28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଉତ୍ତରକାଶୀ ଟନେଲରେ ମାନୁଆଲ ଡ୍ରିଲିଂ ଆରମ୍ଭ; ଖନନ କାର୍ଯ୍ୟରେ ର‌୍ୟାଟ୍ ମାଇନର୍ସ ଶ୍ରମିକ ନିୟୋଜିତ

ଉତ୍ତରକାଶୀ ଟନେଲରେ ମାନୁଆଲ ଡ୍ରିଲିଂ ଆରମ୍ଭ; ଖନନ କାର୍ଯ୍ୟରେ ର‌୍ୟାଟ୍ ମାଇନର୍ସ ଶ୍ରମିକ ନିୟୋଜିତ

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡି ପଡିଥିବା ଟନେଲରୁ ୪୧ ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ରବିବାର ଭର୍ଟିକାଲ (ଭୂଲମ୍ବ) ଡ୍ରିଲିଂ ଆରମ୍ଭ ହୋଇଥିବାବେଳେ ସୋମବାରଠାରୁ ଟନେଲର ପ୍ରବେଶ ପଥରେ ମାନୁଆଲ ଭାବେ ମଧ୍ୟ ଡ୍ରିଲିଂ କାର୍ଯ୍ୟ ଆରମ୍ଭ କରାଯାଇଛି । ସୂଚନାଯୋଗ୍ୟ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଆମେରିକାରୁ ଅଣାଯାଇଥିବା ଅଗୁର ମେସିନ୍‌କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ତେବେ ଉକ୍ତ ମେସିନ୍ ଟନେଲ ମଧ୍ୟରେ ପ୍ରାୟ ୪୮ ମିଟର ଦୂରତା ପର୍ଯ୍ୟନ୍ତ ଅତଡା ପରିଷ୍କାର କରିବାପରେ ଗତ ଶୁକ୍ରବାର ଏହା ଅକାମୀ ହୋଇପଡିଥିଲା ।

ଅତଡାରେ ଥିବା ଏକ ମେଟାଲିକ୍ ଗ୍ରୀଲ୍ ସହ ପିଟିହେବାରୁ ଅଗୁର ମେସିନ୍‌ର ବ୍ଲେଡ୍ ଭାଙ୍ଗିଯାଇଥିଲା । ଏଥିଯୋଗୁଁ ସମାନ୍ତରାଳଭାବେ ଟନେଲ ମଧ୍ୟକୁ ପ୍ରବେଶ କରାଯାଉଥିବା ୮୦୦ ମିଲିମିଟର ଚଉଡା ବିଶିଷ୍ଟ ପାଇପ୍‌ର ମୁହଁ ମଧ୍ୟ ବନ୍ଦ ହୋଇଯାଇଥିଲା । ମରାମତି ସମ୍ଭବ ନ ହେବାରୁ ଉକ୍ତ ମେସିନ୍‌କୁ ସେଠାରୁ ହଟାଇ ଦିଆଯାଇଛି । ବିକଳ୍ପଭାବେ ଟନେଲ ଉପରିପାଶ୍ୱର୍ରୁ ଭର୍ଟିକାଲ ଡ୍ରିଲିଂ କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ସୋମବାର ସନ୍ଧ୍ୟାରୁ ମାନୁଆଲ ଡ୍ରିଲିଂ ମଧ୍ୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟରେ ‘ର‌୍ୟାଟ୍ ମାଇନର୍ସ’ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି । ଏମାନେ କୋଇଲା ଖଣି ଖନନ କାର୍ଯ୍ୟକୁ ମାନୁଆଲଭାବେ (କୌଣସି ଯନ୍ତ୍ରପାତି ବ୍ୟବହାର ନକରି) ସମ୍ପାଦନ କରିବାର ଅଭିଜ୍ଞତା ହାସଲ କରିଛନ୍ତି ।

ମାନୁଆଲ ଡ୍ରିଲିଂ କାର୍ଯ୍ୟ ଆଗେଇବା ସହ ୮୦୦ ମିଲିମିଟର ଚଉଡା ପାଇପ୍‌କୁ ପୁଣି ଟନେଲ ମଧ୍ୟରେ ପ୍ରବେଶ ଉଦ୍ୟମ ଆରମ୍ଭ ହେବ । ତେବେ ଏହି ପ୍ରକ୍ରିୟା ଅତ୍ୟନ୍ତ ଧିମା ଗତିରେ ଚାଲିବ ବୋଲି ଅନୁମାନ କରାଯାଉଛି । ମାନୁଆଲ ଡ୍ରିଲିଂ କେତେ ଦିନ ମଧ୍ୟରେ ଶେଷ ହେବ, ସେଥିନେଇ ଉଦ୍ଧାରକାରୀ ଦଳ ନିର୍ଦ୍ଦିଷ୍ଟ ସୂଚନା ଦେବାକୁ ମନା କରିଦେଇଛନ୍ତି । ଇତିପୂର୍ବରୁ ର‌୍ୟାଟ୍‌-ମାଇନର୍ସ ଶ୍ରମିକମାନେ କୋଇଲା ଖଣିରେ ୬୦୦ ମିଲିମିଟର ପାଇପ୍ ଭର୍ତ୍ତି କରିବାରେ ସଫଳ ହୋଇଥିବାରୁ ଏଥର ୮୦୦  ମିଲିମିଟର ପାଇପ୍ ପ୍ରବେଶ କରାଇବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ଆଶା କରାଯାଉଛି ।

ଏହି ଶ୍ରମିକମାନଙ୍କୁ ହେଲମେଟ୍‌, ୟୁନିଫର୍ମ, ମାସ୍କ୍ ଓ ସ୍ୱତନ୍ତ୍ର ଚଷମା ଯୋଗାଇ ଦିଆଯାଇଛି । ବର୍ତ୍ତମାନ ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ଆଉ ୧୨ ମିଟର ଦୂରତା ପର୍ଯ୍ୟନ୍ତ ଅତଡା ପରିଷ୍କାର କରିବାକୁ ପଡିବ । ଅପରପକ୍ଷରେ ଘଟଣାସ୍ଥଳରେ ପ୍ରତିକୂଳ ପାଣିପାଗ ଯୋଗୁଁ ଉଦ୍ଧାରକାରୀ ଦଳକୁ ଭୀଷଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ରାତ୍ରୀକାଳୀନ ତାପମାତ୍ରା ୪ ଡିଗ୍ରୀ ସେଲ୍‌ସିୟସକୁ ଖସିଆସିଥିବାବେଳେ ଆଗକୁ ବରଫପାତର ମଧ୍ୟ ସମ୍ଭାବନା ରହିଛି । ଅବଶ୍ୟ ପ୍ରତିକୂଳ ପାଗରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଥିବାରୁ ଉଦ୍ଧାରକାରୀ ଦଳ ଏହାର ଉଚିତ ମୁକାବିଲା କରିପାରିବେ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ର ସୋମବାର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ମିଶ୍ର ଉଦ୍ଧାରକାରୀ ଦଳକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ଏହାବ୍ୟତୀତ ସେ ଟନେଲରେ ଫସିଥିବା ଶ୍ରମିକ ଏବଂ ବାହାରେ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ସେମାନଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରିଛନ୍ତି ।

ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯିବ ବୋଲି ସେ ଶ୍ରମିକଙ୍କ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଉଦ୍ଧାର ପ୍ରକ୍ରିୟାରେ ନିୟୋଜିତ କର୍ମଚାରୀ ଏବଂ ଯନ୍ତ୍ରପାତିର ସୁରକ୍ଷା ପ୍ରତି ବିଶେଷ ଯତ୍ନବାନ ହେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ଚଳିତମାସ ୧୨ରେ ଉତ୍ତରକାଶୀରେ ନିର୍ମାଣାଧୀନ ସିଲ୍‌କ୍ୟାରା ଟନେଲ ଭୁଶୁଡି ପଡିଥିବାବେଳେ ୪୧ ଜଣ ଶ୍ରମିକ ଫସିଯାଇଛନ୍ତି । ଇତିମଧ୍ୟରେ ୩୮୪ ଘଣ୍ଟା ବିତିଯାଇଥିବାବେଳେ ସେମାନଙ୍କ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking