ପଟିଆଲା: ମାନବ ଚାଲାଣ ମାମଲାରେ ପୂର୍ବରୁ ଦୋଷୀସାବ୍ୟସ୍ତ ହୋଇଥିବା ବଲିଉଡ୍ ଗାୟକ ଦଲେର ମେହେନ୍ଦିଙ୍କ ୨ ବର୍ଷୀୟା ଜେଲଦଣ୍ଡାଦେଶକୁ ପଟିଆଲା କୋର୍ଟ ଗୁରୁବାର କାଏମ ରଖିଛନ୍ତି । ଫଳରେ ଦଲେରଙ୍କୁ ଜେଲ୍ ପଠାଯାଇଛି । ଦଲେର ଓ ତାଙ୍କ ଭାଇ ସମଶେର ୧୯୯୮ ଓ ୯୯ ମସିହାରେ ଆମେରିକା ଯିବାକୁ ଆଗ୍ରହୀ ୧୦ ଜଣ ଲୋକଙ୍କଠାରୁ ବିପୁଳ ଅର୍ଥ ସଂଗ୍ରହ କରି ସେମାନଙ୍କୁ ନିଜ ମ୍ୟୁଜିକାଲ ଗ୍ରୁପ୍ ସଦସ୍ୟଭାବେ ବିଦେଶ ଚାଲାଣ କରିଥିବା ଅଭିଯୋଗ ହୋଇଥିଲା । ଫଳରେ ଭାରତୀୟ ପିଙ୍ଗଳ କୋଡ୍ ଓ ପାସପୋର୍ଟ ଆଇନର ବିଭିନ୍ନ ଧାରା ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ୨୦୧୮ରେ ଅଦାଲତ ଉଭୟଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୨ ବର୍ଷ ଲେଖାଏଁ ଜେଲଦଣ୍ଡ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ଜାମିନରେ ଆସିବାପରେ ସେମାନେ ଦଣ୍ଡାଦେଶ ବିରୋଧରେ ଅପିଲ କରିଥିଲେ । ତେବେ ପଟିଆଲା କୋର୍ଟ ଗୁରୁୁବାର ଜେଲ ଦଣ୍ଡାଦେଶକୁ କାଏମ ରଖିବାପରେ ଉଭୟଙ୍କୁ ପଟିଆଲା ଜେଲ୍କୁ ପଠାଯାଇଛି । ଏହି ଦଣ୍ଡାଦେଶ ବିରୋଧରେ ସେ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ଜଣାପଡିଛି ।