20.1 C
Bhubaneswar
Saturday, December 21, 2024
Homeଓଡିଶାମୌଳିକ ସୁବିଧାରୁ ବଞ୍ଚିତ ମାଟିଘାଟି, ଡଙ୍ଗାବସା ଓ ସାବ୍ରା ଗ୍ରାମବାସୀ

ମୌଳିକ ସୁବିଧାରୁ ବଞ୍ଚିତ ମାଟିଘାଟି, ଡଙ୍ଗାବସା ଓ ସାବ୍ରା ଗ୍ରାମବାସୀ

ଖଜୁରିପଡ଼ା : କନ୍ଧମାଳ ଜିଲ୍ଲାର ୨୫୦୦ରୁ ଊର୍ଦ୍ଧ୍ୱ ଗ୍ରାମ ଥିବା ବେଳେ ଏଭଳି ଅନେକ ଗ୍ରାମ ଅଛି ଯେଉଁଠି ଆଜି ପର୍ଯ୍ୟନ୍ତ ବିକାଶର ଛାପ ପହଞ୍ôଚପାରି ନାହିଁ । ଆଜି ମଧ୍ୟ ଏହି ସବୁ ଗ୍ରାମ ଗୁଡ଼ିକ ସମ୍ପୂର୍ଣ୍ଣଭାବେ ଅବହେଳିତ ଅବସ୍ଥାରେ ରହିଛନ୍ତି । ଏଭଳି ଅନେକ ଗ୍ରାମ ମଧ୍ୟରୁ କନ୍ଧମାଳ ଜିଲ୍ଲା ସୁଡ୍ରୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ତିନୋଟି ଗ୍ରାମ ହେଉଛି ମାଟିଘାଟି, ଡଙ୍ଗାବସା ଓ ସ୍ରାବା ଗ୍ରାମ । ଫୁଲବାଣୀ ସହର ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଅବସ୍ଥିତ ଥିଲେ ମଧ୍ୟ ଜିଲ୍ଲାର ଅନ୍ୟତମ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ । ପଞ୍ଚାୟତ ମୁଖ୍ୟାଳୟଠାରୁ ମାତ୍ର ୧୫ କିମି ଦୂର ଏହି ତିନୋଟି ଗ୍ରାମ ଥିଲେ ମଧ୍ୟ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ସଂପୂର୍ଣ୍ଣଭାବେ ବଞ୍ଚିତ ହୋଇ ରହିଛି ।

ଗ୍ରାମକୁ ଯିବା ପାଇଁ ରାସ୍ତା ନାହିଁ । ଗମନା ଗମନ ସୁବିଧା ସଂପୂର୍ଣର୍ଭାବେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଗ୍ରାମରେ ରହରୁଥିବା ପ୍ରାୟ ୧୫୦ ଲୋକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ପଞ୍ଚାୟତ ମୁଖ୍ୟାଳୟରୁ ଗ୍ରାମକୁ ଯୋଗାଯୋଗ କରୁଛି ଏକ ମାତ୍ର ପାଦଚଲା ରାସ୍ତା । ଗାଁ ପାଖରେ ରହିଥିବା ନାଳ ଉପରେ ପ୍ରାୟ ଦୁଇ ବର୍ଷ ତଳେ ଏକ କଲଭର୍ଟ ନିର୍ମାଣ ହୋଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ କାମ ସରିପାରିନାହିଁ । ଫଳରେ ଏହି ତିନିଟି ଗ୍ରାମ ଅନ୍ୟ ଅଞ୍ଚଳଠାରୁ ଏକ ପ୍ରକାର ବିଛିନ୍ନ ହୋଇ ରହିଛି । ବର୍ଷାଦିନ ଆସିଗଲେ ପରିସ୍ଥିତି ସଂପୂର୍ଣ୍ଣଭାବେ ଗମ୍ଭିର ହୋଇ ପଡିଥାଏ । ଗ୍ରାମରେ ପାନୀୟ ଜଳର ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇ ପାରିନାହିଁ । ଫଳରେ ଗ୍ରାମବାସୀ ମାନେ ବାଧ୍ୟ ହୋଇ ନଦୀ, ନାଳ ଓ ଚୂଆ ପାଣି ବ୍ୟବହାର କରିବାକୁ ଲୋକେ ବାଧ୍ୟ ହେଉଛନ୍ତି ।

ଡଙ୍ଗାବସାରେ ରହିଛି ଗୋଟିଏ ମାତ୍ର ନଳକୂପ । କିନ୍ତୁ ଏହି ନଳକୂପରୁ ଲୌହ ମିଶ୍ରିତ ପାଣି ଆସୁଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ ମାନେ । ବର୍ଷା ଦିନରେ ନାଳ ପାଣି ପିଇ ଲୋକେ ରୋଗରେ ପଡିବା ଏକ ସାଧାରଣ କଥାରେ ପରିଣତ ହୋଇଛି । ରୋଗରେ ପଡିଲେ ଯିବାକୁ ପଡେ ପ୍ରାୟ ୧୫ କିମି ଦୂର ସୁଡ୍ରୁକୁମ୍ପା ସ୍ୱାସ୍ଥ୍ୟ କେନ୍ଦ୍ରକୁ । ରାସ୍ତା ନ ଥିବାରୁ ଏହି ସବୁ ଗ୍ରାମରେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରେ ନାହିଁ । ଫଳରେ ରୋଗୀକୁ ଖଟିଆରେ ପକାଇ ବୋହି ନେବାକୁ ପଡିଥାଏ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଡଙ୍ଗାଠାରୁ ୩ କିମି ଦୂର ମାଦିକୁଲାଠାରେ ରହିଛି ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ର । କିନ୍ତୁ ଘଞ୍ଚ ଜଙ୍ଗଲ ଓ ପାହାଡିଆ ରାସ୍ତା କାରଣରୁ ଗ୍ରାମର ଶିଶୁ ମାନେ ଏହି ଅଙ୍ଗନବାଡି କେନ୍ଦ୍ରକୁ ଯିବା ପାଇଁ ସାହସ କରୁ ନାହାନ୍ତି ।

ସେହିଭଳି ଗ୍ରାମରେ ପୂର୍ବରୁ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଏବେ ତାହା ବନ୍ଦ ହୋଇଯାଇଛି । ତେଣୁ ପିଲାଙ୍କ ପାଠ ପଢା ଏକ ପ୍ରକାର ବନ୍ଦ ରହିଥିବା କହିଛନ୍ତି ଗ୍ରାମବାସୀ । ସେହିଭଳି ସୁଡ୍ରୁକୁମ୍ପାଠାରୁ ୧୦ କିମି ଦୂରରେ ରହିଛି ମାଟିଘାଟି ଗ୍ରାମ । ବାଟରେ ପଡେ ଡୁମୁରୀ ନାଳ । ନାଳ ଉପରେ ପୋଲ ନ ଥିବାରୁ ଗ୍ରାମକୁ ଯିବା ଏକ ସମସ୍ୟା ହୋଇ ରହିଛି । ଏହି ଗ୍ରାମରେ ଅବସ୍ଥା ଆହୁରି ଶୋଚନୀୟ । ପାନୀୟ ଜଳଠାରୁ ଆରମ୍ଭ କରି ଅନ୍ୟ କୌଣସି ମୌଳିକ ସୁବିଧା ଏହି ଗ୍ରାମରେ ନାହିଁ । ଅନେକ ବର୍ଷ ତଳେ କିଛି ଗ୍ରାମବାସୀଙ୍କୁ ସୋଲାର ଲାଇଟ ପ୍ରଦାନ କରାଯାଇଥିଲା । କିନ୍ତୁ ଏହା ଏବେ ଆଉ କାର୍ଯ୍ୟକ୍ଷମ ନୁହେଁ । ଗ୍ରାମବାସୀ ମାନେ ନିଜ ଖର୍ଚ୍ଚରେ ସୋଲାର ଲାଇଟ କିଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ର ରହିଛି ପ୍ରାୟ ୬ କିମି ଦୂର ଟିକିରିପଡାରେ ।

ଘାଟି ପାହାଡ, ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ଏବଂ ରାସ୍ତାରେ ନାଳ ପଡୁ ଥିବାରୁ ପିଲାମାନେ ଏହି ଅଙ୍ଗନବାଡି କେନ୍ଦ୍ରକୁ ଯାଇ ପାରନ୍ତି ନାହିଁ । ସମସ୍ତ ପ୍ରକାର ଅସୁବିଧା ଭିତରେ ବସବାସ କରିୁଥିବା ଏହି ସବୁ ଗ୍ରାମରେ ବିକାଶ ଆଜି ପର୍ଯ୍ୟନ୍ତ ଏକ ସ୍ୱପ୍ନ ହୋଇ ରହିଛି । ପଞ୍ଚାୟତ ନିର୍ବାାଚନ ବେଳେ ଗ୍ରାମବାସୀଙ୍କୁ ଅନେକ ପ୍ରତିଶ୍ରୁତି ନେତାଙ୍କ ଠାରୁ ମିଳିଥାଏ । କିନ୍ତୁ ପରେ ସମସ୍ତେ ନିର୍ବାଚନୀ ପ୍ରତିଶ୍ରୁତିଗୁଡ଼ିକୁ ଭୁଲି ଯାଆନ୍ତି ବୋଲି ପ୍ରକାଶ କରିଛନ୍ତି ମାଟିଘାଟି ଗ୍ରାମର ଜୟ କହଁର, ଶ୍ରୀରାମ ବେହେରା, ଉଗ୍ରସେନ ବେହେରା, ବୁିଶିକେଶନ ବେହେରା ଓ ଡଙ୍ଗାବସ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ମଲିକ, ନିରଞ୍ଜନ ପ୍ରଧାନ, ନିରାକାର କହଁର, ରମେଶ ମଲିକ,ଅର୍ଜୁନ ପ୍ରଧାନ । ଅପରପକ୍ଷରେ ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆମର ପ୍ରୟାସ ଜାରି ଥିଲେ ବି ଆର୍ଥିକ ଅନୁଦାନ ଅଭାବରୁ ଅନେକ ଅଞ୍ଚଳର ବିକାଶ କରିବାରେ ପଂଞ୍ଚୟତ ସକ୍ଷମ ହୋଇ ପାରୁ ନାହିଁ । ତେବେ ବର୍ତ୍ତମାନର ବିଧାୟକ ଅଙ୍ଗଦ କହଁର ମଧ୍ୟ ଏହି ସବୁ ଗ୍ରାମ ଗୁଡ଼ିକ ଅନେକ ଥର ଗସ୍ତ କରିଥିଲେ ମଧ୍ୟ ବିିକାଶ ନେଇ ଆଜି ପର୍ଯ୍ୟନ୍ତ ସେଭଳି କିଛି ପଦକ୍ଷେପ ନିଆଯାଇ ପାରୁନାହିଁ ବୋଲି ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking