ଭୁବନେଶ୍ୱର: ଚଳିତ ପୁରୁଷ ହକି ବିଶ୍ୱକପ୍ରେ ରବିବାର ଆୟୋଜକ ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡକୁ ଭେଟିବ । ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ରେ ଦଳ ପ୍ରତିଯୋଗିତାର ଉଦ୍ଘାଟନୀ ଦିବସ ଶୁକ୍ରବାର ପ୍ରଥମ ମ୍ୟାଚ୍ରେ ସ୍ପେନ୍କୁ ୨-୦ରେ ପରାସ୍ତ କରିସାରିଛି । ଫଳସ୍ୱରୂପ ଦଳ ସକାରାତ୍ମକ ମନୋଭାବ ନେଇ ରବିବାର ଇଂଲଣ୍ଡ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ । ଇଂଲଣ୍ଡ କଦାପି ଭାରତ ପାଇଁ ସହଜ ପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହେବନାହିଁ ।
କାରଣ ଦୁଇ ଦଳ ମଧ୍ୟରେ ଏଫ୍ଆଇଏଚ୍ ର୍ୟାଙ୍କିଙ୍ଗ୍ରେ ବିଶେଷ କିଛି ଫରକ୍ ନାହିଁ । ଗୋଟିଏ ପଟେ ଭାରତ ର୍ୟାଙ୍କିଙ୍ଗ୍ରେ ପଞ୍ଚମ ସ୍ଥାନରେ ଥିବା ବେଳେ ଅନ୍ୟପଟେ ଇଂଲଣ୍ଡ ଏହାଠରୁ ଗୋଟିଏ ସ୍ଥାନ ତଳେ ଅର୍ଥାତ୍ ଷଷ୍ଠ ସ୍ଥାନରେ ରହିଛି । ତା’ଛଡ଼ା ଇଂଲଣ୍ଡ ତା’ର ପ୍ରଥମ ମ୍ୟାଚ୍ରେ ୱେଲ୍ସକୁ ବୃହତ୍ ୫-୦ ବ୍ୟବଧାନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟ୍ରେ ଏହା ଅନ୍ୟ ଦଳମାନଙ୍କୁ କଡ଼ା ଟକ୍କର ଦେଇପାରିବ ବୋଲି ଏକରକମ ଚେତାବନୀ ଦେଇଛି । ତେଣୁ ଭାରତକୁ ବିଜୟ ଧାରା ବଜାୟ ରଖିବାକୁ ହେଲେ ପୁଣିଥରେ ନିଜର ଶ୍ରେଷ୍ଠତା ପ୍ରତିପାଦିତ କରିବାକୁ ପଡ଼ିବ ।
ଶୁକ୍ରବାରର ମ୍ୟାଚ୍ରେ ୨୧ ହଜାର ଦର୍ଶକଙ୍କ ଉପସ୍ଥିତିରେ ଆୟୋଜକ ଭାରତ ପ୍ରଥମ ଦୁଇଟି କ୍ୱାର୍ଟର୍ରେ ଚମତ୍କାର ଢଙ୍ଗରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ସ୍ଥାନୀୟ ଖେଳାଳି ତଥା ଭାରତୀୟ ଦଳର ଅଧିନାୟକ ଅମିତ୍ ରୋହିଦାସଙ୍କ ପେନାଲ୍ଟି କର୍ଣ୍ଣର୍ ଗୋଲ୍ ସହ ହାର୍ଦ୍ଦିକ ସିଂହଙ୍କ ଏକଲା ଉଦ୍ୟମଜନିତ ଗୋଲ୍ ରୂପରେ ଦଳକୁ ଏହାର ଫାଇଦା ମଧ୍ୟ ମିଳିଥିଲା । ପରବର୍ତ୍ତୀ ସମୟରେ ଅଧିନାୟକ ହରମନ୍ପ୍ରୀତ୍ ଓ ଅମିତ୍ ଡିଫେନ୍ସରେ ଅଭିଜ୍ଞତାର ଉପଯୁକ୍ତ ଉପଯୋଗ କରି ଅଗ୍ରଣୀକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖିଥିଲେ । ଏହା ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ଙ୍କୁ ବେଶ୍ ପ୍ରଭାବିତ କରିଥିଲା ଓ ଦଳ ଆଗାମୀ ମ୍ୟାଚ୍ରେ ମଧ୍ୟ ଏହି ଧରଣର ପ୍ରଦର୍ଶନ ଜାରି ରଖିôବ ବୋଲି ସେ କହିସାରିଛନ୍ତି ।
କିନ୍ତୁ ପ୍ରଥମ ମ୍ୟାଚ୍ରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣର୍ଗୁଡ଼ିକ ବେକାର ଯାଇଥିବାରୁ ଏହା କୋଚ୍ଙ୍କ ସକାଶେ ମୁଖ୍ୟ ଚିନ୍ତାର ବିଷୟ ହୋଇଛି । ପେନାଲ୍ଟି କର୍ଣ୍ଣର୍ ସହ ଅଧିନାୟକ ହରମନ୍ପ୍ରୀତ୍ ପେନାଲ୍ଟି ଷ୍ଟ୍ରୋକ୍ରୁ ମଧ୍ୟ କୌଣସି ଗୋଲ୍ କରିପାରି ନ ଥିଲେ । ତେଣୁ ଦଳର ଏହି ସର୍ବାଧିକ ଗୋଲ୍ ସ୍କୋରର୍ ଇଂଲଣ୍ଡ ବିପକ୍ଷରେ ତାଙ୍କୁ ନିରାଶ କରିବେ ନାହିଁ ବୋଲି ମୁଖ୍ୟ କୋଚ୍ ଆଶା କରିଛନ୍ତି । ନିଜେ ହରମନ୍ପ୍ରୀତ୍ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି ଓ ଇଂଲଣ୍ଡ ବିପକ୍ଷରେ ଏଥିରେ ସଂଶୋଧନ କରିବା ନେଇ ଆଶାବାଦୀ ଅଛନ୍ତି ।