ଥିରୁଅନନ୍ତପୁରମ: ଅସ୍ତ୍ରୋପଚାର ବେଳେ ହିଜାବ ପିନ୍ଧିବାକୁ ଅନୁମତି ମାଗିଲେ ସଂଖ୍ୟାଲଘୁ ଏମ୍ବିବିଏସ୍ ଛାତ୍ରୀ । ରାଜଧାନୀ ଥିରୁଅନନ୍ତପୁରମ ମେଡିକାଲ କଲେଜର ୭ଜଣ ମୁସଲିମ ଏମ୍ବିବିଏସ୍ ଛାତ୍ରୀ ସର୍ଜରୀ ବେଳେ ହିଜାବ ପିନ୍ଧିବାକୁ ଅନୁମତି ଦେବାକୁ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ନିବେଦନ କରିଛନ୍ତି । କଲେଜ କର୍ତ୍ତୃପକ୍ଷ ମଧ୍ୟ ଘଟଣାକୁ ବିଚାର ପାଇଁ ଗ୍ରହଣ କରିଥିବା ନେଇ ସୂଚନା ରହିଛି । ଏକ କମିଟି ଏହି ଆବେଦନ ଉପରେ ଅନୁଧ୍ୟାନ କରିବ । ସୂଚନା ଅନୁସାରେ, ଅପରେସନ ଥିଏଟର ମଧ୍ୟରେ ସେମାନଙ୍କୁ ହଜାବ ପରିଧାନ ପାଇଁ ଅନୁମତି ମିଳୁନଥିବାରୁ ସେମାନେ ଚିନ୍ତାପ୍ରକଟ କରିଛନ୍ତି । ହିଜାବ ପରି ଲମ୍ବା ପୋଷାକ ପିନ୍ଧିବା ପାଇଁ ଅନୁମତି ଦେବାକୁ କଲେଜର ପ୍ରିନ୍ସିପାଲଙ୍କୁ ନିବେଦନ କରିଛନ୍ତି । ପ୍ରିନ୍ସିପାଲଙ୍କ ସୂଚନା ଅନୁସାରେ, ସେମାନେ ଏକ କମିଟି ଗଠନ କରି ଆବେଦନର ଅନୁଧ୍ୟାନ କରାଯିବ ।
ଆବଶ୍ୟକ ସ୍ଥଳେ ସେପରି କିଛି ଅନୁମତି ମଧ୍ୟ ମିଳିପାରେ । ୨୦୨୦ ବ୍ୟାଚର ଜଣେ ମେଡିକାଲ ଛାତ୍ରୀ ଚଳିତମାସ ୨୬ ତାରିଖରେ ପ୍ରିନ୍ସପାଲଙ୍କୁ ଲେଖିଥିବା ଆବେଦନ ପତ୍ରରେ ଦର୍ଶାଇଛନ୍ତି, ଅପରେସନ ଥିଏଟର ମଧ୍ୟରେ ଲମ୍ବା ସ୍କାର୍ଫ ଜ୍ୟାକେଟ ପରି ପୋଷାକ ସହ ସର୍ଜିକାଲ ହୁଡ ପ୍ରଦାନ କରିବାକୁ ଅନୁମତି ମିଳୁ । ଏହି ଆବେଦନପତ୍ରରେ ଅନ୍ୟ ୬ ଜଣ ମୁସଲିମ ଡାକ୍ତରୀ ଛାତ୍ରୀ ମଧ୍ୟ ସ୍ୱାକ୍ଷର କରିଛନ୍ତି । ଏହି ଆବେଦନକାରୀ ୬ ଛାତ୍ରୀ ପୃଥକ ପୃଥକ ବର୍ଷର ଛାତ୍ରୀ । ସେମାନେ ପତ୍ରରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି, ହିଜାବ ମୁସଲିମ ମହିଳାମାନଙ୍କୁ ସମସ୍ତ ପରିସ୍ଥିତିରେ ପରିଧାନ କରିବା ପାଇଁ ଧର୍ମ କହୁଛି । ହେଲେ ସେମାନଙ୍କୁ ଅପରେସନ ଥିଏଟରରେ ହିଜାବ ପରିଧାନ କରିବାକୁ ଅନୁମତି ମିଳୁନାହିଁ । ତେଣୁ ସେମାନଙ୍କୁ ଏହି ପରି ପୋଷାକ ସହ ସର୍ଜରୀ ହୁଡ ପରିଧାନ କରି ଅପରେସନ କକ୍ଷକୁ ଯିବାରେ ଅନୁମତି ପ୍ରଦାନ କରାଯାଉ ବୋଲି ସେମାନେ ଅନୁମତି ମାଗିବା ପରେ କଲେଜ କର୍ତ୍ତୃପକ୍ଷ ଏହା ଉପରେ ବିଚାର ବିମର୍ଶ କରିବା ପାଇଁ ଏକ କମିଟି ଗଠନ କରିବାକୁ ଯାଉଛନ୍ତି ।