19.1 C
Bhubaneswar
Monday, November 18, 2024
Homeଓଡିଶାମା’କୁ ହତ୍ୟାକରି ବାପା ଜେଲରେ : ଅନ୍ଧାର ଭିତରେ ରାହା ଖୋଜୁଛନ୍ତି ଦୁଇ ନିଷ୍ପାପ ଶିଶୁ

ମା’କୁ ହତ୍ୟାକରି ବାପା ଜେଲରେ : ଅନ୍ଧାର ଭିତରେ ରାହା ଖୋଜୁଛନ୍ତି ଦୁଇ ନିଷ୍ପାପ ଶିଶୁ

ବାରିପଦା : ଭାଗ୍ୟର ବିଡ଼ମ୍ବନା ବଡ଼ ବିଚିତ୍ର । ବିଧାତା କେତେବେଳେ କାହା ମୁହଁରେ ହସ ଭରିଦେଉଛି ତ ଆଉ କେତେବେଳେ କାହା ଆଖିରେ ଲୁହ ଭରିଦେଉଛି । ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟ।। ବ୍ଲକ ଅନ୍ତର୍ଗତ ଝିନେଇ ଗ୍ରାମରେ । ଶୈଶବ ଅବସ୍ଥାରୁ ଦେଖିବାକୁ ମିଳିଛି ଦୁଃଖର ଝଡ଼ । ମା’ ଚାଲିଗଲା ଆରପାରିକୁ ଆଉ ବାପ ନିଜ କର୍ମଫଳକୁ ନେଇ ଜେଲ କୋଠରୀ ଭିତରେ ଦିନ କାଟୁଥିବା ବେଳେ ଅନ୍ଧାର ଭିତରେ ଆଲୋକର ରାହା ଖୋଜୁଛନ୍ତି ଦୁଇ ନିରୀହ ନିଷ୍ପାପ ଶିଶୁ । ଗ୍ରାମର କୁନ୍ଦ ଦେହୁରୀ ନିଜର ସ୍ତ୍ରୀ ଓ ଦୁଇ ଛୁଆ ସହ ହସଖୁସିରେ ସଂସାର ବିତାଇ ଆସୁଥିଲେ ।
ପ୍ରତ୍ୟେକ ଦିନ ଆଖାପାଖ ଜଙ୍ଗଲରୁ କାଇ ସଂଗ୍ରହ କରିବା ସହ ଏହାକୁ ବିକ୍ରିକରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଥିଲେ । ହେଲେ ଅଚାନକ ସବୁକିଛି ଓଲଟପାଲଟ ହୋଇଗଲା । ଗତବର୍ଷ ମଇ ମାସ ୧୩ ତାରିଖ ଦିନର ଘଟଣା । ଶିଶୁ ଦୁଇଟିର ଭବିଷ୍ୟତ କଥା ଚିନ୍ତା ନକରି ନିଜ ସ୍ତ୍ରୀକୁ ହତ୍ୟା କଲା କୁନ୍ଦ ଦେହୁରୀ । କୁନ୍ଦ ଦେହୁରୀର ସ୍ତ୍ରୀ ଅଷ୍ଟମୀ ଦେହୁରୀର ଶବ ନିକଟସ୍ଥ ଏକ ଜଙ୍ଗଲରୁ ମିଳିଥିଲା । ଆଉ ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ଜେଲ ଚାଲିଯାଇଥିଲା କୁନ୍ଦ ଦେହୁରୀ । ଘରେ ତା’ର ଦୁଇ ବର୍ଷର ଶିଶୁପୁତ୍ର ସହ ସାଢ଼େ ତିନିବର୍ଷର ଶିଶୁ କନ୍ୟା ।
ମା’କୁ ହରାଇବାର ଦୁଃଖ ଆଉ ବାପଠାରୁ ଦୂରରେ ରହିବା ଏହି ଶିଶୁମାନଙ୍କ ପାଇଁ ଅଭିଶାପ ପାଲଟିଗଲା । ବାପ ମା’ ପରେ ଏବେ ସାହାରା କେବଳ ବୁଢ଼ା ଜେଜେବାପା, ବୁଢ଼ୀ ଜେଜେମା ଆଉ ରୋଗିଣୀ ନାବାଳିକା ପିଉସୀ । ଘର ଖଣ୍ଡେ ନାହିଁ ରହିବା ପାଇଁ । ଖରା, ବର୍ଷା, ଶୀତକୁ ସହି ଭଙ୍ଗା ଚାଳିଆରେ ଜୀବନ ଅତିବାହିତ କରୁଛନ୍ତି । କେତେବେଳେ ଓଳିଏ ଖାଉଛନ୍ତି ତ ଆଉ କେତେବେଳେ ଭୋକଓପାସରେ ରହୁଛନ୍ତି । ରୋଜଗାର ବୋଲି କିଛି ନାହିଁ । ସବୁଠାରୁ ଦୁଃଖର ବିଷୟ ହେଲା ବୁଢା ଜେଜେବାପା ଏବଂ ବୁଢ଼ୀ ମା ନିଜ ପାଇଁ ଖାଦ୍ୟ ଯୋଗାଡ଼ କରିବା ସମ୍ଭବପର ହୋଇପାରୁ ନଥିବାବେଳେ ନାତିନାତୁଣୀମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡୁଛି । ନିଜର ବୃତ୍ତି ଅନୁସାରେ ଜଙ୍ଗଲରୁ କାଇ ସଂଗ୍ରହ କରି ସଂସାର ପୋଷିବା ବୋଝ ଉପରେ ଲଳିତା ବିଡ଼ା ସଦୃଶ୍ୟ ପାଲଟିଯାଇଛି ।
କାଇ ସଂଗ୍ରହ କରିବା ପାଇଁ ଜଙ୍ଗଲ ଭିତରେ ସାତ ଆଠ ଦିନ ରହୁଥିବା ବେଳେ ଏହି ଦୁଇଶିଶୁ ଏକ ଭଙ୍ଗାଘର କୁଡ଼ିଆରେ ନିଜ ନାବାଳିକା ରୋଗିଣୀ ପିଉସୀ ସହ ରହୁଛନ୍ତି । ଏହି ରୋଗିଣୀ ପିଉସୀ ନିଜର ଯତ୍ନ ଠିକ୍ ଭାବେ ନେଇ ପାରୁନାହିଁ । ଫଳରେ ଦୁଇ ଶିଶୁଙ୍କ ଯତ୍ନ ନେବା ତା’ ପକ୍ଷେ କଷ୍ଟକର ହୋଇପଡ଼ିଛି । ଏକ ଭଙ୍ଗାଘରେ ପାଞ୍ଚ ପ୍ରାଣୀ କୁଟୁମ୍ଭ ଦିନ କାଟୁଛନ୍ତି । ଏହି ଦୁଇ ନିରୀହ ଶିଶୁଙ୍କ ଭାଗ୍ୟ ଏବେ ଅନ୍ଧାର ଭିତରେ । ପାଠରେ ଲାଗିଛି ଡୋରୀ । କିଏ ବା ଏମାନଙ୍କୁ ସହାୟତା କରିବ । ସରକାରୀ ସହାୟତା ଏମାନଙ୍କ ପାଇଁ ସାତସପନ ପାଲଟିଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏମାନଙ୍କ ପାଖରେ କୈାଣସି ସରକାରୀ ସହାୟତା ପହଞ୍ଚି ପାରିନଥିବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ବେସାହାରା ପରିବାରକୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking