ଶିଲଂ : ଆସନ୍ତା ଫେବମୃଆରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ବୁଧବାର ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ ଜଣେ ମନ୍ତ୍ରୀଙ୍କ ସମେତ ୫ ଜଣ ବିଧାୟକ ଇସ୍ତଫା ଦେଇଥିବା ଜଣାପଡିଛି । ସେମାନେ ଖୁବଶୀଘ୍ର ୟୁନାଇଟେଡ ଡେମୋକ୍ରାଟିକ୍ ପାର୍ଟିରେ ଯୋଗଦେବେ ବୋଲି ଶୁଣାଯାଉଛି । ଇସ୍ତଫା ଦେଇଥିବା ମନ୍ତ୍ରୀ ଜଣକ ହେଲେ ଏଚ୍ଏସ୍ପିଡିପି ବିଧାୟକ ରେନିକଟନ୍ ଲିଙ୍ଗ୍ଡୋ ଟୋଙ୍ଗ୍ଖାର । ଅନ୍ୟ ୪ ଜଣ ବିଧାୟକ ହେଲେ ସିତ୍ଲାଙ୍ଗ୍ ପାଲେ (ତୃଣମୂଳ କଂଗ୍ରେସ), ମେର୍ୟାବର୍ନ ସିୟେମ୍ ଓ ପି.ଟି.ସକ୍ମି (ଉଭୟ କଂଗ୍ରେସ) ଏବଂ ଲଶମ୍ବୋର ମାଲଜିଆଙ୍ଗ୍ (ସ୍ୱାଧୀନ) । ଏମାନେ ଇସ୍ତଫା ଦେଇଥିବାରୁ ବର୍ତ୍ତମାନ ମେଘାଳୟ ବିଧାନସଭାରେ ଏଚ୍ଏସ୍ପିଡିପି ଏବଂ କଂଗ୍ରେସ ଦଳର ବିଧାୟକ ଶୂନ୍ୟ ହୋଇପଡିଛି । ଏମାନଙ୍କୁ ମିଶାଇ ଏକାଦଶ ମେଘାଳୟ ବିଧାନସଭାର ମୋଟ ୧୮ ଜଣ ବିଧାୟକ ଇସ୍ତଫା ଦେଇସାରିଲେଣି । ବର୍ତ୍ତମାନ ମେଘାଳୟରେ ୬ଟି ଦଳକୁ ନେଇ ଗଠିତ ମେଘାଳୟ ଡେମୋକ୍ରାଟିକ୍ ଆଲାଏନ୍ସ କ୍ଷମତାରେ ରହିଛି ।