27.6 C
Bhubaneswar
Saturday, April 18, 2026
Homeଓଡିଶାମତ୍ସ୍ୟ ଉତ୍ପାଦନରେ ବ୍ୟାପକ ବୃଦ୍ଧି ଦ୍ଵାରା ଓଡ଼ିଶାର ଆର୍ଥିକ ପ୍ରଗତିରେ ଆସିବ ନୂତନ ଜୁଆର: ମନ୍ତ୍ରୀ

ମତ୍ସ୍ୟ ଉତ୍ପାଦନରେ ବ୍ୟାପକ ବୃଦ୍ଧି ଦ୍ଵାରା ଓଡ଼ିଶାର ଆର୍ଥିକ ପ୍ରଗତିରେ ଆସିବ ନୂତନ ଜୁଆର: ମନ୍ତ୍ରୀ

ଭୁବନେଶ୍ୱର: ଜିଲ୍ଲା ମତ୍ସ୍ୟ ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ସ୍ଥାନୀୟ କୃଷିଭବନ ଅଡିଟୋରିଅମ ଠାରେ ଅନୁଷ୍ଠିତ ହୋଇଯାଇଛି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏଥିରେ ଅଧ୍ୟକ୍ଷତା କରିଥିଲେ । ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ, ଗ୍ରାମାଞ୍ଚଳର ଚାଷୀଟିଏ ବିକଶିତ ହେଲେ ହିଁ ବିକଶିତ ଓଡ଼ିଶା ମାଧ୍ୟମରେ ‘ବିକଶିତ ଭାରତ’ର ସ୍ୱପ୍ନ ସାକାର ହୋଇପାରିବ ।ଏହି ଅବସରରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଯଥା— ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’, ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ ଏବଂ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା । ଓଡ଼ିଶା ବର୍ତ୍ତମାନ ଦେଶରେ ମାଛ ଉତ୍ପାଦନ ଓ ସାମୁଦ୍ରିକ ଖାଦ୍ୟ ରପ୍ତାନି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇଛି। ବର୍ତ୍ତମାନ ମାଛ ଉତ୍ପାଦନ ୧୧.୯୨ ଲକ୍ଷ ମେଟ୍ରିକ ଟନ ହୋଇଥିବାବେଳେ ଆଗାମୀ ବର୍ଷ ସୁଦ୍ଧା ଏହାକୁ ଦୁଇ ଗୁଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ଓଡ଼ିଶା ସରକାରଙ୍କ ‘ଭିଜନ-୨୦୩୬’ ଅନୁଯାୟୀ ରାଜ୍ୟକୁ ମତ୍ସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ସହ ଏକ ଅଗ୍ରଣୀ ଓ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ସାକାର କରିବ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଗ୍ରାମାଞ୍ଚଳର ମହିଳାମାନଙ୍କୁ ମାଛଚାଷ ମାଧ୍ୟମରେ ସଶକ୍ତ କରିବା ଏବଂ ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ଆଧୁନିକ ଜ୍ଞାନକୌଶଳ ଯଥା ବାୟୋଫ୍ଲକ ଓ କେଜ କଲ୍ଚର ପ୍ରତି ଆକୃଷ୍ଟ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ମଲ୍ଲିକ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଧାନ ସହ ମାଛ ଚାଷ ମାଧ୍ୟମରେ ଏକ ସମୟରେ ଉଭୟ କ୍ଷେତ୍ରରୁ ଅଧିକ ଲାଭ ପାଇବା ନିମନ୍ତେ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ବିକଶିତ ଓଡ଼ିଶା ମାଧ୍ୟମରେ ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ପାଇଁ ବିଭାଗ ପକ୍ଷରୁ ‘ଶ୍ରୀମ୍ପ ମିଶନ’, ଗଭୀର ସମୁଦ୍ରରୁ ମାଛ ଉତ୍ପାଦନ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହା ସହିତ ରାଜ୍ୟର ବିଭିନ୍ନ ଜଳଭଣ୍ଡାରକୁ ଅଧିକ ଉତ୍ପାଦନକ୍ଷମ କରିବା ପାଇଁ ପଞ୍ଜୁରୀରେ ମାଛ ଚାଷ ଭଳି ଅଭିନବ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନ ହୋଇଥିଲା। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଡଙ୍ଗାରେ ଇସ୍ରୋ ଟ୍ରାନ୍ସପଣ୍ଡର ସଂଯୋଗ, ଲାଇଫ୍ ଜ୍ୟାକେଟ୍ ପ୍ରଦାନ ଭଳି ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଆକ୍ୱା ପାର୍କ, ମାଛ ଅବତରଣ କେନ୍ଦ୍ର, ଶୀତଳ ଭଣ୍ଡାର ଏବଂ ଅତ୍ୟାଧୁନିକ ତାଲିମ କେନ୍ଦ୍ର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି, ଯାହା ଭବିଷ୍ୟତରେ ମତ୍ସ୍ୟ କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶା ବ୍ୟକ୍ତ କରିଛନ୍ତି । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧରୀ ସମସ୍ତ ବିଭାଗୀୟ ଯୋଜନାର ସଫଳ ରୂପାୟନ ନିମନ୍ତେ ଅଧିକାରୀମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର ମତ୍ସ୍ୟ ଅଧିକାରୀ ଓ ନିର୍ଦ୍ଦେଶାଳୟର ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ବିଭାଗୀୟ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking