ନୂଆଦିଲ୍ଲୀ : ଦେଶରେ ଆଜିଠୁ ଅନେକ ନିୟମରେ ପରିବର୍ତ୍ତନ ହେବା ସହ ଅନେକ ସାମଗ୍ରୀର ଦାମରେ ବଡ ପରିବର୍ତ୍ତନ ଦେଖିବାକୁ ମିଲିଛି । କାହାର ଦାମ୍ ବଢୁଛି ତ ଆଉ କାହାର ଦାମ୍ କମିଛି । ୧ ଏପ୍ରିଲରୁ ମଦ ମହଙ୍ଗା ହେବାବେଳେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଶସ୍ତା ହୋଇଛି । ଅନ୍ୟପଟେ ଔଷଧ ଦାମ୍ ବଢିବାରୁ ଲୋକଙ୍କୁ ଝଟକା ଲାଗିଛି ।
ଆଜିଠୁ ୫୦୦ରୁ ଅଧିକ ଔଷଧ ମହଙ୍ଗା ହୋଇଛି । ଔଷଧ ଦାମରେ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ହୋଇଛି । ଲୋକଙ୍କୁ ଆଣ୍ଟି-ବାୟୋଟିକ୍ସଠୁ ଆରମ୍ଭ କରି ପେନକିଲର ପର୍ଯ୍ୟନ୍ତ କ୍ରୟ କଲେ ଅଧିକ ପଇସା ଦେବାକୁ ପଡିବ । କ୍ୟାନ୍ସର, ହୃଦୟ ସମ୍ପର୍କିତ ରୋଗ, ଏନିମିଆ, ମ୍ୟାଲେରିଆ, ଆଣ୍ଟି-ସେଫ୍ଟିକକୁ ମିଶାଇ ସମସ୍ତ ଔଷଧ ଆଜିଠୁ ନୂଆ ଦାମରେ ମିଳିବ ।
ସରକାର ଔଷଧ କମ୍ପାନୀଙ୍କୁ ବାର୍ଷିକ ହୋଲସେଲ୍ ଦାମ୍ ଇଣ୍ଡେକ୍ସ ଅନୁସାରେ ଦାମ୍ ବଢାଇବାକୁ ଅନୁମତି ଦେଇଛନ୍ତି । ନିୟମ ଅନୁସାରେ ଔଷଧ କମ୍ପାନୀମାନେ ଏକ ବର୍ଷରେ ୧୦ ପ୍ରତିଶତ ବୃଦ୍ଧି କରିପାରିବେ କିନ୍ତୁ ଏଥର ୨ ପ୍ରତିଶତ ଅଧିକ ଅର୍ଥାତ୍ କମ୍ପାନୀମାନେ ଦାମରେ ୧୨ ପ୍ରତିଶତ ବୃଦ୍ଧି କରିଛନ୍ତି ।