାଲ ଭାବେ ଭୁବନେଶ୍ବର ମାନ୍ୟତା ପାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଅନେକ ସମସ୍ୟା ଦେଇ ଗତି କରୁଛି ଭୁବନେଶ୍ବର ଏମ୍ସ । ଡାକ୍ତର ପଦବୀ ସହ ଅନ୍ୟ ପଦବୀଗୁଡ଼ିକ ମଧ୍ୟ ପୂରଣ ହେବାର ସମସ୍ୟା ସମାଧାନ ହୋଇପାରିନାହିଁ । ରାଜ୍ୟରେ ଅଧିକାଂଶ ରୋଗୀ ଏମସ ଉପରେ ନିର୍ଭର କରୁଥିବାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରତିଦିନ ପ୍ରବଳ ଭିଡ଼ ହେଉଛି । ଯାହା ଫଳରେ ରୋଗୀମାନେ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଥିବାରୁ ଭିତ୍ତିଭୂମି ନିର୍ମାଣ ଏବଂ ଅଧିକ ପାଣ୍ଠି ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା କରିବା ସହ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ଆରମ୍ଭ ହୋଇଥିବା 6ଟି ଏମ୍ସ ମଧ୍ୟରେ ଏବେ ଭୁବନେଶ୍ବର ଏମ୍ସରେ ପ୍ରତିଦିନ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ଅଧିକ ରୋଗୀ ଆସି ଅପେକ୍ଷା କିର ମଧ୍ୟ ଫେରିକି ଯାଉଥିବା ଦେଖାଯାଇଛି । ଏଠାରେ ଥିବା ଭିତ୍ତିଭୂମି ଉପରେ ଏହାର ପ୍ରଭାବ ପଡ଼ୁଛି । ତେଣୁ ଏଠାରେ ଅଧିକ ଡାକ୍ତରଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ଏବଂ ଅଧିକ ଅର୍ଥର ଆବଶ୍ୟକତା ରହିଥିବା କହିଛନ୍ତି ଶ୍ରୀ ଷଡ଼ଙ୍ଗୀ । ଭୁବନେଶ୍ବର ଏମ୍ସରେ କର୍ମଚାରୀ ଏବଂ ଡାକ୍ତରଙ୍କ ଅଭାବ ପାଇଁ ରୋଗୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏପରିକି କର୍ମଚାରୀ ଅଭାବ ଯୋଗୁଁ କରୋନା ମହାମାରୀ ସମୟରେ ଓପିଡି ବନ୍ଦ ରଖାଯାଇଛି । ଯାହା ଫଳରେ ରୋଗୀମାନେ ପ୍ରାଇଭେଟ ଡାଙ୍କରଖାନାକୁ ଯାଇ ଅଧିକା ଖର୍ଚାନ୍ତ ହେଉଛନ୍ତି । ସେହିପରି ଭୁବନେଶ୍ବର ଏମ୍ସର ଏକ ସାଟେଲାଇଟ ସେଂଟର ବାଲେଶ୍ବର ଏମ୍ସର ଅବସ୍ଥା ଏହାଠାରୁ ଅଧିକା ଖରାପ ଅବସ୍ଥାରେ ରହିଛି । ଏଠାରେ ମଧ୍ୟ ଅନେକ ପଦବୀ ଖାଲି ଥିବାରୁ ରୋଗୀଙ୍କ ଚିକିତ୍ସା କରିବା ସହଜ ହୋଇପାରୁନାହିଁ । ଅନେକ ରୋଗୀ ଏଠାକୁ ଆସି ଫେରିବାକୁ ବାଧ୍ୟ ହେଉଛନ୍ତି । ଏହି ଦୁଇ ଏମ୍ସର ଖାଲି ପଦ ପୂରଣ ଏବଂ ଅଧିକ ଅର୍ଥ ପାଇଁ ପୂର୍ବରୁ 10.12.2021ରେ ମଧ୍ୟ ଚିଠି ଦେଇଥିବା କହିଛନ୍ତି ଶ୍ରୀ ଷଢ଼ଙ୍ଗୀ । ତେଣୁ ଭୁବନେଶ୍ବର ଏମ୍ସ ଏବଂ ବାଲେଶ୍ବର ସାଟେଲାଇଟ ସେଂଟରରେ ଭିତ୍ତିଭୂମିର ବିକାଶ କରିବା ସହ ଖାଲିଥିବା ପଦବୀ ପୂରଣ ଏବଂ ଅଧିକ ଅର୍ଥ ପ୍ରଦାନ କରିବା ପାଇଁ ଶ୍ରୀ ଷଡ଼ଙ୍ଗୀ ଅନୁରୋଧ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ଦାବି ରଖିଛନ୍ତି । ଏସବୁ ଦାବି ବିଷୟରେ ଶୁଣିବା ସହ ଆଗାମୀ ଦିନରେ ଏହି ସବୁ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।