ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟ ଡିପ୍ରେସନ (ଅବପାତ) ଆସନ୍ତା ୮ ତାରିଖ ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହେବା ପରେ ରାଜ୍ୟ ସରକାର ଏଥି ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଆଜି ସନ୍ଧ୍ୟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଏହା ଓଡ଼ିଶା ଉପକୂଳକୁ ଛୁଇଁବ ନାହିଁ । ଏସ୍ଆରସି ଶ୍ରୀ ଜେନା ଗଣମାଧ୍ୟମର ପ୍ରତିନିଧିଙ୍କୁ ସମ୍ବୋଧିତ କରି କହିଛନ୍ତି, ପାଣିପାଗ ବିଭାଗ ପକ୍ଷରୁ ଯେଉଁ ସୂଚନା ମିଳିଛି, ଅବପାତ ଏବେ ପୁରୀ ଠାରୁ ୧୨୫୦ କିଲୋମିଟର ଦୂରରେ ଅଛି । ଏହା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ଦିଗକୁ ଗତି କରିବ ।
ବାତ୍ୟା ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତର-ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁ ହେବ । ୧୦ ତାରିଖ ମଧ୍ୟାହ୍ନ ବେଳକୁ ଉତ୍ତର, ଉତ୍ତର-ପୂର୍ବ ଦିଗକୁ ରିକର୍ଭ କରିବ । ସେତେବେଳେ ଏହା ଡାହାଣକୁ ମୋଡିବ । ୧୫୦ ରୁ ୨୦୦ କିଲୋମିଟର ଦୂରରେ ରିକର୍ଭ କରିବ । ଉପକୂଳ ସହ ସମାନ୍ତରଳ ଭାବେ ଗତି କରିବ ଓ ଉତ୍ତର ବଙ୍ଗୋପସାଗର ମୁହାଁ ହେବ । ବାତ୍ୟା ଓଡ଼ିଶାର ଉପକୂଳକୁ ଛୁଇଁ ନପାରେ । ବର୍ଷା ଓ ପବନ ହେବ । ବେଶି ଦୂରରେ ଗଲେ ପ୍ରଭାବ କମ ରହିବ । ପାଖରେ ଗଲେ ପ୍ରଭାବ ଅଧିକ ରହିବ । ଏବେ ସୁଦ୍ଧା ହୋଇଥିବା ଆକଳନ ଅନୁଯାୟୀ ୫୦ରୁ ୬୦ କିଲୋମିଟର ବେଗରେ ପବନ ହୋଇପାରେ । ବାତ୍ୟା ପ୍ରଭାବରେ ୧୦ରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ବର୍ଷା ସମ୍ଭାବନା, କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ୧୧ ତାରିଖରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକରେ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ୮ ତାରିଖ ସକାଳ ପରଠାରୁ କୌଣସି ବ୍ୟକ୍ତି ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।