ସିଡ୍ନୀ : ଆସନ୍ତା ୧୭ରୁ ମୁମ୍ବାଇଠାରେ ଆରମ୍ଭ ହେଉଥିବା ଭାରତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ସକାଶେ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ଗୁରୁବାର ଏକ ୧୬ ଜଣିଆ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଦୁଇ ପ୍ରମୁଖ ଅଲ୍ରାଉଣ୍ଡର୍ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ମିଚେଲ୍ ମାର୍ଶ ସାମିଲ୍ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଘାତଜନିତ କାରଣରୁ ଏହି ଦୁଇ ଖେଳାଳି ଗତ ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ୍)ରେ ଭାଗ ନେଇପାରି ନ ଥିଲେ । ଟି-୨୦ ବିଶ୍ୱକପ୍ ପରେ ମ୍ୟାକ୍ସୱେଲ୍ ଏକ ହାଉସ୍ ପାର୍ଟିରେ ଦୁର୍ଘଟଣାର ଶିକାର ହୋଇ ଗୋଡ଼ରେ ଗଭୀର ଆଘାତ ପାଇଥିଲେ । ସେହିପରି ମାର୍ଶଙ୍କ ବାମ ଗୋଇଠିରେ ଅସ୍ତ୍ରୋପଚାର ହୋଇଥିଲା ।
ସେହିପରି ସିଏ ଚୟନ କମିଟି ପକ୍ଷରୁ ପେସର୍ ଝାଇ ରିଚାର୍ଡସନ୍ଙ୍କୁ ମଧ୍ୟ ଦଳରେ ସ୍ଥାନ ଦିଆଯାଇଛି । ତେଣୁ ଆଘାତଜନିତ କାରଣରୁ ଗତ ବିବିଏଲ୍ରେ ଭାଗ ନେଇପାରି ନଥିବା ରିଚାର୍ଡସନ୍ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ଗତ ସାଉଥ୍ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜ୍ରେ ଆହତ ହୋଇ ଚଳିତ ବର୍ଡର୍-ଗାଭାସ୍କର ଟ୍ରଫିରୁ ବାଦ୍ ପଡ଼ିଥିବା ପେସର୍ ଜୋଶ୍ ହେଜଲଉଡ୍ ମଧ୍ୟ ଦିନିକିଆ ଦଳରେ ସ୍ଥାନ ପାଇପାରିନାହାନ୍ତି । କିନ୍ତୁ ନିକଟରେ ନୂଆଦିଲ୍ଲୀଠାରେ ଶେଷ ହୋଇଥିବା ଚଳିତ ବର୍ଡର୍-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ୍ରେ ଆହତ ହୋଇ ଅବଶିଷ୍ଟ ୨ଟି ଟେଷ୍ଟ୍ରୁ ବାଦ୍ ପଡ଼ିଥିବା ଓପନର ଡେଭିଡ୍ ୱାର୍ଣ୍ଣର୍ ଦଳରେ ସ୍ଥାନ ପାଇଛନ୍ତି । ତା’ଛଡ଼ା ଘରୋଇ କ୍ରିକେଟ୍ ଖେଳିବା ସକାଶେ ଚଳିତ ଟେଷ୍ଟ୍ ସିରିଜ୍ରୁ ରିଲିଜ୍ ହୋଇଥିବା ଅଲ୍ରାଉଣ୍ଡର୍ ଆଷ୍ଟନ୍ ଆଗର୍ଙ୍କୁ ମଧ୍ୟ ଦଳରେ ନିଆଯାଇଛି ।
ଆଇସିସି ବିଶ୍ୱକପ୍କୁ ଆଉ ମାତ୍ର ୭ ମାସ ବାକି ଥିବାରୁ ଭାରତ ବିପକ୍ଷ ସିରିଜ୍ଟି ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ମ୍ୟାକ୍ସୱେଲ୍, ମାର୍ଶ ଓ ରିଚାର୍ଡସନ୍ଙ୍କ ପରି ଖେଳାଳି ଉକ୍ତ ମହାକୁମ୍ଭରେ ଅଷ୍ଟ୍ରେଲିଆ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ସେମାନେ ଆଗାମୀ ଦିନିକିଆ ସିରିଜ୍ ମାଧ୍ୟମରେ ବିଶ୍ୱକପ୍ ପାଇଁ ଅଭ୍ୟାସର ସୁଯୋଗ ପାଇବେ ବେଲି ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି କହିଛନ୍ତି । ସୂଚନାଯୋଗ୍ୟ ଯେ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ମାର୍ଚ୍ଚ ୧୯ରେ ବିଶାଖାପାଟଣାଠାରେ ଓ ତୃତୀୟ ମ୍ୟାଚ୍ଟି ୨୨ ତାରିଖରେ ଚେନ୍ନାଇଠାରେ ଖେଳାଯିବ ।
ଘୋଷିତ ଦଳ: ପ୍ୟାଟ୍ କମିନ୍ସ (ଅଧିନାୟକ), ଡେଭିଡ୍ ୱାର୍ଣ୍ଣର୍, ଟ୍ରେଭିସ୍ ହେଡ୍, ମାର୍ନ୍ଓ ଲାବୁଶେନ୍, ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମିଚେଲ୍ ମାର୍ଶ, ଆଲେକ୍ସ କ୍ୟାରୀ (ୱିକେଟ୍କିପର୍), ଜୋଶ୍ ଇଙ୍ଗଲିସ୍ (ୱିକେଟ୍କିପର୍), ମାର୍କସ୍ ଷ୍ଟୋଇନିସ୍, ମିଚେଲ୍ ଷ୍ଟାର୍କ, ଝାଇ ରିଚାର୍ଡସନ୍, ଆଡାମ୍ ଜାମ୍ପା, କାମେରନ୍ ଗ୍ରୀନ୍, ଆଷ୍ଟନ୍ ଆଗର୍ ଓ ସିନ୍ ଆବୋଟ୍ଟ୍ ।